ଗାଜା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କଲା ଭାରତ: ବିନା ସର୍ତ୍ତରେ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତି ପାଇଁ ଦାବି

ଜେନେଭା: ମିଳିତ ଜାତିସଂଘରେ ଭାରତ ଉଦବେଗ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଗତ ପାଞ୍ଚ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗାଜାର ପରିସ୍ଥିତିକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି।

ଗାଜା ସଙ୍କଟ ସମ୍ପର୍କରେ ୟୁଏନଜିଏ ସମ୍ମିଳନୀରେ ରୁଚିରା କହିଛନ୍ତି ଗାଜାରେ ଚାଲିଥିବା ଯୁଦ୍ଧକୁ ନେଇ ଭାରତ ଚିନ୍ତିତ। ଏହି ଯୁଦ୍ଧ ଯୋଗୁ ସେଠାରେ ମାନବିକ ସଙ୍କଟ ଆହୁରି ଗଭୀର ହୋଇଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାଧାରଣ ନାଗରିକ, ବିଶେଷ କରି ମହିଳା ଏବଂ ଶିଶୁଙ୍କର ବ୍ୟାପକ କ୍ଷତି ଘଟିଛି, ଯାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।

ଯୁଦ୍ଧରେ ନିହତ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏଥିସହ ଆତଙ୍କବାଦ ବିରୋଧରେ ଭାରତର ନୀତି ସବୁବେଳେ ସ୍ପଷ୍ଟ। ଆମେ ସମସ୍ତ ବନ୍ଧକଙ୍କୁ ତୁରନ୍ତ ଏବଂ ବିନା ସର୍ତ୍ତରେ ମୁକ୍ତ କରିବାକୁ ଦାବି କରୁଛୁ। ଏହି ଯୁଦ୍ଧ ବନ୍ଦ ହେବା ସହ ଗାଜାବାସୀଙ୍କୁ ତୁରନ୍ତ ମାନବିକ ସହାୟତା ପ୍ରଦାନ କରିବା ଜରୁରୀ । ଦ୍ବିପାକ୍ଷିକ ସମାଧାନକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଭାରତ ଗାଜାର ସାଧାରଣ ଜନତାଙ୍କ ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରୁଛି। ସେମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଜରୁରୀ। ବି‌ଶେଷ ଭାବେ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ନିନ୍ଦନୀୟ ବୋଲି ରୁଚିରା କହିଛନ୍ତି।

ସମ୍ବନ୍ଧିତ ଖବର