ଜୁଆ ଆଡ଼ାରେ ଚଢ଼ଉ: ୧୫ ବାଇକ, ୩୩ ହଜାର ଟଙ୍କା ଜବତ

ଭବାନୀପାଟଣା/କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଲଡୁଗାଁରୁ ସୁପାଡ଼ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଏକ ପରିତ୍ୟକ୍ତ ରାଇସ୍‌ ମିଲରେ ଘୁଡୁଘୁଡ଼ି ପଟି ଜୁଆ ଖେଳ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ଲୋକେ ପୁଲିସ ଆସିବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପୁଲିସ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ସହ ୧୫ଟି ବାଇକ ଓ ନଗଦ ୩୩ ହଜାର ଟଙ୍କା ଜବତ କରିଥିଲା। ଜବତ ହୋଇଥିବା ୧୫ ବାଇକ୍‌କୁ ପୁଲିସ ଟ୍ରାକ୍ଟର ଯୋଗେ କୋକସରା ଥାନାକୁ ଆଣି ଅଟକ ରଖିଛି। ୯ ଜଣଙ୍କୁ ଅଟକ ରଖି ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ କୋକସରା ଥାନା ପକ୍ଷରୁ ଏକ ମାମଲା ରୁକୁ କରି ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର