ରୁଷରେ ଆତଙ୍କବାଦୀ ଆକ୍ରମଣ: ୯୦ରୁ ଅଧିକ ମୃତ, ସମସ୍ତ ୪ ବନ୍ଧୁକଧାରୀଙ୍କ ସମେତ ୧୧ଗିରଫ

ମସ୍କୋ: ମସ୍କୋର ଏକ କନସର୍ଟ ହଲରେ ଅଜ୍ଞାତ ବନ୍ଧୁକଧାରୀମାନେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ ଅତି କମରେ ୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪୫ ଜଣ ଆହତ ହୋଇଛନ୍ତି ବୋଲି ରୁଷିଆ କର୍ତ୍ତୃପକ୍ଷ କହିଛନ୍ତି। ରୁଷିଆର ବ୍ରାୟନ୍‌ସ୍କ ଅଞ୍ଚଳରେ ଏକ କାର୍‌ର ପିଛା କରିବା ପରେ ପୁଲିସ ଏହି ଘଟଣାରେ ସଂପୃକ୍ତ ୧୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ଇସ୍ଲାମିକ ଷ୍ଟେଟ୍‌ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି କହିଛି ଯେ ମସ୍କୋ ଉପକଣ୍ଠରେ ଏକ ବିଶାଳ ସମାବେଶ ଉପରେ ଏହାର ଲଢୁଆମାନେ ଆକ୍ରମଣ କରିଥିଲେ ଏବଂ ସୁରକ୍ଷିତ ଭାବେ ନିଜ ଘାଟିକୁ ଫେରି ଆସିଥିଲେ।

କ୍ୟାମୋଫ୍ଲାଜ୍‌ ୟୁନିଫର୍ମ ପିନ୍ଧିଥିବା ଆକ୍ରମଣକାରୀମାନେ କୋଠା ଭିତରକୁ ପଶି ଗୁଳି ଚଳାଇବା ସହ ଗ୍ରେନେଡ୍‌ କିମ୍ବା ବୋମା ଫିଙ୍ଗିଥିଲେ। ଭିଡିଓରେ ହଲରୁ ନିଆଁ ଓ କଳା ଧୂଆଁ ବାହାରୁଥିବାର ଚିତ୍ର ଦେଖିବାକୁ ମିଳିଛି। ୩ଟି ହେଲିକପ୍ଟର ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଥିଲା। ହଜାର ହଜାର ଲୋକ ବସି ପାରୁଥିବା ଏହି ବିଶାଳ କନସର୍ଟ ହଲ୍‌ରେ ଅନ୍ତର୍ଜାତୀୟ କଳାକାରମାନଙ୍କୁ ନେଇ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।

ଆତଙ୍କବାଦୀଙ୍କ ଗୁଳିମାଡ଼ରୁ ବର୍ତ୍ତିବା ପାଇଁ ବହୁ ଲୋକ ହଲ୍‌ର ସିଟ୍‌ ପଛରେ ଲୁଚି ରହିଥିଲେ କିମ୍ବା ବେସମେଣ୍ଟ କିମ୍ବା ଛାତର ପ୍ରବେଶ ଦ୍ୱାର ଆଡ଼କୁ ଦୌଡ଼ି ଆସିଥିଲେ। ରୁଷ୍‌ର ଜରୁରୀକାଳୀନ ମନ୍ତ୍ରାଳୟ କହିଛି ଯେ ନିଆଁକୁ ଆୟତ୍ତ କରାଯାଇଛି।

ୟୁରୋପୀୟ ସଂଘ, ଫ୍ରାନ୍‌ସ, ସ୍ପେନ୍‌ ଓ ଇଟାଲୀ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଆମେରିକା ଏହି ଆକ୍ରମଣକୁ ଭୟାନକ ବୋଲି କହିବା ସହ ୟୁକ୍ରେନରେ ସଂଘର୍ଷ ସହ ଏହି ଘଟଣାର କୌଣସି ସଙ୍କେତ ମିଳି ନଥିବା କହିଛି।
ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି ଯେ ଏହି ଆକ୍ରମଣ ସହିତ କିଭ୍‌ର କୌଣସି ସମ୍ପର୍କ ନାହିଁ, କିନ୍ତୁ ଏହାର ସାମରିକ ଗୁଇନ୍ଦା ବିଭାଗ ଏହି ଘଟଣାକୁ ରୁଷୀୟ ଉତ୍ତେଜନା ବୋଲି କହିଛି ଏବଂ ଏହା ପଛରେ ମସ୍କୋର ସ୍ୱତନ୍ତ୍ର ସେବାର ହାତ ଥିବା ଅଭିଯୋଗ କରିଛି। ଆକ୍ରମଣର ଦୁଇ ସପ୍ତାହ ପୂର୍ବରୁ ଆମେରିକା ଦୂତାବାସ କହିଥିଲା ଯେ ମସ୍କୋରେ ସମାବେଶ ସମେତ ଜନସମାଗମକୁ ଉଗ୍ରବାଦୀମାନେ ଟାର୍ଗେଟ କରିବାର ଆଶଙ୍କା ରହିଛି।

କ୍ରେମଲିନ୍‌ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍‌ କହିଛନ୍ତି ଯେ ମସ୍କୋ ନିକଟସ୍ଥ କ୍ରୋକସ୍‌ ସିଟି ହଲ୍‌ କନସର୍ଟରେ ହୋଇଥିବା ଗୁଳିକାଣ୍ଡ ସମ୍ପର୍କରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନିୟମିତ ଅପଡେଟ୍‌ ଦିଆଯାଉଛି। ରାଷ୍ଟ୍ରପତି ପୁଟିନ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ରୁଷର ଉପପ୍ରଧାନମନ୍ତ୍ରୀ ତାତ୍ୟାନା ଗୋଲିକୋଭା କହିଛନ୍ତି ଯେ ରାଷ୍ଟ୍ରପତି ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଆମର ସମବେଦନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ସହିତ ରହିଛି। ଦୁଃଖର ଏହି ମୁହୂର୍ତ୍ତରେ ଭାରତ ସରକାର ଏବଂ ରୁଷୀୟ ସଂଘର ଜନସାଧାରଣଙ୍କ ସହ ଏକଜୁଟ ହୋଇ ଛିଡ଼ା ହୋଇଛି’।

ସମ୍ବନ୍ଧିତ ଖବର