କୁହୁଳୁଛି ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ବିବାଦ: ନ୍ୟାୟାଳୟର ଆଶ୍ରୟ ‌ନେବ ‘ଏବଂ ଆମେ’

ଭୁବନେଶ୍ବର: ଏଇ କିଛି ବର୍ଷ ହେବ ସଂସ୍କୃତି ବିଭାଗ ପ୍ରଦତ୍ତ ପୁରସ୍କାରକୁ ଶନିଦଶା ଘାରିଛି। ପୁରସ୍କାର ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ଯେମିତି ବର୍ଷିକିଆ କ୍ୟାଲେଣ୍ଡରର ଅଂଶବିଶେ‌ଷ ପାଲଟି ଯାଇଛି। ନିକଟରେ ଘୋଷଣା ହୋଇଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାରକୁ ନେଇ ପୁଣି ନିଆଁ କୁହୁଳିଛି। ଏପରିକି ଘୋଷଣା ହୋଇଥିବା ଏକାଡେମି ପୁରସ୍କାରରେ ଅନିୟମିତତା ନେଇ ନ୍ୟାୟାଳୟ ଯିବାକୁ ଅଣ୍ଟା ଭିଡ଼ିଛି ‘ଏବଂ ଆମେ’ ନାଟ୍ୟାନୁଷ୍ଠାନ।

ଏ ସମ୍ପର୍କରେ ସୂଚନା ଦେଇ ଅଭିନେତା ତଥା ‘ଏବଂ ଆମେ’ର ସମ୍ପାଦକ ପ୍ରେମାଞ୍ଜନ ପରିଡ଼ା କହିଛନ୍ତି, ଅଭିନୟ, ନିର୍ଦେଶନା କ୍ଷେତ୍ରରେ ଅସତ୍‌ ଓ ଅନ୍ୟାୟ ଉପାୟରେ ପୁରସ୍କାର ଦିଆଯାଇ ବହୁ ପ୍ରତିଭାବାନ କଳାକାରଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ କହିବା ମୁତାବକ, ‘ମନନ’ ନାଟ୍ୟସଂସ୍ଥାର ସଭାପତି ଓଡ଼ିଶା ସଂଗୀତ ନାଟକ ଏକାଡେମିର କାର୍ଯ୍ୟକାରୀ ସମିତିରେ ଥାଇ କିପରି ତାଙ୍କ ଅନୁଷ୍ଠାନରେ ନାଟ୍ୟ ରଚନା କରୁଥିବା ଡ. ସୁଧାଂଶୁ ନାୟକ ଓ ଅନୁଷ୍ଠାନର ସମ୍ପାଦକ ନିରଂଜନ ସାହୁଙ୍କୁ ପୁରସ୍କୃତ କଲେ? ଓଡ଼ିଶା ନାଟ୍ୟ ସଂଘର ସଭାପତି ପଦରେ ଥାଇ ହରେନ୍‌ ସାହୁ କିପରି ସିଧାସଳଖ ସଂଗୀତ ନାଟକ ଏକାଡେମିର ସାଧାରଣ ପରିଷଦ ଦ୍ବାରା ମଂଚ ନିର୍ଦେଶକ ଭାବେ ମନୋନୀତ ହେଲେ? ଶ୍ରୀ ପରିଡ଼ା ଏକଥା ବି କହିଛନ୍ତି, ଏକାଡେମିର କାର୍ଯ୍ୟକାରୀ ସମିତି ଦ୍ବାରା ନାଟ୍ୟ ନିର୍ଦେଶକ ପ୍ରୀତିରଂଜନ ମିଶ୍ର ସିଧାସଳଖ ମନୋନୀତ ହୋଇଥିଲେ। ମାତ୍ର ସାଧାରଣ ପରିଷଦରେ ବାଦ୍‌ ପଡ଼ିବା ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଯେବେ ୨୦୧୬-୧୭ ପୁରସ୍କାର ଘୋଷଣା ହେ‌ଲା, ସେତେବେଳେ ମଧ୍ୟ ଏହିଭଳି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ପୁଣି ଚଳିତ ବର୍ଷ ୨୦୧୭-୧୮ ଓ ୨୦୧୮-୧୯ ଦୁଇବର୍ଷ ପାଇଁ ଏହି ପୁରସ୍କାର ଘୋଷଣା ହେବା ପରେ ବିବାଦ ଉଠିବା ଏକାଡେମି ପୁରସ୍କାର ଚୟନରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ଲଗାଇଛି। ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ନିକଟକୁ ଏହି ଅଭିଯୋଗ ପଠାଯାଇଥିବା ବେଳେ ଏହା ଉପରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆମେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବୁ ବୋଲି ଶ୍ରୀ ପରିଡ଼ା ଆଜି ସୂଚନା ଦେଇଛନ୍ତି।

ଖାଲି ସେତିକି ନୁହେଁ ଏ ମାମଲାରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ୨୦୧୭-୧୮ରେ ସୁଗମ ସଂଗୀତ ବିଭାଗରେ ଘୋଷିତ ପୁରସ୍କାରକୁ ନେଇ ‌କ୍ଷୋଭ ପ୍ରକାଶ କରିବା ସହ ଏ ସମ୍ପର୍କରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଏବଂ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କ କହିବା ମୁତାବକ, ଗତ ୧୦ ବର୍ଷରେ ସୁଗମ ସଂଗୀତରେ ଯେଉଁମାନେ ଏହି ପୁରସ୍କାର ପାଇଥିବେ ସେମାନେ ହିଁ ନାମ ସୁପାରିସ କରିବେ। ଗତ କିଛି ବର୍ଷ ହେବ ଏହି ପ୍ରକ୍ରିୟାରେ ନାମ ସୁପାରିସ ପରେ ପୁରସ୍କାର ପାଇଁ ଚୟନ କରାଯାଏ। ମାତ୍ର ଚଳିତ ବର୍ଷର ପୁରସ୍କାର ଘୋଷଣା ପରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଏହା ମୋ ଗୋଚରକୁ ଆସିଛି ଯେ, ସୁଗମ ସଂଗୀତ କ୍ଷେତ୍ରରେ ଗତ ୧୦ ବର୍ଷରେ ପୁରସ୍କାର ପାଇଥିବା ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଜୀବିତ ଥିବା ବ‌େଳେ ୬ରୁ ୭ ଜଣ ଶିଳ୍ପୀ ମୋ ନାମ ସୁପାରିସ କରିଛନ୍ତି। ମାତ୍ର ମୋ ନାମକୁ ବାଦ୍‌ ଦେଇ ଆଉ ଜଣଙ୍କୁ ଏ କ୍ଷେତ୍ରରେ ସମ୍ମାନ ପାଇଁ ମନୋନୀତ କରାଯାଇଛି। ପାଖାପାଖି ୫୦ଟି ଚଳଚ୍ଚିତ୍ରରେ କଣ୍ଠଦାନ ସହ ଦୁଇଥର ପ୍ରଚ୍ଛଦପଟ ଗାୟକ ଭାବେ ରାଜ୍ୟ ପୁରସ୍କାର ବିଜେତା ହୋଇଛି। ୬୫ ବର୍ଷରେ ମଧ୍ୟ ମୁଁ ମଂଚରେ ସଂଗୀତ ପରିବେଷଣ କରୁଛି। ଏ‌ହା ସତ୍ତ୍ବେ ମଧ୍ୟ ଏକାଡେମି ପୁରସ୍କାରରୁ ବାଦ୍‌ ଦେବା ସରକାରଙ୍କ ‘୫-ଟି’ ତଥା କାର୍ଯ୍ୟଧାରାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠୁନାହିଁ କି, ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର