ରାହୁଲ୍‌ ଗାନ୍ଧୀଙ୍କ ସୁରତ ଗସ୍ତ ଅଦାଲତଙ୍କୁ ଚାପଗ୍ରସ୍ତ କରିବା ଲାଗି ହାସ୍ୟାସ୍ପଦ ପ୍ରଚେଷ୍ଟା: ‘ବିଜେପି’

ନୂଆଦିଲ୍ଲୀ: ୨୦୧୯ ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରିବା ପାଇଁ ଆଜି ବ୍ୟକ୍ତିଗତ ଭାବେ ସୁରତ ସେସନ୍‌ ଅଦାଲତରେ ‌ହାଜର ହେବାକୁ ଆସୁଥିବା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ‘ବିଜେପି’ କହିଛି ଯେ, ଅଦାଲତଙ୍କୁ ଚାପଗ୍ରସ୍ତ କରିବା ଲାଗି ଏହା ରାହୁଲ୍‌ଙ୍କର ହାସ୍ୟାସ୍ପଦ ପ୍ରଚେଷ୍ଟା।

ଟୁଇଟ୍‌ କରି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ଲେଖିଛନ୍ତି: ଆବେଦନ କରିବା ଲାଗି ରାହୁଲ୍‌ ଗାନ୍ଧୀ ବୋଧହୁଏ ସୁରତ ଯିବେ। ଆବେଦନ ପତ୍ର ଦାଖଲ କରିବା ଲାଗି ଜଣେ ଦୋଷୀ ବ୍ୟକ୍ତିଗତ ଭାବେ ଯିବା ଅନାବଶ୍ୟକ। ସାଧାରଣତଃ, କୌଣସି ଦୋଷୀ ବ୍ୟକ୍ତିଗତ ଭାବେ ଯାଆନ୍ତିନାହିଁ। ଦଳେ ନେତା ଓ ସହଯୋଗୀଙ୍କୁ ସାଥିରେ ଧରି ବ୍ୟକ୍ତିଗତ ଭାବେ ଯିବା ଗୋଟାଏ ଡ୍ରାମା ଛଡ଼ା ଅନ୍ୟ କିଛି ନୁହେଁ।

ରାହୁଲ୍‌ ଗାନ୍ଧୀ ଯାହା କରୁଛନ୍ତି ତାହା ହେଉଛି ଅଦାଲତଙ୍କ ଉପରେ ଚାପ ପକାଇବାକୁ ହାସ୍ୟାସ୍ପଦ ପ୍ରଚେଷ୍ଟା। ଦେଶର ସମସ୍ତ ଅଦାଲତ ଏଭଳି କୌଶଳରୁ ସୁରକ୍ଷିତ ଅଛନ୍ତି ବୋଲି ଅନ୍ୟ ଏକ ଟୁଇଟ୍‌ରେ ରିଜିଜୁ କହିଛନ୍ତି।

Image Courtesy of India Today

କିନ୍ତୁ, ରାହୁଲ୍‌ଙ୍କ ସହିତ ସୁରତ ଯିବା କଥାକୁ ସାମର୍ଥ୍ୟ ପ୍ରଦର୍ଶନ ବୋଲି ଅସ୍ବୀକାର କରି କଂଗ୍ରେସ କହିଛି ଯେ, ନୈତିକ ସମର୍ଥନ ଦେବା ପାଇଁ ସେମାନେ ସୁରତ ଗସ୍ତ କରୁଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏଇଟା ସାମର୍ଥ୍ୟ ପ୍ରଦର୍ଶନ କଥା ନୁହେଁ। ସେ ଦେଶ ପାଇଁ ସଂଗ୍ରାମ କରୁଛନ୍ତି। ଏଇ ସଂଗ୍ରାମରେ ସେମାନେ ତାଙ୍କୁ ସହାୟକ ହେବାକୁ ତାଙ୍କ ସହିତ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ଉକ୍ତ ମାନହାନି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା କରିଥିବା ସୁରତ ଜିଲ୍ଲା ଅଦାଲତଙ୍କ ରାୟକୁ ଚାଲେଞ୍ଜ୍‌ କରିବା ଲାଗି ସେ ଆଜି ଅପରାହ୍ଣରେ ସୁରତ ସେସନ୍‌ ଅଦାଲତରେ ଆବେଦନ କରିବେ।

ଏଥିପାଇଁ ରାହୁଲ୍‌ ଗାନ୍ଧୀଙ୍କ ସହିତ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର୍‌ ସିଂହ, କଂଗ୍ରେସ ରାଜ୍ୟସଭା ସଦସ୍ୟ କେ. ସି. ବେଣୁଗୋପାଳ ଆଦି ବହୁ ବିଶିଷ୍ଟ ନେତା ସୁରତ ଯାତ୍ରା କରିବେ।

ରାହୁଲ୍‌ଙ୍କ ଆଗମନ ପାଇଁ ସୁରତ ନଗରୀରେ ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ସୋନିଆ ଗାନ୍ଧୀଙ୍କ ଫଟୋଥିବା ପୋଷ୍ଟର୍‌ ବାଟଘାଟରେ ଲଗାଯାଇଛି।

ସମ୍ବନ୍ଧିତ ଖବର