ମଣିପୁର ପ୍ରସଙ୍ଗରେ କେନ୍ଦ୍ର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟର ମତିଗତି ସାଧାରଣ ଲୋକେ ବୁଝିପାରୁନାହାନ୍ତି। ଯୁବବର୍ଗ ଉତ୍ତେଜିତ ହୋଇ ସାମାଜିକ ଗଣମାଧ୍ୟମରେ ୟାଡୁସ୍ୟାଡୁ ମଧ୍ୟ ଲେଖୁଛନ୍ତି। ହେଲେ ସରକାର ଗାଢ଼ ନିଦ୍ରାରେ। ଦୁଇମାସ ହୋଇଗଲା, ମଣିପୁର ହିଂସା ଥମୁନାହିଁ କି ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି। ଠିକ୍ ସେମିତି, ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାର କାହିଁକି ହସ୍ତକ୍ଷେପ କରିବାକୁ ଅନିଚ୍ଛୁକ, ତା’ର କାରଣ ମଧ୍ୟ କେହି କିଛି ବୁଝିପାରୁନାହାନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ଏହି ପ୍ରସଙ୍ଗରେ ଏ କି ନିରବତା ବୁଝାପଡ଼ୁନି।
ତେଣେ ଯିଏ ଯାହା ପାରୁଛି ଗପୁଛି। କିଏ କହୁଛି, ରତ୍ନଭଣ୍ଡାରରେ କାଳସର୍ପ ଅଛନ୍ତି। ଆଉ କିଏ ପୁଣି କହୁଛି, ଭଣ୍ଡାର କୁଆଡ଼େ ଖାଲି ସେଇ ହଜିଯାଇଥିବା ଚାବିରେ ହିଁ ଖୋଲିବ। ମନ୍ତ୍ରୀଙ୍କ ଉତ୍ତର ତ ଆହୁରି ହାସ୍ୟାସ୍ପଦ। ମୁଁ ଯାହା ଜାଣିଛି, ରତ୍ନଭଣ୍ଡାରର ଚାବି କୋଉଠି ଅଛି ଆମେ ଜାଣିନୁ। କିଛି ପ୍ରସଙ୍ଗରେ ନିରବତା ହିଁ ଶ୍ରେଷ୍ଠ ନୀତି ବୋଲି କୁହାଯାଏ। ଗତ ନବମ ଦଶକରେ ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରିତ୍ବ ବେଳେ ଏପରି ଅଭିଯୋଗ ଆସୁଥିଲା। ଯଦି ମୋଦୀ ଓ ନବୀନ ଉପରୋକ୍ତ ଦୁଇ ପ୍ରସଙ୍ଗରେ ସେପରି ନୀତି ଜାଣିଶୁଣି ଆପଣେଇଥିବେ ତ କାହାର କିଛି କହିବାର ନାହିଁ। କିନ୍ତୁ କେଜାଣି କାହିଁକି ଏପରି ନିରବତାକୁ ଆଦୌ ଗ୍ରହଣ କରିହେଉ ନାହିଁ। ଚୁଟୁକି ଫୁଟା କାମକୁ ହେଳା କରି ଅଯଥା କ୍ଷତବିକ୍ଷତ ହେବା ଆଦୌ ବୁଦ୍ଧିମାନର କାମ ନୁହେଁ।