‘ଜାମିନ ପ୍ରାଥମିକତା’ ପ୍ରସଙ୍ଗରେ ସ୍ପଷ୍ଟ କଲେ ପ୍ରଧାନ ବିଚାରପତି: ଆମ ପାଇଁ କୌଣସି ମାମଲା ଛୋଟ ନୁହେଁ

ଆମେ ମୌଳିକ ଅଧିକାରକୁ ସୁରକ୍ଷା ଦେଉଛୁ

ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ କି‌ରେନ ରିଜିଜୁ ଗତକାଲି ରାଜ୍ୟସଭାରେ ଜାମିନ ଆବେଦନ ଶୁଣାଣି ବାବଦରେ ଯେଉଁ ଟିପ୍ପଣୀ ରଖିଥିଲେ ପ୍ରଧାନବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଦିନ ତାହାର ଜବାବ ଦେଇଛନ୍ତି। ରିଜିଜୁ କହିଥିଲେ, ଦେଶରେ ଏତେ ସଂଖ୍ୟାରେ ବକେୟା ମାମଲା ପଡ଼ି ରହିଥିବା ବେଳେ ସୁପ୍ରିମକୋର୍ଟ ଜାମିନ ଆବେଦନ ଏବଂ ଗୁରୁତ୍ବ ନଥିବା ପିଆଇଏଲ୍‌କୁ ନେଇ ଏତେ ଚିନ୍ତିତ ହେବା ଉଚିତ ନୁହେଁ।

ତେବେ ଚନ୍ଦ୍ରଚୂଡ଼ ଏହାର ଜବାବ ଦେଇ କହିଛନ୍ତି, ସୁପ୍ରିମକୋର୍ଟଙ୍କ ପାଇଁ କୌଣସି ବି ମାମଲା ଛୋଟ ନୁହେଁ। ଯଦି ବ୍ୟକ୍ତିଗତ ସ୍ବାଧୀନତା ପ୍ରସଙ୍ଗରେ ଆମେ କାମ କରିବୁନି ଏବଂ ଲୋକଙ୍କୁ ଆମେ ଆଶ୍ବସ୍ତ କରିପାରିବୁନି ତେବେ ଆମେ ଏଠା‌ରେ କ’ଣ କରୁଛୁ। ସିଜେଆଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ବ୍ୟକ୍ତି ସ୍ବାଧୀନତାର ଗୁରୁ୍ତ୍ବ କଥା କହିଛନ୍ତି। ସିଜେଆଇ କହିଛନ୍ତି, ଦେଶର ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେବା ଭଳି ମାମଲାରେ ଆମେ ଯଦି ତତ୍ପରତା ଦେଖାଇବୁନି ତେବେ ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତାର ଉଲ୍ଲଂଘନ କରିବ। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଆମେ ନିଜ ବିବେକକୁ ଶୁଣିବୁନି ତେବେ ଆମେ ଏଠାରେ ଅଛୁ କ’ଣ ପାଇଁ ? ବିଦ୍ୟୁତ ଚୋରି ମାମଲାରେ ୧୮ ବର୍ଷ ଜେଲ୍‌ଦଣ୍ଡ ଭୋଗୁଥିବା ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରିବା ସମୟ‌ରେ ପ୍ରଧାନବିଚାରପତିଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।

ସମ୍ବନ୍ଧିତ ଖବର