ବାଛରା ଜଗନ୍ନାଥ ମନ୍ଦିର ବିବାଦ: ୧୬ଦିନ ହେଲା ମହାପ୍ରଭୁଙ୍କ ନୀତି ବନ୍ଦ

ଜଟଣୀ: ବାଛରା ଜଗନ୍ନାଥ ମନ୍ଦିର ବିବାଦ ଘଟଣା ଥମିବାର ନାଁ ଧରୁନି। ଦୀର୍ଘ ୧୬ ଦିନ ଧରି ମନ୍ଦିରରେ ତାଲା ପଡ଼ିଛି। ଦୁଇଟି ଗୋଷ୍ଠୀ ପକ୍ଷରୁ ମନ୍ଦିରରେ ଦୁଇଟି ତାଲା ପକାଯାଇଛି। ଫଳରେ ୧୬ଦିନ ହେଲା ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି। ଠାକୁର ଉପବାସରେ ରହିଛିନ୍ତି। ବିବାଦର ସମାଧାନ ବାଟ ଫିଟୁନଥିବା ବେଳେ ତୃତୀୟ ପକ୍ଷ ଦ୍ବାରା ଠାକୁରଙ୍କ ନୀତିକାନ୍ତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ମହିଳା ସଂଘ ମନ୍ଦିର ପରିଚାଳନା କରି ଆସୁଛନ୍ତି। କିନ୍ତୁ ଗତ କିଛି ଦିନ ପୂର୍ବରୁ ୫-ଟି ଅଧୀନରେ ମନ୍ଦିରର ଉନ୍ନତୀକରଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାକୁ କେନ୍ଦ୍ର କରି ଉଭୟ ସଂଘ ଓ ଟ୍ରଷ୍ଟର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଯାହାକୁ କେନ୍ଦ୍ର କରି ଫେବ୍ରୁଆରି ୩ ତାରିଖରୁ ମନ୍ଦିର କବାଟରେ ତାଲା ପଡ଼ିରହିଛି। ଉଭୟ ଗୋଷ୍ଠୀ ପକ୍ଷରୁ ମନ୍ଦିର କବାଟରେ ଦୁଇଟି ତାଲା ପକାଯାଇଛି। ବିବାଦ ତୁଟୁନି କି କବାଟ ଖୋଲୁନି। ଘଟଣାକୁ କେନ୍ଦ୍ର ଗତ ୭ ତାରିଖ ରାତିରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଆହତ ହୋଇଥିଲେ। ତେବେ ପରଦିନ ଅର୍ଥାତ୍ ୮ତାରିଖରେ ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ବିବାଦର ସମଧାନ କରିପାରୁନି। ଗୋଟିଏ ପଟେ ଗ୍ରାମବାସୀମାନେ ମନ୍ଦିର ତାଲା ଖୋଲିବାକୁ ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର କିଛି ଲୋକ ତାଲା ଖୋଲିବାକୁ ନାରାଜ ଥିବା ଅଭିଯୋଗ ହୋଇଛି। ମନ୍ଦିର ତାଲା ଖୋଲିବା ଦାବିରେ କିଛି ଗ୍ରାମବାସୀ ମନ୍ଦିର ସାମ୍ନାରେ ବସି ରହିଥିବା ଦେଖିବାକୁ ମିଳିଛି।

ସୂଚନାନୁସାରେ, ୧୯୮୪ ମସିହାରେ ଗ୍ରାମବାସୀଙ୍କ ଦ୍ବାରା ଗୋଟିଏ ଛୋଟ ଜଗନ୍ନାଥ ନିର୍ମାଣ କରାଯାଇଥିଲା। ଧୀରେ ଧୀରେ ଏହି ମନ୍ଦିରର ଉନ୍ନତୀକରଣ କରାଯାଇ ବଡ଼ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଗ୍ରାମବାସୀମାନେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଅନୁସାରେ ପରିଚାଳନା କରି ଆସୁଛନ୍ତି। କିନ୍ତୁ କିଛି ମାସ ପୂର୍ବରୁ ହୋଚିମିନ ଶାସ୍ତ୍ରୀ ନାମକ ଜଣେ ବ୍ୟକ୍ତି ଜୋଜବରଦସ୍ତ ମନ୍ଦିର ଦାୟିତ୍ୱ ନିଜ ଅକ୍ତିଆରକୁ ନେଇଥିଲେ। ପରବର୍ତ୍ତୀ ସମୟରେ ୫-ଟି ଅଧୀନରେ ମନ୍ଦିରର ଉନ୍ନତୀକରଣ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାକୁ କେନ୍ଦ୍ର କରି ଉଭୟ ସଂଘ ଓ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ପୁଣି ମତଭେଦ ସୃଷ୍ଟି ହୋଇଥିଲା। ଏ ନେଇ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ତହସିଲଦାରଙ୍କୁ ଚିଠି କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ପ୍ରଥମେ ତାଲା ଭାଙ୍ଗି ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ। ତା’ ପରେ ଯାଇ ଅନ୍ୟ ସମସ୍ୟା କଥା ବୁଝାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର