ହୃଦୟକୁ ଛୁଇଁଲା ‘ସେମାନେ ବି ମୋର’

ଭୁବନେଶ୍ବର: ସ୍ବାର୍ଥସର୍ବସ୍ବ ସଂକୀର୍ଣ୍ଣ ମନୋଭାବ ଏବଂ ଅର୍ଥ ଓ ପ୍ରତିଷ୍ଠାର ମୋହରେ ମଣିଷ ଏମିତି ଭୁଲ୍‌ କରିବସେ ଯେ ଯାହର ପରିଣାମରେ ସବୁକିଛି ନଷ୍ଟ ହୋଇଯାଏ। ନିଜର ପରିବାର ସଂସାର ବାହାରେ ଯେ ଆହୁରି ବିରାଟ ପରିବାର ଅଛି, ଏଭଳି ଏକ ଉଦାର ମାନବୀୟ ଚେତନା, ସ୍ବାର୍ଥନ୍ବେଷୀ ମଣିଷର ସଂକୀର୍ଣ୍ଣ ହୃଦୟରେ ଜାଗରିତ ହେବାର ସୁଯୋଗ ପାଏନାହିଁ। ‘ମୁଁ’ତ୍ବର ଅହମିକାରେ ଅନ୍ଧ ହୋଇ ସେ କେବଳ ମୋର କହିବା ଛଡ଼ା ଅନ୍ୟ କିଛି ଭାବିପାରେନାହିଁ। ସ୍ବାର୍ଥନିଷ୍ଠ ହୋଇ ଅମଣିଷ ଭାବେ ସେ ଯେଉଁ ଭୁଲ୍‌ କରି ବସେ, ସେହି ଜାଲରେ ସେ ନିଜେ ଛନ୍ଦି ହୋଇ ସନ୍ତୁଳି ହୁଏ ସିନା, ସାରା ଜୀବନ ସେଥିରୁ କେବେ ମୁକୁଳିପାରେନାହିଁ। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଏପରି ଏକ ସୂକ୍ଷ୍ମ ସମ୍ବେଦନଶୀଳ କଥାବସ୍ତୁ ଉପରେ ଆଧାରିତ ନାଟକ ‘ସେମାନେ ବି ମୋର’ ଦର୍ଶକଙ୍କ ହୃଦୟକୁ ବେଶ୍‌ ଛୁଇଁଥିଲା।

ପ୍ରଫେସର ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ଅନୁବାଦିତ ନାଟକକୁ ସମିତାରାଣୀ ମହାନ୍ତି ନିର୍ଦ୍ଦେଶନା ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଂଗୀତ ନାଟକ ଏକାଡେମି ନିର୍ଦ୍ଦେଶକ ପ୍ରବୋଧ ରଥ, ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର