ହଜିଲା କୁକୁରକୁ ଖୋଜିବା ପାଇଁ ଲଣ୍ଡନ୍‌ରୁ ବିମାନରେ ମିରଟ ଆସିଲେ ଯୁବତୀ

ମିରଟ: ଗୋଟାଏ ପୋଷା କୁକୁର ନିରୁଦ୍ଦିଷ୍ଟ ହୋଇଯିବାରୁ ତାକୁ ଖୋଜିବା ପାଇଁ ପିତାମାତାଙ୍କୁ ସାହାଯ୍ୟ କରିବା ଲାଗି ଲଣ୍ଡନ୍‌ରୁ ଜଣେ ଯୁବତୀ ବିମାନ ଯୋଗେ ଆସି ମିରଟରେ ପହଞ୍ଚିଛନ୍ତି।

ସଂଗୃହୀତ ତଥ୍ୟ ଅନୁସାରେ, ବ୍ୟବସାୟୀ ଦିନେଶ ଚନ୍ଦ୍ର ମିଶ୍ରାଙ୍କ ପୋଷା କୁକୁର ‘ଅଗଷ୍ଟ’ ସେପ୍ଟେମ୍ବର ୨୪ ତାରିଖରୁ ମିରଟ୍‌ର ଜିମ୍‌ଖାନା ପଡ଼ିଆରୁ ହଜିଯାଇଥିଲା। ହଜିଲା କୁକୁରକୁ ଖୋଜିବା ପାଇଁ ପିତାମାତାଙ୍କୁ ସାହାଯ୍ୟ କରିବା ଲାଗି ଇଂଲଣ୍ଡରେ କାମ କରୁଥିବା କନ୍ୟା ମେଘା ମିଶ୍ରା ଅକ୍ଟୋବର ପହିଲାରେ ଆସି ମିରଟ ସହରରେ ପହଞ୍ଚିଥିଲେ।

ହଜିଲା କୁକୁରକୁ ଖୋଜି ଆଣି ଦେଲେ ୧୫,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ମଧ୍ୟ ମିଶ୍ରା ପରିବାର ଘୋଷଣା କରିଛି।

Image Courtesy of Times Now

ନିରୁଦ୍ଦିଷ୍ଟ ଖବର ପ୍ରସାରଣ ନିମନ୍ତେ କୁକୁର ‘ଅଗଷ୍ଟ’ର ଫଟୋ ଓ ପୁରସ୍କାର ରାଶି ଉଲ୍ଲେଖ ଥିବା କେତେଗୁଡ଼ିଏ ପୋଷ୍ଟର୍‌ ମଧ୍ୟ ଲାଲ୍‌ କୁର୍ତ୍ତୀ, ୱେଷ୍ଟର୍ଣ୍ଣ ରୋଡ୍‌ ସମେତ କେତେକ ସ୍ଥାନରେ ଲଗାଯାଇଛି। ଉକ୍ତ ୮ ବର୍ଷିୟ କୁକୁରଟି ମିଶ୍ରିତ ଜାତିର ଏବଂ ସେପ୍ଟେମ୍ବର ୨୪ ତାରିଖ ଦିନ ଥିଲା ତା’ର ଶେଷ ଦେଖା।

କୁକୁର ସନ୍ଧାନ କରିବା ନିମନ୍ତେ କରାଯାଇଥିବା କେତେଗୁଡ଼ିଏ ଉଦ୍ୟମ ମଧ୍ୟରେ ରହିଛି ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌। କୁକୁର ‘ଅଗଷ୍ଟ’ର ଫଟୋ ସହିତ ବାପାଙ୍କ ମୋବାଇଲ୍‌ ନମ୍ବରକୁ ମେଘା କେତେକ ହ୍ବାଟ୍‌ସ୍‌ଆପ୍‌ ଗ୍ରୁପ୍‌ରେ ସେୟାର୍‌ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।

ଆଉ ସପ୍ତାହେ କିଂବା କୁକୁରର ସନ୍ଧାନ ମିଳିବାଯାଏଁ ସେ ଦେଶରେ ରହିବେ ବୋଲି ମେଘା କହିଛନ୍ତି।

ସମ୍ବନ୍ଧିତ ଖବର