ଆରଟିଆଇ ତଥ୍ୟ: ରାଜ୍ୟସଭା ସାଂସଦଙ୍କ ଦରମା, ଭତ୍ତା ଖର୍ଚ୍ଚ ୨୦୦ କୋଟି

ନୂଆଦିଲ୍ଲୀ  : ଗତ ୨ ବର୍ଷ ମଧ୍ୟରେ ରାଜ୍ୟସଭା ସାଂସଦଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ବାବଦରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭା ସାଂସଦଙ୍କ ଯାତ୍ରା ବାବଦରେ କେବଳ ୬୩ କୋଟି ଖର୍ଚ୍ଚ ହୋଇଛି। କରୋନା ମହାମାରୀ ପରେ ୨୦୨୧-୨୨ରେ ରାଜ୍ୟସଭା ସାଂସଦଙ୍କ ପାଇଁ ରାଜ‌କୋଷରୁ ୯୭ କୋଟି ଖର୍ଚ୍ଚ ହୋଇଥିଲା। ଏଥିରୁ ସାଂସଦଙ୍କ ଘରୋଇ ଯାତ୍ରା ପାଇଁ ୨୮.୫ କୋଟି ଖର୍ଚ୍ଚ ହୋଇଥିବାବେଳେ ଅନ୍ତର୍ଜାତୀୟ ଯାତ୍ରା ବାବଦରେ ୧.୨୮ କୋଟି, ଦରମା ବାବଦରେ ୫୭.୬ କୋଟି, ମେଡିକାଲ ବିଲ୍‌ ବାବଦରେ ୧୭ ଲକ୍ଷ ଏବଂ ଅଫିସ ଖର୍ଚ୍ଚ ପାଇଁ ୭.୫ କୋଟି ଖର୍ଚ୍ଚ ହୋଇଛି।

ଏହାବାଦ ସାଂସଦମାନଙ୍କୁ ଆଇଟି ସହାୟତା ଦେବାପାଇଁ ୧.୨ କୋଟି ଖର୍ଚ୍ଚ ହୋଇଛି। ୨୦୨୨-୨୩ ମଧ୍ୟ‌ରେ ସାଂସଦମାନଙ୍କ ପାଇଁ ମୋଟ୍‌ ୧୦୦ କୋଟି ଖର୍ଚ୍ଚ ହୋଇଛି। ଏଥିରୁ ଘରୋଇ ଏବଂ ବିଦେଶ ଯାତ୍ରା ପାଇଁ ୩୩ କୋଟି ଖର୍ଚ୍ଚ ହୋଇଛି। ଆରଟିଆଇ ଅଧୀନରେ ମଧ୍ୟପ୍ରଦେଶର ଚାନ୍ଦେର ଶେଖର ଗୌରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭା ସଚିବାଳୟ ଆଜି ଏହି ସୂଚନା ଦେଇଛନ୍ତି। ରାଜ୍ୟସଭା ସଚିବାଳୟ ଅନୁଯାୟୀ ୨୦୨୨-୨୩ରେ ରାଜ୍ୟସଭା ସାଂସଦଙ୍କ ଦରମା ବାବଦକୁ ୫୮.୫ କୋଟି ଖର୍ଚ୍ଚ ହୋଇଥିବାବେଳେ ଘରୋଇ ଯାତ୍ରା ପାଇଁ ୩୦.୯ କୋଟି ଏବଂ ବିଦେଶ ଯାତ୍ରା ପାଇଁ ୨.୬ କୋଟି ଖର୍ଚ୍ଚ ହୋଇଛି। ସାଂସଦଙ୍କ ମେଡିକାଲ ଚିକିତ୍ସା ବାବଦରେ ୬୫ ଲକ୍ଷ ଅଫିସ ଖର୍ଚ୍ଚ ପାଇଁ ୭ କୋଟି ଏବଂ ଆଇଟି ସର୍ଭିସ ପାଇଁ ୧.୫ କୋଟି ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର