ଜଜଙ୍କ ଉପରକୁ ଜୋତା ଫିଙ୍ଗି ଅଡ଼ୁଆରେ ଓକିଲ, ଯିବାକୁ ପଡ଼ିବ ଜେଲ୍

ନୂଆଦିଲ୍ଲୀ: ଗତ ଜାନୁଆରୀ ୨୨ ତାରିଖରେ କୋର୍ଟରେ ଶୁଣାଣି ବେଳେ ଜଣେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଥିବା ଜଣେ ଓକିଲଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ଓକିଲଙ୍କୁ ଇନ୍ଦୋର ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନଥିଲା । ଫଳରେ ସେ ଆଶ୍ବସ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ଯାହା ପରେ ଓକିଲଙ୍କୁ କୋତୱାଲି ଥାନାରେ ଆତ୍ମସମର୍ପଣ କରିବାକୁ ପଡିବ ।

ଲ’ ଟ୍ରେଣ୍ଡରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଥମ ଜିଲ୍ଲା ଓ ସେସନ୍ ଜଜଙ୍କ କୋର୍ଟରେ ଏହି ଘଟଣା ଘଟିଛି। ଜଣେ ଓକିଲ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଥିବା ଅଭିଯୋଗ ହେବା ପରେ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଥିଲା। ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିବାପରେ ବିବାଦ ସୃଷ୍ଟି ହୋଇଥିଲା  ତାଙ୍କ ନାମରେ ପୁଲିସରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ଓକିଲ ତୁରନ୍ତ ଫେରାର ହୋଇଯାଇଥିଲେ । ତାଙ୍କୁ ଧରିବାରେ ସାହାଯ୍ୟ କରିପାରୁଥିବା ସୂଚନା ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଇନଜୀବୀ ଅତୁଲ ଇନ୍ଦୋର ହାଇକୋର୍ଟଙ୍କୁ ଆଶ୍ୱସ୍ତି ମାଗିବା ପରେ କୋର୍ଟ ତାଙ୍କୁ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓକିଲ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ। ଏବେ ସୁପ୍ରିମକୋର୍ଟ ତାଙ୍କ ପିଟିସନକୁ ଖାରଜ କରିବା ପରେ ତାଙ୍କ ଜେଲ ଯିବା ନିଶ୍ଚିତ ହୋଇଯାଇଛି ।

 

ସମ୍ବନ୍ଧିତ ଖବର