ଘର ସାମ୍ନାରେ ଛିଡ଼ା ହୋଇଥିବା ଶିଶୁ ଉପରେ ଆକ୍ରମଣ କରି ତା’ଉପରେ ବସିପଡ଼ିଲା ଷଣ୍ଢ

ନୂଆଦିଲ୍ଲୀ: ରାସ୍ତାରେ ବୁଲୁଥିବା ପଶୁ ଓ ପକ୍ଷୀଙ୍କୁ ନେଇ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଛି। କୁହାଯାଏ କି ପଶୁପକ୍ଷୀଙ୍କୁ ଆଘାତ ନଦେଲେ ସେମାନେ ମଣିଷ ଉପରେ କୌଣସି ପ୍ରକାର ଆକ୍ରମଣ କରି ନଥାଆନ୍ତି। କିନ୍ତୁ ସମୟସମୟରେ ମଣିଷ କିଛି ନକରିବି ପଶୁପକ୍ଷୀ ଆକ୍ରମଣ କରିଥାଆନ୍ତି। ଏମିତି କି ନିରୀହ ଶିଶୁମାନେ ବି ପଶୁ ଆକ୍ରମଣର ଶିକାର ହୋଇଛନ୍ତି।

ନିକଟରେ ଏକ ଷଣ୍ଢ ରାସ୍ତାରେ ଛିଡ଼ା ହୋଇଥିବା ଶିଶୁକୁ କଚାଡ଼ି ତା’ଉପରେ ବସି ପଡ଼ିଥିବାର ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ସେ ସ୍ତବ୍ଧ ହୋଇଯାଉଛନ୍ତି।

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଘର ସାମ୍ନାରେ ୪ବର୍ଷର ଶିଶୁଛିଡ଼ା ହୋଇଛି। ଏହି ସମୟରେ ଶିଶୁ ସ‌ାମ୍ନାକୁ ଏକ କଳାରଙ୍ଗର ଷଣ୍ଢ ଚାଲି ଆସୁଛି। କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଛିଡ଼ା ହୋଇଥିବା ଶିଶୁ ଆଡକୁ ଷଣ୍ଢ ଦୌଡ଼ି ଯାଇ ତାକୁ ଶିଙ୍ଘରେ ଉଠାଇ ତଳେ କଚାଡ଼ି ଦେଉଛି। କେବଳ ଏତିକି ନୁହେଁ ଶିଶୁକୁ କିଛିବାଟ ଶିଙ୍ଘରେ ଘୋଷାରି ନେବା ପରେ ତା’ ଉପରେ ବସି ପଡ଼ୁଛି ଷଣ୍ଢ।

ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ‌ଲୋକେ ଶିଶୁକୁ ଷଣ୍ଢ କବଳରୁ ଉଦ୍ଧାର କରି ପରିବାରଲୋକଙ୍କୁ ସମ୍ପର୍କ କରି ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରିଥିଲେ। ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ‌ହୋଇଯାଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ @Riz_wank ନାମକ ହ୍ୟାଣ୍ଡେଲରୁ ଏହି ଭିଡିଓ ସେୟାର କରାଯାଇଛି।

ଭିଡିଓ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘ଉତ୍ତରପ୍ରଦେଶର ଆଲିଗଡ଼ରେ ଘର ସାମ୍ନାରେ ଛିଡ଼ା ହୋଇଥିବା ଶିଶୁ ଉପରେ ଷଣ୍ଢ ଆକ୍ରମଣ କରିଛି। ଏହି ଆକ୍ରମଣ ଶିକାର ହେବାପରେ ଶିଶୁର ଅବସ୍ଥା ଗୁରୁତର ରହିଛି। ’

 

ସମ୍ବନ୍ଧିତ ଖବର