କ୍ରାଇମ୍‌ ଜୋନ୍‌ର ଅପଖ୍ୟାତି ମୁଣ୍ଡାଇଛି ନୂଆପଲ୍ଲୀ

ଭୁବନେଶ୍ବର: ଦିନ ଥିଲା, ରାଜଧାନୀର ଅପରାଧପ୍ରବଣ ଅଞ୍ଚଳ ଥିଲା କ୍ୟାପିଟାଲ ଥାନା। କିଛି ବର୍ଷ ପରେ ଏହି ଧାରାରେ ପରିବର୍ତ୍ତନ ଆସିଲା। ଖଣ୍ଡଗିରି ଥାନା ସେ ଅପଖ୍ୟାତି ମୁଣ୍ଡେଇଲା। କିନ୍ତୁ ଏ ସବୁକୁ ଏବେ ପଛରେ ପକାଇ ନୂଆପଲ୍ଲୀ ଥାନା ଆଗରେ ରହିଛି। ଗତ ୭ ବର୍ଷ ହେଲା ଏ ଧାରା ଅପରିବର୍ତ୍ତିତ ରହିଛି। ଚଳିତ ବର୍ଷ ସମସ୍ତ ଥାନା ତୁଳନାରେ ନୂଆପଲ୍ଲୀରେ ସର୍ବାଧିକ ମାମଲା ରୁଜୁ ହୋଇଛି। ଗତ ୧୧ ମାସ ମଧ୍ୟରେ କେବଳ ନୂଆପଲ୍ଲୀ ଥାନା ହିଁ ୭୪୦ଟି ମାମଲା ରୁଜୁ କରିଛି। ଆପୋସ ସମାଧାନକୁ ମିଶାଇଲେ ଏହା ୨ ହଜାରରୁ ଟପିଯିବ। ନୂଆପଲ୍ଲୀ ଭିଭିଆଇପି ଅଞ୍ଚଳରେ ଅଞ୍ଚଳରେ ବଢ଼ୁଥିବା ଅପରାଧକୁ ନେଇ ଏବେ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି।

ସୂଚନା ମିଳିଛି, ଏହି ବର୍ଷ ଭୁବନେଶ୍ବରର ସର୍ବାଧିକ ମାମଲା ନୂଆପଲ୍ଲୀ ଥାନାରେ ହୋଇଛି। ଏହା ତଳକୁ ୬୮୨ ମାମଲା ସହ କ୍ୟାପିଟାଲ ଥାନା ରହିଛି। ସେହିପରି ଖଣ୍ଡଗିରିରେ ୫୬୫ଟି, ସହିଦନଗରରେ ୫୫୭ଟି, ଚନ୍ଦ୍ରଶେଖରପୁରରେ ୪୭୨, ଲକ୍ଷ୍ମୀସାଗରରେ ୪୨୨, ବଡ଼ଗଡ଼ରେ ୪୨୧, ଜଟଣୀରେ ୪୨୦, ବାଲିଅନ୍ତାରେ ୪୧୯ଟି ମାମଲା ରୁଜୁ ହୋଇଛି।

ନୂଆପଲ୍ଲୀ ଥାନାରେ ରୁଜୁ ହେଉଥିବା ମାମଲାର ମୁଖ୍ୟ କାରଣ ହେଉଛି ବସ୍ତି। ସାଲିଆସାହି ବସ୍ତି ଏବେ ଅପରାଧର ପେଣ୍ଠସ୍ଥଳ ପାଲଟିଛି। ଏଥିପାଇଁ ମୈତ୍ରୀବିହାର ପୁଲିସ ଫାଣ୍ଡି ଥିଲେ ମଧ୍ୟ ମାମଲା ରୁଜୁ କରୁଛି ନୂଆପଲ୍ଲୀ ଥାନା। ସାଲିଆସାହି ବସ୍ତିର ଭୌ‌‌ଗୋ‌ଳିକ ସ୍ଥିତି ଅପରାଧକୁ ସୁହାଉଛି। ବସ୍ତି ଭିତରକୁ ରାତିରେ ପାଟ୍ରୋଲିଂ ଗାଡ଼ି ପଶିବା ଅସମ୍ଭବ। ପିସିଆର୍‌ ମଧ୍ୟ ପଶି ପାରିବନାହିଁ। ତେଣୁ ବାଇକ୍‌ ପାଟ୍ରୋଲିଂ ହିଁ ଭରସା। ସୂଚନାନୁସାରେ, ୯ ମାସ ହେବ, ପିସିଆର୍‌ ଭ୍ୟାନ୍‌ ସାଲିଆସାହିର ସମ୍ବେଦନଶୀଳ ଅଞ୍ଚଳକୁ ପ୍ରବେଶ କରିପାରୁନାହିଁ।

୧୧ ମାସରେ ୭୪୦ ମାମଲା
୭ ବର୍ଷ ହେବ ବଢ଼ି ଚାଲିଛି ଅପରାଧ ସଂଖ୍ୟା

ଏହାବ୍ୟତୀତ, ନୂଆପଲ୍ଲୀ ଥାନା ଅଧୀନରେ ରହିଛି ଇସ୍କନ ମନ୍ଦିର, କଳିଙ୍ଗ ଷ୍ଟାଡିୟମ୍‌, ଏକାମ୍ରକାନନ ଓ ବିଭିନ୍ନ ତାରକା ହୋଟେଲ। ଇସ୍କନ ମନ୍ଦିରରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ପୂଜା ପର୍ବାଣୀ ପାଇଁ ଭିଡ଼ ପରିଲକ୍ଷିତ ହୋଇଥାଏ। ଏହି ସମୟରେ ମଧ୍ୟ ଲୁଟପାଟ୍‌, ଛିନ୍‌ତାଇ ଭଳି ଅପରାଧ ଘଟିଥାଏ। ସେହିପରି କଳିଙ୍ଗ ଷ୍ଟାଡିୟମ୍‌ରେ ବିଭିନ୍ନ ସମୟରେ ଜାତୀୟ ଓ ଅର୍ନ୍ତଜାତୀୟ ଖେଳ ଖେଳାଯାଉଛି।‌ ସେଥିପାଇଁ ଅନେକେ ଏଠାକୁ ଖେଳ ଦେଖିବାକୁ ଆସିଥା’ନ୍ତି। ସେମାନେ ମଧ୍ୟ ବିଭିନ୍ନ ସମୟରେ ଅପରାଧର ଶିକାର ହୋଇଥା’ନ୍ତି। ଚିନ୍ତାର ବିଷୟ ହେଲା, ଏହି ଅଞ୍ଚଳରେ ଯେତିକି ଅପରାଧ ଘଟୁଛି, ଥାନାରେ ସେହି ପରିମାଣର ପୁଲିସ୍‌ ଅଫିସର୍‌ ନାହାନ୍ତି। ୧୯୯୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଥାନାରେ ପୂର୍ବରୁ ଯେତିକି ସଂଖ୍ୟାରେ ପୁଲିସ ଅଫିସର୍‌ ନିଯୁକ୍ତି ପାଇଥିଲେ, ଏବେ ସେଥିରେ ଅନେକ ହ୍ରାସ ପାଇଛି। ଏବେ ଜଣେ ମାତ୍ର ଇନ୍ସପେକ୍ଟର୍‌, ୩ଜଣ ଏସ୍‌ଆଇ, ୫ଜଣ ଏଏସ୍‌ଆଇ, ଜଣେ ମୁଖ୍ୟ କନଷ୍ଟେବଲ୍‌, ୩୨ କନଷ୍ଟେବଲ ଓ ୩୭ ହୋମଗାର୍ଡ ଅଛନ୍ତି।

ଥାନାରେ ଅପରାଧ ବଢ଼ୁଥିବା କାରଣରୁ ନୂଆ ଭିତ୍ତିଭୂମି ମଧ୍ୟ ବଢ଼ା ଯାଇଥିଲା। ପାଖରେ ଥିବା ଆଉ ସରକାରୀ କ୍ବାର୍ଟର୍ସକୁ ସଂଯୋଗ କରାଯାଇଥିଲା। କିନ୍ତୁ ଦୀର୍ଘ ଦିନ ଧରି ଚିହ୍ନଟ ହୋଇ ରହିଥିବା ଥାନା ଜମିରେ ନୂଆ ଥାନା ପ୍ରତିଷ୍ଠା ହୋଇ ପାରୁନାହିଁ। ଯାହାକୁ ନେଇ ଅନେକ ସମୟରେ ସରକାରୀ ସ୍ତରରେ ଉଦ୍ୟମ ହୋଇଥିଲେ ମଧ୍ୟ ପୁଲିସ ବିଭାଗ ନିଜ ଜମିକୁ କବ୍‌ଜାକୁ ନେଇପାରୁନାହିଁ।
ରାଜଧାନୀର ନୂଆ କ୍ରାଇମ ଥାନା ଭାବେ ପରିଗଣିତ ହେବା ଘଟଣାକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି। କିଛି ଲୋକଙ୍କ କହିବା କଥା, ଦିନ ଥିଲା ନୂଆପଲ୍ଲୀ ଭିଭିଆଇପି ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। ଏବେ କିନ୍ତୁ ଅଞ୍ଚଳ ହତ୍ୟା, ଚୋରି, ଲୁଟ୍‌ପାଟ, ନିଶା କାରବାର ଭଳି ଅପରାଧ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସୁଛି।

ସମ୍ବନ୍ଧିତ ଖବର