୨୦୨୨-୨୩ରେ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ଦ୍ବାରା ୧,୨୦୦ କୋଟିରୁ ଅଧିକ ଅର୍ଥ ପାଇଛନ୍ତି ‘ବିଜେଡି’ ସମେତ ୫ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ: ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଜରିଆରେ ବର୍ଷ ୨୦୨୨-୨୩ରେ ‘ବିଜେଡ଼ି’ ସମେତ ୫ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୧,୨୪୩ କୋଟି ଟଙ୍କା ସଂଗ୍ରହ କରିଥିବା କଥା ସେମାନଙ୍କ ସଦ୍ୟତମ ବାର୍ଷିକ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି।

ଏହି ୫ଟି ଆଞ୍ଚଳିକ ରାଜନୈତିକ ଦଳ ହେଉଛନ୍ତି, ‘ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)’, ‘ତୃଣମୂଳ କଂଗ୍ରେସ’, ‘ଡିଏମ୍‌କେ’, ‘ବିଜୁ ଜନତା ଦଳ (ବିଜେଡି)’ ଓ ‘ୱାଇଆର୍‌ଏସ୍‌ କଂଗ୍ରେସ୍‌’।

କିନ୍ତୁ, ୨୦୨୧-୨୨ରେ ଉପରୋକ୍ତ ୫ ଆଞ୍ଚଳିକ ଦଳ ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ଜରିଆରେ ୧,୩୩୮ କୋଟି ଟଙ୍କା ପାଇଥିଲେ। ଏହି ସମୟରେ ଏକା ‘ବିଆର୍‌ଏସ୍‌’ ବଣ୍ଡ୍‌ ମାଧ୍ୟମରେ ୩.୪ଗୁଣ ଅଧିକ ଚାନ୍ଦା ସଂଗ୍ରହ କରିବାରେ ସମର୍ଥ ହୋଇଥିଲା।

Image Courtesy of The Indian Express

ସଂଗୃହୀତ ତଥ୍ୟ ଅନୁସାରେ, ୨୦୨୨-୨୩ ବର୍ଷରେ ‘ତୃଣମୂଳ କଂଗ୍ରେସ’ ସଂଗ୍ରହ କରିଥିବା ଅର୍ଥର ୯୭% ଆସିଛି ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ମାଧ୍ୟମରେ। ସେହିପରି, ‘ଇଲେକ୍ଟୋରାଲ୍‌ ବଣ୍ଡ୍‌’ ମାଧ୍ୟମରେ ‘ଡିଏମ୍‌କେ’ ୮୬%, ‘ବିଜେଡି’ ୮୪% ‘ୱାଇଏସ୍‌ଆର୍‌ କଂଗ୍ରେସ’ ୭୦% ଓ ‘ବିଆର୍‌ଏସ୍‌’ ୭୧% ଅର୍ଥ ସଂଗ୍ରହ କରିଛନ୍ତି।

ବର୍ଷ ୨୦୨୨-୨୩ ନିମନ୍ତେ ଉପରୋକ୍ତ ୫ ଆଞ୍ଚଳିକ ରାଜନୈତିକ ଦଳ ନିର୍ବାଚନ କମିସନ୍‌ରେ ଯେଉଁ ‘ଅଡିଟ୍‌ ରିପୋର୍ଟ’ ଦାଖଲ କରିଛନ୍ତି ସେଥରୁ ସେମାନଙ୍କ ସମୁଦାୟ ଆୟର ପରିମାଣ ମଧ୍ୟ ଉଲ୍ଲେଖ ଅଛି।

ଏଥିରେ ‘ବିଆର୍‌ଏସ୍‌’ର ଆୟ ୭୩୭.୭ କୋଟି, ‘ତୃଣମୂଳ କଂଗ୍ରେସ’ ୩୩୩.୪ କୋଟି, ‘ଡିଏମ୍‌କେ’ ୨୧୪.୩ କୋଟି, ‘ବିଜେଡି’ ୧୮୧ କୋଟି ଓ ‘ୱାଇଏସ୍‌ଆର୍‌ କଂଗ୍ରେସ୍‌’ ୭୪.୮ କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛନ୍ତି।

ସେଥିରୁ ‘ତୃଣମୂଳ କଂଗ୍ରେସ’ ୧୮୧ କୋଟି, ‘ୱାଇଏସ୍‌ଆର୍‌ କଂଗ୍ରେସ’ ୭୯.୩ କୋଟି, ‘ବିଆର୍‌ଏସ୍‌’ ୫୭.୫ କୋଟି, ‘ଡିଏମ୍‌କେ’ ୫୨.୬ କୋଟି ଓ ‘ବିଜେଡି’ ୯.୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର