କେନାଲ ପାଣି କାମରେ ଆସୁନି: କୋଉ କୂଳର ହେଲାନି ଚାଷୀ

ବାଲିପାଟଣା: ଦୁଇ ଦଶନ୍ଧି ପରେ କେନାଲ‌ରେ ପାଣି ଆସିଲା। ଖରାଦିନିଆ ଧାନ ଚାଷ କରିବାକୁ ଚାଷୀମାନେ ଆଗ୍ରହର ସହ ପ୍ରସ୍ତୁତ ହେଲେ। ବହୁ ଚାଷୀ ରବି ଫସଲରୁ ମୁହଁ ଫେରାଇ ଧାନ ଚାଷ କରିବାକୁ ସଜବାଜ ହେଲେ। ମାତ୍ର ଏବେ ଫଳ ହେଲା ଓଲଟା। କେନାଲରେ ଆସୁଥିବା ପାଣି ଜମିରେ ପହଞ୍ଚି ପାରୁନଥିବାରୁ ଚାଷୀମାନଙ୍କ ମୁଣ୍ଡବିନ୍ଧା ବଢ଼ିଗଲାଣି। କେନାଲରେ ଆବଶ୍ୟକ ପରିମାଣର ପାଣି ଆସୁନାହିଁ। ଡିଷ୍ଟ୍ରିବ୍ୟୁଟାରି ଓ ମାଇନର କେନାଲ ପୋତି ହୋଇଯାଇଥିବାରୁ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି। ଏହାବାଦ୍‌ ରବି ଫସଲ କରିଥିବା ଚାଷୀମାନେ ଧାନ ଚାଷୀଙ୍କ ପାଣି ବାଟ ଓଗାଳିବା ବି ସମସ୍ୟା ହୋଇ ମୁଣ୍ଡଟେକିଛି। ଏମିତି ସ୍ଥିତିରେ କେନାଲ ପାଣି ଚାଷୀ କାମରେ ଆସୁନି ଏବଂ ଚାଷୀମାନେ କୋଉ କୂଳର ହୋଇପାରୁନାହାନ୍ତି। ଫଳରେ ଚଳିତବର୍ଷ ଖରାଦିନିଆ ଧାନ ପାଇଁ ହୋଇଥିବା ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଗଲାଣି।

ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଡିସେମ୍ବର ଶେଷ ସପ୍ତାହରୁ ଏପର୍ଯ୍ୟନ୍ତ ୨ ଥର କେନାଲରେ ପାଣି ଆସିଲାଣି। କିନ୍ତୁ ନିଅଣ୍ଟିଆ ପାଣି ପାଇଁ ଗହୀରକୁ ପାଣି ପାଉନି। ଏଣେ କେନାଲ ଓ ମାଇନର କେନାଲ ପୋତି ହୋଇଯାଇଥିବାରୁ ପାଣି ବନ୍ଧ ବାଡ଼ ଭାଙ୍ଗି ଏଣେତେଣେ ମାଡ଼ୁଛି। ଏବେ କେନାଲ ସଫେଇ ପାଇଁ ସରକାରୀ ବ୍ୟବସ୍ଥା ନଥିବାରୁ ଚାଷୀମାନେ ନି‌ଜେ ପରିଶ୍ରମ କରି ଡିଷ୍ଟ୍ରିବ୍ୟୁଟାରି ଓ ମାଇନର କେନାଲ ସଫା କରୁଛନ୍ତି। ତଥାପି ପାଣି ଯଥେଷ୍ଟ ହେଉନାହିଁ। ତଳି ରୋଇବା ପାଇଁ ସମୟ ହେଲାଣି। କିଆରୀ ଶୁଖିଲା ପଡ଼ିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ତେଣୁ ଶହଶହ ଏକର ଜମି ପଡ଼ିଆ ରହିବା ନିଶ୍ଚିତ। ସେହିଭଳି ଧାନ ଚାଷୀଙ୍କ ପାଇଁ ସମସ୍ୟା ହୋଇଛନ୍ତି ରବି ଫସଲ କରିଥିବା ଚାଷୀ। କେନାଲରେ ପାଣି ଆସିବ ନ ଆସିବ ବୋଲି କିଛି ଚାଷୀ ମୁଗ, ବିରି ଓ କୋଳଥ ବୁଣିଦେଲେ। ଏବେ ଗଛ ହୋଇଗଲାଣି। ତେଣୁ ସେସବୁ ବିଲରେ ପାଣି ମାଡ଼ିଲେ, ଚାଷ କ୍ଷତିଗ୍ରସ୍ତ ହେବ। ତେଣୁ ସେମାନେ କେନାଲ ପାଣି ବାଟ ବନ୍ଦ କରୁଛନ୍ତି। ଏହାକୁ ନେଇ ଧାନ ଚାଷୀ ଓ ରବି ଫସଲ ଚାଷୀ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଲାଣି। ସେହିଭଳି କେନାଲରେ ଆବଶ୍ୟକ ପରିମାଣର ପାଣି ଆସୁ ନଥିବାରୁ ରବି ଫସଲ କରିବା ଛାଡ଼ି ଧାନ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା ଚାଷୀମାନେ ବି ଚିନ୍ତାରେ ପଡ଼ିଗଲେ। ସେମାନେ ନା ରବି ଫସଲର ହେଲେ ନା ଧାନ ଚାଷର ହେଲେ। ସରାଟ, ସରିପୁର, ଧାନହରା, ବାଗଲପୁର, ଆଇତଳଙ୍ଗ ପ୍ରଭୃତି ଅଞ୍ଚଳର ଚାଷୀମାନେ ଏବେ ବି ଏଭଳି ସମସ୍ୟାରେ ପଡ଼ିଛନ୍ତି। ଚଳିତ ବର୍ଷ ୪୬୭୩ ହେକ୍ଟର ଜମିରେ ଖରାଦିନିଆ ଧାନ ଚାଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ଯାହା ୨୦୦୦ ହେକ୍ଟର ଜମିରେ ଧାନଚାଷ ହୋଇପାରିବ କି ନା, ସନ୍ଦେହ।

ବାଲିପାଟଣା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକଙ୍କ ସୂଚନାନୁସାରେ ଏବେ କେନାଲ ସଫେଇ ଓ ମରାମତି ପାଇଁ ସରକାରୀ ଅର୍ଥ ନାହିଁ। ତେଣୁ ଚାଷୀଙ୍କୁ ହାତରୁ ଖର୍ଚ୍ଚ କରି କେନାଲ ସଫା କରିବାକୁ କୁହାଯାଇଛି। ସେହିପରି କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳଙ୍କ ସୂଚନାନୁସାରେ ବିଳମ୍ୱ ହୋଇଗଲାଣି। ତେଣୁ ଶହେଦିନିଆ ଧାନ ଚାଷ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର