ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଉଛି ଇରାନ

ତେହେରାନ : ମାସା ଅମିନିଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ବି ଇରାନରେ ଆନ୍ଦୋଳନ ଜାରି ରହିଛି । ତେବେ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଇରାନ ସରକାର ଆନ୍ଦୋଳନକାରୀଙ୍କ ଉପରେ ଭୟଙ୍କର ଦମନଲୀଳା ଚଳାଇଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଆଖିମୁଜା ଗୁଳି ଚଳାଉଥିବାବେଳେ ଏବେ ସେମାନଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦିଆଯାଉଛି ।

ମଙ୍ଗଳବାରଦିନ ଇରାନର ରିଭୋଲ୍ୟୁସନାରୀ କୋର୍ଟ ଜଣେ ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟ ନିଜ ରାୟରେ କହିଛନ୍ତି ଯେ ଅଭିଯୁକ୍ତ ହେଉଛି ଇଶ୍ବରଙ୍କ ଶତ୍ରୁ ଓ ସେ ଅସ୍ତ୍ରଧରି ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି ।

ଗତ ରବିବାରଦିନ ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳନକାରୀକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେ ଇଶ୍ବରଙ୍କ ଶତ୍ରୁ, ଦୁର୍ନୀତିଗ୍ରସ୍ତ ଓ ଜାତୀୟ ସୁରକ୍ଷା ପାଇଁ ବିପଦ ଦର୍ଶାଇ ତାକୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଇରାନ ଆଇନ ଅନୁସାରେ ଇଶ୍ବରଙ୍କ ଶତ୍ରୁ ହେବା ସବୁଠାରୁ ବଡ଼ ଅପରାଧ । ଇରାନରେ ଫାଶୀଖୁଣ୍ଟରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯାଏ । ବେଳେବେଳେ ସର୍ବସାଧାରଣ ସ୍ଥାନରେ ବି ଫାଶୀଖୁଣ୍ଟରେ ଝୁଲାଇଦିଆଯାଏ ।

ଅନ୍ୟପକ୍ଷରେ ଗତ ରବିବାର ଆଉ ୫ ଜଣ ଆନ୍ଦୋଳନକାରୀଙ୍କୁ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇଥିଲା । ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ଇରାନ ସରକାର ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସ ୨ୟ ସପ୍ତାହରେ ଇରାନର ରାଜଧାନୀ ତେହେରାନ ବୁଲିବାକୁ ଆସିଥିବା ମାସା ଅମିନି ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୁଲିସ ( ଧାର୍ମିକ ବ୍ୟାପାର ସଂପର୍କିତ ପୁଲିସ) ଗିରଫ କରିଥିଲା । ହାଜତରେ ତାଙ୍କୁ ପ୍ରବଳ ମାଡ଼ ମରାଯିବା ପରେ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର