ଆଜିଠୁ କଳିଙ୍ଗ ପୁସ୍ତକ ମେଳା, ଶ୍ରେଷ୍ଠ କୃତୀଙ୍କୁ ‘ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସମ୍ମାନ’

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର)ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ କଳିଙ୍ଗ ପୁସ୍ତକ ମେଳା। ଏହି ଅବସରରେ ପୁସ୍ତକ ମେଳା କମିଟି ପକ୍ଷରୁ ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସମ୍ମାନ ଘୋଷଣା କରାଯାଇଛି। ମେଳାର ସାରସ୍ବତ ମଞ୍ଚରେ ଆସନ୍ତା ନଭେମ୍ବର ୮ ତାରିଖ ସନ୍ଧ୍ୟାରେ ବିଭିନ୍ନ ବିଭାଗର ଶ୍ରେଷ୍ଠ କୃତୀଙ୍କୁ ପୁରସ୍କୃତ କରାଯିବ। ପ୍ରବନ୍ଧରେ ଡ. ବିଜୟା ମିଶ୍ରଙ୍କ ଲିଖିତ ‘ମନ ମନ୍ଥନ’, ଆଧ୍ୟାତ୍ମିକ ରଚନାରେ ଗୋକୁଳାନନ୍ଦ ମହାପାତ୍ରଙ୍କ ‘ଶ୍ରୀରାମଚରିତାମୃତ’, କବିତାରେ ଚିତ୍ତରଂଜନ ମହାନ୍ତିଙ୍କ ‘ପ୍ରିୟତମା’, କ୍ଷୁଦ୍ରଗଳ୍ପ ବିଭାଗରେ ସନ୍ତୋଷ ମଲ୍ଲିକଙ୍କ ‘ଖରାଛୁଟି ଓ ଅନ୍ୟାନ୍ୟ ଗଳ୍ପ’, ବିଜ୍ଞାନ ବିଭାଗରେ ଡ. ବିଜୟ କେତନ ପଟ୍ଟନାୟକଙ୍କ ଲିଖିତ ‘ଆମ ବାଡ଼ି ବଗିଚାରେ ଔଷଧୀୟ ବୃକ୍ଷଲତା ଓ ଗୁଳ୍ମ’, ଅନୁବାଦରେ ସାରଦା ରଥଙ୍କ ‘ପରିତପ୍ତ ଲଙ୍କେଶ୍ବରୀ’, ଉପନ୍ୟାସରେ ଜଗନ୍ନାଥ ଧଳଙ୍କ ‘କୈକେୟୀ’, ଶିଶୁ ସାହିତ୍ୟରେ ଅଧ୍ୟାପକ ବିଷ୍ଣୁମୋହନଙ୍କ ‘ମନଛୁଆଁ ଗୀତ ଚାଙ୍ଗୁଡ଼ି’, ସତ୍ୟ ଘଟଣା ଆଧାରିତ ରଚନା ପାଇଁ ଇଂ ଗୌରଚନ୍ଦ୍ର ମହାପାତ୍ରଙ୍କ ‘ଗଙ୍ଗାର ବେଦନା’କୁ ପୁରସ୍କୃତ କରାଯିବ। ଏଥିସହ ନାରୀମାନଙ୍କ ଜୀବନ ଜୀବିକା ଉପରେ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’କୁ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରାଯିବ। କେନ୍ଦ୍ରୀୟ ବିଦ୍ୟାଳୟ-୩ର ଅଧ୍ୟକ୍ଷା ପ୍ରୀତି ରୟ ଚାନ୍ଦ ଶିଶୁ ମହୋତ୍ସବ ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ବେଳେ ଲେଖିକା ସୀମା ମିଶ୍ର କଳିଙ୍ଗ ପୁସ୍ତକ ମେଳା ପୁରସ୍କାରରେ ସମ୍ମାନିତ ହେବେ। ଅଭିଜ୍ଞ ବିଚାରକ ମଣ୍ଡଳୀ ପକ୍ଷରୁ ଏହି ଶ୍ରେଷ୍ଠ ସାରସ୍ବତ କୃତୀ ଓ ପ୍ରତିଭାଙ୍କୁ ଚୟନ କରାଯାଇଛି ବୋଲି କଳିଙ୍ଗ ପୁସ୍ତକ ମେଳା କମିଟିର ସମ୍ପାଦିକା ରେଣୁକା ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର