ସବୁଠି ଆଶାୟୀଙ୍କ ସଂଖ୍ୟା ବଢ଼ୁଛି: ଅପରାଜିତାଙ୍କ ଆଭିମୁଖ୍ୟ ଉପରେ ନଜର

ବିଜେଡି-ବିଜେପି ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ କିଏ ହେବେ ବିଜେପି ପ୍ରାର୍ଥୀ? ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ ଗତଥରର ପ୍ରାର୍ଥୀ ରିପିଟ୍‌ ହେବେ ନା ନୂଆ ମୁହଁକୁ ଦଳ ବାଛିବ? ଉତ୍ତରରେ ଅତୀତର ଦୁର୍ବଳ ପ୍ରଦର୍ଶନକୁ ସୁଧାରିବା ପାଇଁ କାହାକୁ ଭରସା କରିବ ଦଳ? ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି, ନେତା ଓ କର୍ମୀଙ୍କ ଉତ୍କଣ୍ଠା ଓ ଆଶଙ୍କା ସେତିକି ବଢ଼ୁଛି। ଯଦିଓ ବିଜେଡି ଏ ଯାଏ ଏହି ତିନିଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣା କରିନାହିଁ, ତେବେ ବିଜେପିର ପ୍ରାର୍ଥୀ ଚୟନ ବି ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ରଖୁଛି। କାରଣ ବର୍ତ୍ତମାନର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ବିଜେପି ଟିକେଟ୍‌ ପାଇ ସାରିଛନ୍ତି। ଗତ ନିର୍ବାଚନ ବେଳେ ସେ ନୂଆ ଥିବାରୁ ପୁରୁଣା ସଂଗଠନରେ ହାତ ମାରି ନଥିଲେ। ଯାହାଙ୍କୁ ଦଳ ପ୍ରାର୍ଥୀ କରିଥିଲା, ସେମାନଙ୍କୁ ନେଇ ସେ ପ୍ରଚାର କରିଥିଲେ। କିନ୍ତୁ ଏଥର ସ୍ଥିତି ବଦଳିଯାଇଛି। ଗତ ପାଞ୍ଚ ବର୍ଷ ହେଲା ଅପରାଜିତା ଭୁବନେଶ୍ବରରେ ବେଶ୍‌ ସକ୍ରିୟ ଅଛନ୍ତି। ବିଭିନ୍ନ ସମୟରେ ଜିଲ୍ଲା ସଂଗଠନ ଓ ପୁରୁଣା ନେତାମାନଙ୍କ ସହ ତାଙ୍କର ତାଳମେଳ ରହୁ ନଥିବା ମଧ୍ୟ ଦେଖାଦେଇଛି। ତେବେ ଅପରାଜିତା ଏହି ତିନିଟି ନିର୍ବାଚନମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭାବେ କୌଣସି ନେତାଙ୍କୁ ପୂର୍ବରୁ ବିଧାୟକ ପ୍ରାର୍ଥୀ ଭାବେ ଆଗକୁ ଆଣି ନାହାନ୍ତି। ତେଣୁ ଏଥର ପ୍ରାର୍ଥୀ ଚୟନରେ ଅପରାଜିତାଙ୍କ ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପିର ସବୁଠାରୁ ଚର୍ଚ୍ଚାରେ ରହିଛି ଉତ୍ତର ନିର୍ବାଚନମଣ୍ଡଳୀ। ଗତ ତିନିଟି ନିର୍ବାଚନରେ ଏଠାରେ ପ୍ରାର୍ଥୀ ବଦଳିଥିଲେ ବି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ୨୦୦୯ରେ ପ୍ରାର୍ଥୀ ହୋଇଥିବା ଗୋଲକ ମହାପାତ୍ର ଏବେ ଟିକେଟ୍‌ ଦୌଡ଼ରେ ନାହାନ୍ତି। ୨୦୧୪ରେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ମହାନ୍ତିଙ୍କ ନାମ ଏବେ ଆଶାୟୀଙ୍କ ତାଲିକାରେ ଅଛି। ୨୦୧୯ର ପ୍ରାର୍ଥୀ ଅପରାଜିତା ମହାନ୍ତି ନିର୍ବାଚନ ପରଠାରୁ ରାଜନୀତି ଏକପ୍ରକାର ଛାଡ଼ି ଦେଇଛନ୍ତି। ଟିଟିଏସ୍‌ ଆବର୍ଜନା ପାହାଡ଼ରୁ ଦୁର୍ଗନ୍ଧ ହେଉ ବା ମଶା ପ୍ରସଙ୍ଗ, ସବୁଥିରେ ଦିଲ୍ଲୀପ ମହାନ୍ତି ନେତୃତ୍ବ ନେଇଥିବା ଦେଖାଯାଇଛି। ଆଉ ଜଣେ ଟିକେଟ୍‌ ଆଶାୟୀ ବିବୁଧେନ୍ଦୁ ମିଶ୍ର ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ସେହିଭଳି ଯୁଗାଂଶୁ ଶେଖର ପଣ୍ଡା ମଧ୍ୟ ଟିକେଟ୍‌ ଲବିରେ ଥିବାରୁ ଦଳ କାହାକୁ ଭରସା କରିବ ତାହା ଦେଖିବାକୁ ବାକି ରହିଛି। ଅନ୍ୟ ଦଳରୁ ଟାଣୁଆ ନେତାଙ୍କୁ ଆଣି ଟିକେଟ୍‌ ଦେବା ପାଇଁ ବି ଉଦ୍ୟମ ଚାଲିଥିବା କୁହାଯାଉଛି।

ମଧ୍ୟ ନିର୍ବାଚନମଣ୍ଡଳୀରେ ଜଗନ୍ନାଥ ପ୍ରଧାନ ୧୪ ବର୍ଷ ହେଲା ସଂଗଠନ କରିବା ସହ ଏଥର ଟିକେଟ୍‌ ପାଇଁ ଲବିରେ ଅଛନ୍ତି। ୨୦୦୯ରୁ ଥରେ ସ୍ବାଧୀନ ଓ ଦୁଇଥର ବିଜେପିରୁ ଟିକେଟ୍‌ ପାଇ ସେ ନିର୍ବାଚନ ଲଢ଼ିଛନ୍ତି। ବିଭିନ୍ନ ସମୟରେ କିଛି ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ସହ ତାଙ୍କର ମତାନ୍ତର ହୋଇଛି। ସେ କିଛିଦିନ ପାଇଁ ନିଜକୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିବା ମଧ୍ୟ ନଜିର ରହିଛି। ଏପରିକି ଥରେ ଇସ୍ତଫା ମଧ୍ୟ ଦେଇଛନ୍ତି। ବୁଝାସୁଝା ପରେ ତାଙ୍କ ମାନଭଞ୍ଜନ ହୋଇଛି ସତ, କିନ୍ତୁ ଦଳୀୟ ଅନ୍ତଃକନ୍ଦଳ ବାରି ହୋଇ ପଡ଼ିଛି। ୨୦୨୧ରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ମଧ୍ୟ ତାଙ୍କର ମତାନ୍ତର ହୋଇଥିବା ଦେଖାଯାଇଥିଲା। ଦୁଇଦିନ ତଳେ ଅପରାଜିତାଙ୍କ ଶୋଭାଯାତ୍ରାରେ ତାଙ୍କ ଦେଖା ମିଳି ନଥିଲା। ଏଣୁ ଟିକେଟ୍‌ ଚୟନ ବେଳେ ଅପରାଜିତା ଜଗନ୍ନାଥଙ୍କୁ ଭରସା କରିବେ କି ନୂଆ ମୁହଁ ଖୋଜିବେ ସେ ନେଇ ଚର୍ଚ୍ଚା ଚାଲିଛି। ଏକାମ୍ର ପାଇଁ ଭୁବନେଶ୍ବର ଜିଲ୍ଲା‌ ସଭାପତି ବାବୁ ସିଂହ ଦୀର୍ଘ ଦିନ ହେବ ପ୍ରଚାର ଜାରି ରଖିଛନ୍ତି। ଏହି ଆସନଟି ବିଜେଡି ଦଖଲରେ ରହିଥିଲେ ମଧ୍ୟ ବାବୁ ବିଜେଡିକୁ ଟକ୍କର ‌ଦେଇ ଆସୁଛନ୍ତି। ଭୁବନେଶ୍ବର ବିଜେପିରେ ଶ୍ରୀ ସିଂହଙ୍କ ଉପସ୍ଥିତି ପ୍ରଭାବୀ ଢଙ୍ଗରେ ରହିଛି। ଶୋଭଯାତ୍ରା, ବିକ୍ଷୋଭ ଆଦିରେ ସେ ସକ୍ରିୟ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି। ତେଣୁ ଟିକେଟ୍‌ ପାଇଁ ସେ ଏଥର ବି ବଡ଼ ଦାବିଦାର ଭାବେ ଉଭା ହୋଇଛନ୍ତି। ୨୦୦୯ର ପରାଜିତ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ୨୦୧୪ର ପ୍ରାର୍ଥୀ ଅମିୟ ଦାସ ବି ଟିକେଟ୍‌ ଲବିରେ ରହିଛନ୍ତି। ତାଙ୍କ ସହିତ ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ତଥା ବିଏମ୍‌ସିରେ ସାଂସଦଙ୍କ ପ୍ରତିନିଧି ମଦନ ମୋହନ ପ୍ରଧାନ ମଧ୍ୟ ଜୋର୍‌ଦାର ଲବି ଚଳାଇଛନ୍ତି।

ସମ୍ବନ୍ଧିତ ଖବର