ଲୋହିତ ସାଗରରେ ଭାରତଗାମୀ ଜାହାଜକୁ ହାଉଥିଙ୍କ ଅପହରଣ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଅଭିଯୋଗ କରିଛି ଯେ ଦକ୍ଷିଣ ଲୋହିତ ସାଗର ଦେଇ ଭାରତ ଅଭିମୁଖେ ଯାଉଥିବା ଏକ ମାଲବାହୀ ଜାହାଜକୁ ଅପହରଣ କରିବା ପଛରେ ୟେମେନର ଆତଙ୍କବାଦୀ ସଂଗଠନ ହାଉଥିର ହାତ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏ ସଂକ୍ରାନ୍ତରେ ଏକ ବିବୃତି ଜାରି କରି କହିଛି, ଏହା ଇରାନର ଅନ୍ୟ ଏକ ଆତଙ୍କବାଦ କାର୍ଯ୍ୟ ଯାହା ମୁକ୍ତ ବିଶ୍ୱର ନାଗରିକଙ୍କ ବିରୋଧରେ ଇରାନର ଆକ୍ରୋଶ ବୃଦ୍ଧିକୁ ସୂଚାଉଛି ଏବଂ ଏହା ବିଶ୍ୱ ଜାହାଜ ଚଳାଚଳ ମାର୍ଗର ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହାଉଥିମାନେ ଏକ ବିବୃତି ଜାରି କରି କହିଛନ୍ତି ଯେ, ସେମାନେ ଜାହାଜକୁ ଅପହରଣ କରିଛନ୍ତି ଏବଂ ସେଥିରେ ଥିବା ଲୋକଙ୍କ ସହ ‘ଇସଲାମିକ ନୀତି ଓ ମୂଲ୍ୟବୋଧ’ ଅନୁଯାୟୀ ବ୍ୟବହାର କରାଯିବ। ଏହି ଜାହାଜଗୁଡ଼ିକ ଏକ ବ୍ରିଟିସ କମ୍ପାନିର ମାଲିକାନାରେ ଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ଏହାକୁ ଇସ୍ରାଏଲର ବୋଲି ବର୍ଣ୍ଣନା କରିଛନ୍ତି।

ତେହେରାନର ସହଯୋଗୀ ହାଉଥିମାନେ ଗାଜାପଟିରେ ଲଢୁଥିବା ହମାସ୍‌ ଆତଙ୍କବାଦୀଙ୍କ ପ୍ରତି ସମର୍ଥନ ଜଣାଇ ଇସ୍ରାଏଲ ଉପରକୁ ଲମ୍ବା ଦୂରତାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରୁଛନ୍ତି। ସେମାନଙ୍କର ଅଧିକାଂଶ କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଥିବା ବେଳେ ଜାହାଜ ଅପହରଣ କରି ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଚାହୁଛନ୍ତି। ୧୯୯୦ ଦଶକର ଶେଷ ଭାଗରେ ହାଉଥି ଆନ୍ଦୋଳନ ଆରମ୍ଭ ହୋଇଥିଲା, ଯେତେବେଳେ ବିଦ୍ରୋହୀ ପରିବାର ଏକଦା ୟେମେନରେ ଶାସନ କରୁଥିବା ସିଆ ଇସଲାମର ଜାଏଦି ସମ୍ପ୍ରଦାୟର ସମର୍ଥନରେ ବାହାରିଥିଲେ। କିନ୍ତୁ ସମୟକ୍ରମେ ସେମାନଙ୍କର ସମ୍ପତ୍ତି ହରାଇ ଗରିବ ଓ ଅବହେଳିତ ହୋଇଯାଇଥିଲେ। ହାଉଥିମାନେ ୟେମେନ୍ ସରକାରଙ୍କ ସହ ଏକାଧିକ ଥର ମୁହାଁମୁହିଁ ହୋଇଥିଲେ, ଯାହା ଫଳରେ ସାଉଦି ଆରବ ସୀମାରେ ଦୀର୍ଘ ସମୟ ଧରି ଯୁଦ୍ଧ ଏବଂ ସଂକ୍ଷିପ୍ତ ସଂଘର୍ଷ ଲାଗି ରହିଥିଲା। ହମାସ୍‌ ବିରୋଧରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପରଠାରୁ ବିଦ୍ରୋହୀ ସଂଗଠନ ପାଲେଷ୍ଟାଇନ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ସହ ଇସ୍ରାଏଲ ବିରୋଧରେ ଏକାଧିକ ଆକ୍ରମଣ କରୁଛି।

ଭାରତ ଅଭିମୁଖେ ଯାଉଥିବା ଏହି ମାଲବାହୀ ଜାହାଜ ଏକ ବ୍ରିଟିସ କମ୍ପାନିର ମାଲିକାନାରେ ଅଛି ଏବଂ ଏହା ଜାପାନୀମାନଙ୍କ ଦ୍ୱାରା ପରିଚାଳିତ। କିନ୍ତୁ ହାଉଥିମାନେ କହୁଛନ୍ତି ଯେ ଜାହାଜଟି ଇସ୍ରାଏଲର ଯାହାକୁ ଅପହରଣ ପରେ ଟେଲ୍‌ ଅଭିଭ୍‌ ଅସ୍ବୀକାର କରିଛି। ଏହି ଜାହାଜକୁ ଏବେ ୟେମେନର ବନ୍ଦରକୁ ନିଆଯାଇଛି ବୋଲି ବିଦ୍ରୋହୀ ଗୋଷ୍ଠୀ ନିଶ୍ଚିତ କରିଛନ୍ତି। ଜାହାଜରେ କୌଣସି ଇସ୍ରାଏଲୀ ନ ଥିଲେ। ଏଥିରେ ଥିବା ୨୫ ଜଣ କ୍ରୁ ମେମ୍ବର ୟୁକ୍ରେନ, ବୁଲଗେରିଆ, ଫିଲିପାଇନ୍ସ ଏବଂ ମେକ୍ସିକୋ ସମେତ ଏକାଧିକ ଦେଶର ନାଗରିକ। ହାଉଥିମାନେ କହିଛନ୍ତି ଯେ ଇସ୍ରାଏଲ ସହ ଏହାର ଲିଙ୍କ୍ ଥିବା କାରଣରୁ ଜାହାଜକୁ ଅପହରଣ କରାଯାଇଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜାହାଜର ମାଲିକାନା ବିବରଣୀ ଏହାର ମାଲିକଙ୍କୁ ଇସ୍ରାଏଲର ଅନ୍ୟତମ ଧନୀ ବ୍ୟକ୍ତି ଆବ୍ରାହମ ରାମି ଉଙ୍ଗରଙ୍କ ଦ୍ୱାରା ପ୍ରତିଷ୍ଠିତ ରେ କାର୍ କ୍ୟାରିୟର୍ସ ନାମକ ଏକ କମ୍ପାନି ସହିତ ଯୋଡ଼ିଛି। ହାଉଥିଙ୍କ ପକ୍ଷରୁ ଅପହରଣ କରାଯାଇଥିବା ଜାହାଜର ଭିଡିଓ ଜାରି କରାଯାଇଛି।

ସମ୍ବନ୍ଧିତ ଖବର