କଥା ଓ କବିତାର ଆସର ‘ସ୍ବରବର୍ଣ୍ଣ’ : କବି ‌ହେବା ଅପେକ୍ଷା ଭଲ ମଣିଷ ହେବା ଜୟନ୍ତଙ୍କ ଇଚ୍ଛା ଥିଲା

ଭୁବନେଶ୍ବର : କଥା ଓ କବିତାର ସ୍ବତନ୍ତ୍ର ଅଧିବେଶନ ‘ସ୍ବରବର୍ଣ୍ଣ’ ରେଡ୍‌କ୍ରସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଥିଲେ ଆକର୍ଷଣ। ଏହି ଆସରରେ ଶ୍ରୀ ମହାପାତ୍ରଙ୍କ ରଚିତ ଇଂରାଜୀ ଓ ଓଡ଼ିଆ କବିତା ଏବଂ ଆତ୍ମଜୀବନୀର କିଛି ଅଂଶ ପାଠ କରାଯାଇଥିଲା। କବି ହେବା ଅପେକ୍ଷା ଭଲ ମଣିଷଟିଏ ହେବା ତାଙ୍କର ଇଚ୍ଛା ଥିଲା ବୋଲି ଅତିଥିମାନେ ତାଙ୍କ ଆତ୍ମଜୀବନୀରୁ ଉଦ୍ଧାର କରି କହିଥିଲେ।

କବି ତଥା ସମାଲୋଚକ ହରପ୍ରସାଦ ଦାସ ପ୍ରାରମ୍ଭିକ ଅଭିଭାଷଣ ସହ ଶ୍ରୀ ମହାପାତ୍ରଙ୍କ କାବ୍ୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ଅସୀମ ବସୁଙ୍କ ପତ୍ନୀ ଗୀତା ବସୁଙ୍କ ଦ୍ବାରା ରବୀନ୍ଦ୍ର ସଂଗୀତ ଆବୃତ୍ତିରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୀପକ ସାମନ୍ତରାୟ, ଶକ୍ତି ମହାନ୍ତି, ଭାରତ ମାଝି, ଚିରଶ୍ରୀ ଇନ୍ଦ୍ରସିଂହ, ଭାଗ୍ୟଲିପି ମଲ୍ଲ, ପ୍ରିୟରଂଜନ ମହାନ୍ତି ଓ ଚକ୍ରଧର ପାତ୍ର ଶ୍ରୀ ମହାପାତ୍ରଙ୍କ କବିତା ପାଠ କରିଥିଲେ। କବି ଜ୍ଞାନୀ ଦେବାଶିଷ ମିଶ୍ର ତାଙ୍କ କାବ୍ୟ ଚେତନା ବାବଦରେ କହିବା ବେଳେ ଶ୍ରୋତାଙ୍କ ଆଖି ଜକେଇ ଯାଇଥିଲା। ଦୃଷ୍ଟିବାଧିତ ସାବିତ୍ରୀ ଓ ଲୋପାମୁଦ୍ରା ବ୍ରେଲିରେ ଲିଖିତ ଜୟନ୍ତଙ୍କ କବିତା ପାଠ କରିଥିଲେ। ଦେବଦତ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫାଉଣ୍ଡେସନ୍‌ର ସମ୍ପାଦକ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ। ଗୌତମ, ଅତସି, ଚକ୍ରଧର, ଭାସ୍ବତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର