ରାଜଧାନୀରୁ ଆଉ ୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଡେଙ୍ଗୁକୁ ଆମନ୍ତ୍ରଣ

ଭବନେଶ୍ବର: ଆରମ୍ଭରୁ ପ୍ରସ୍ତୁତି ବିଳମ୍ବ ହୋଇଥିବାରୁ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ଏବେ ବିଏମ୍‌ସି ପାଇଁ କାଠିକର ହେଉଛି। ଆଜି ରାଜଧାନୀରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରପଦାରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ୍‌ ଓ ନୂଆପଲ୍ଲୀରୁ ୨ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ନୂଆପଲ୍ଲୀରେ ସର୍ବାଧିକ ୨୩ ଚିହ୍ନଟ ହୋଇଥିବା ବେଳେ ଆଇଆରସି ଭିଲେଜ୍‌ରେ ୫, ଜୟଦେବବିହାରରେ ୫, ୟୁନିଟ୍‌-୯ ଅଞ୍ଚଳରେ ୫, ୟୁନିଟ୍‌-୩ ଅଞ୍ଚଳରେ ୩, ସାଲିଆସାହିରେ ୧୯ ଆକ୍ରାନ୍ତ ରହିଛନ୍ତି। କ୍ରମାଗତ ଭାବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ଓ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଛି।

ସୁନ୍ଦରପଦାରୁ ଡେଇଁଲା ପୋଖରୀପୁଟ
ମଶାଧୂଆଁ ସ୍ପ୍ରେ’ ପାଇଁ ସ୍ବତନ୍ତ୍ର ଯୋଜନା

ମୁକାବିଲା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରତ୍ୟେକ ପିଏଚ୍‌ସିରେ ନମୁନା ସଂଗ୍ରହ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି। ମଶା ଧୂଆଁ ସ୍ପ୍ରେ’ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଛି। ମଶାଧୂଆଁ ଦେବା କାର୍ଯ୍ୟରେ ନିୟୋଜିତ ଟିମ୍‌କୁ ୭ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଦିନରେ ୭ଟି ୱାର୍ଡରେ ଧୂଆଁ ସ୍ପ୍ରେ’ ହେବ। ୧୦ ଦିନ ଭିତରେ ସମସ୍ତ ୱାର୍ଡରେ ଧୂଆଁ ଦିଆ ଶେଷ କରିବାକୁ ଟାର୍ଗେଟ୍‌ ରଖାଯାଇଛି। ଏହାପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଯେଉଁଠି ସରିଥିବ, ସେହି ୱାର୍ଡରୁ ଦ୍ବିତୀୟ ପର୍ଯ୍ୟାୟରେ ଧୂଆଁ ସ୍ପ୍ରେ’ ଆରମ୍ଭ ହେବ। ଯେଉଁ ୱାର୍ଡରେ ଧୂଆଁ ସ୍ପ୍ରେ’ ହେବ, ମଶା ଲାର୍ଭା ମାରିବା ପାଇଁ ତେଲ ସିଞ୍ଚନ ବି କରାଯିବ। ଏହି ଟିମ୍‌ ସହ ଆଣ୍ଟି-ଲାର୍ଭା ୱାର୍କର୍‌ ରହିବେ। ସମାନ୍ତରାଳ ଭାବେ ଏହି ଦୁଇଟି କାମ ଆସନ୍ତାକାଲିଠାରୁ ଚାଲିବ।

ଏହି ୭ଟି ଟିମ୍‌କୁ ବାଦ୍‌ ଦେଇ ଆଉ ଗୋଟିଏ ଟିମ୍‌ ସଂରକ୍ଷିତ ରଖାଯାଇଛି। ଅନେକ ସମୟରେ ଦେଖାଯାଉଛି, ଯେଉଁ ୱାର୍ଡରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେ ଅଞ୍ଚଳରେ ଧୂଆଁ ସ୍ପ୍ରେ’ କରିବାକୁ ଦାବି ହେଉଛି। ଏଣୁ ଏଭଳି ଜରୁରୀ କାମ ପାଇଁ ଉକ୍ତ ଟିମ୍‌ ସଜାଗ ରହିବ। ଟୋଲ୍‌ ଫ୍ରି’ ନମ୍ବର ୧୯୨୯ ସମେତ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୋଗ ଆସୁଛି। ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଡେଙ୍ଗୁ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଉଥିବା ବିଏମ୍‌ସି କହିଛି।

ସମ୍ବନ୍ଧିତ ଖବର