କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

ଓଟାୱା: କାନାଡ଼ାରେ ପଢ଼ୁଥିବା ହରିୟାଣା ସୋନିପତର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଏପ୍ରିଲ ୧୨ ତାରିଖରେ ଭାନ୍‌କୁଭରରେ ଗୁଳିକରି ହତ୍ୟା କରାଯାଇଛି । ଛାତ୍ର ଜଣକ ନିଜ ଅଡି କାର୍‌ରେ ଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା ପୁଲିସ ରିପୋର୍ଟରୁ ଜଣାପଡ଼ିଛି। ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଘରକୁ ଆଣିବା ଏବଂ ନ୍ୟାୟ ଦେବା ବ୍ୟବସ୍ଥା କରିବାକୁ ପରିବାର ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏକ ବିବୃତିରେ ଭାନ୍‌କୁଭର ପୁଲିସ କହିଛି ଯେ ସ୍ଥାନୀୟ ବାସିନ୍ଦାମାନେ ଗୁଳି ଶବ୍ଦ ଶୁଣିବା ପରେ ଏକ କାର୍ ଭିତରେ ଭାରତୀୟ ଛାତ୍ର ଚିରାଗ ଆଣ୍ଟିଲଙ୍କ ମୃତଦେହ ଦେଖିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଭାରତୀୟ ସମୁଦାୟ ଏହି ହତ୍ୟାକାଣ୍ଡର ନିନ୍ଦା କରିବା ସହ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁତ୍ବାରୋପ କରିଛି।

ଚିରାଗ ଏମ୍‌ବିଏ କରିବା ପାଇଁ ୨୦୨୨ରେ ଷ୍ଟଡି ଭିସାରେ ଭାନ୍‌କୁଭର ଆସିଥିଲେ। ଆଜି ମୃତ ଛାତ୍ରଙ୍କ ପରିବାର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିବା ସହ ଅନ୍ତିମ ସଂସ୍କାର ନିମନ୍ତେ ମୃତଦେହକୁ ଭାରତ ଆଣିବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଚିରାଗଙ୍କ ଭାଇ ରୋନିତ କହିଛନ୍ତି ଯେ ସେ ୧୨ ତାରିଖ ସକାଳେ ତାଙ୍କ ସହ କଥା ହୋଇଥିଲେ। ଚିରାଗଙ୍କର କୌଣସି ସମସ୍ୟା ନଥିଲା କିମ୍ବା କାହା ସହିତ ତାଙ୍କର ଶତ୍ରୁତା ଥିବା ନେଇ କୌଣସି ସୁରାକ୍‌ ମିଳିନଥିଲା ବୋଲି ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କାନାଡ଼ାର ଚରମପନ୍ଥୀ ଗୋଷ୍ଠୀଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର