ତେଲେଙ୍ଗାନା ଓ ତାମିଲନାଡ଼ୁ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନା ଓ ତାମିଲନାଡ଼ୁ ଗସ୍ତ‌ରେ ଅଛନ୍ତି। ଉଭୟ ରାଜ୍ୟରେ ମୋଦୀ ଆଜି ବନ୍ଦେ ଭାରତ ‌ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କରିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୋଦୀ ଆଜି ତେଲେଙ୍ଗାନାର ସିକନ୍ଦରାବାଦ ରେଳ ଷ୍ଟେସନ୍‌ରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ‌ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ଉକ୍ତ ତ୍ରୟୋଦଶ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ତେଲେଙ୍ଗାନା‌ର ସିକନ୍ଦରାବାଦରୁ ଆନ୍ଧ୍ରପ୍ରଦେଶର ତିରୁପତିକୁ ଗସ୍ତ ସମୟ ପ୍ରାୟ ସାଢ଼େ ୩ ଘଣ୍ଟା କମାଇଦେବ। ୩ ମାସ ମଧ୍ୟରେ ତେଲେଙ୍ଗାନାରେ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିଛି। ପୂର୍ବରୁ ଗତ ଜାନୁଆରିରେ ମୋଦୀ ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ସିକନ୍ଦରାବାଦରୁ ବିଶାଖାପାଟନମକୁ ଶୁଭାରମ୍ଭ କରିଥିଲେ। ଏଥିସହ ମୋଦୀ ଆଜି ତେଲେଙ୍ଗାନାରେ ୧୧ ହଜାର ‌କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ
୧୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ
ମୋଦୀଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେନି କେସିଆର

ଅନ୍ୟପକ୍ଷେ ତାମିଲନାଡ଼ୁକୁ ଆଜି ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ୍‌ରେ ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି। ମୋଦୀ ଆଜି ଟ୍ରେନ୍‌ର ଲୋକୋ ପାଇଲଟ ମାନଙ୍କ ସହ ଭେଟିଛନ୍ତି। ରାଜ୍ୟପାଳ ଆରଏନ୍‌ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ୍‌କେ ‌ଷ୍ଟାଲିନ ମୋଦୀଙ୍କ ସହ ଥିଲେ। ମୋଦୀ ଆଜି ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବାପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, ରାଜ୍ୟପାଳ ଆରଏନ୍‌ ରବି ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ତାଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। କିନ୍ତୁ ତେଲେଙ୍ଗାନାରେ ମୋଦୀଙ୍କ କାର୍ଯ୍ୟକ୍ରମ‌‌ରେ ପୁଣିଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଅନୁପସ୍ଥିତ ରହିଛନ୍ତି। ପ୍ରୋଟକଲ ଅନୁଯାୟୀ କେସିଆରଙ୍କ ନିକଟକୁ ନିମନ୍ତ୍ରଣ ପଠାଯାଇଥିଲା। କିନ୍ତୁ ସେ ମୋଦୀଙ୍କ କାର୍ଯ୍ୟକ୍ରମକୁ ଆସିନାହାନ୍ତି। ଏପରିକି କେସିଆର ମୋଦୀଙ୍କୁ ବିମାନବନ୍ଦରରେ ମଧ୍ୟ ସ୍ବାଗତ କରିନାହାନ୍ତି।

ସମ୍ବନ୍ଧିତ ଖବର