ନାଁ ଅଛି, ଗାଁ ନାହିଁ: ରାଜକୁମାରଙ୍କ ଗାଁ ଘାଟିକିଆ

ଗଜପତି ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ଗାଥା ବଖାଣେ

ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ବର୍ଷ ତଳର କଥା। ସ୍ପଷ୍ଟ ଭାବେ ଐତିହାସିକ ତଥ୍ୟ ନଥିଲେ ବି ଲୋକକଥା ହୋଇ ରହିଛି ଗଜପତି ରାଜା ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ଜଣେ ଶବରୀ ପତ୍ନୀଙ୍କ କଥା। ତାଙ୍କ ଗର୍ଭରୁ ଜନ୍ମ ନେଇଥିବା ୧୩ ସନ୍ତାନଙ୍କୁ ଗଜପତି ରାମଚନ୍ଦ୍ର ଦେବ ଏକାମ୍ର କାନନ ସଂଲଗ୍ନ ବିଭିନ୍ନ ଅଞ୍ଚଳରେ ପ୍ରଗଣା ଦେଇ ଥଇଥାନ କରାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରାଜକୁମାର ଖଣ୍ଡଗିରି ପାହାଡ଼ ପାଦଦେଶରୁ ଅନତି ଦୂରରେ ଉଆସ କରି ରହିଥିଲେ। ତାଙ୍କ ସହିତ କିଛି ସିଂହ ସାଙ୍ଗିଆଧାରୀ ପରିବାର ସେହି ଗାଁରେ ରହିଥିଲେ। ସେମାନେ ସାଧାରଣତଃ ରାଜକୁମାରଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିଲେ। କାଳକ୍ରମେ ରାଜକୁମାରଙ୍କ ଦ୍ବାରା ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକମାନେ ଆସି ଏଠି ବସତି ସ୍ଥାପନ କରି ରହିଲେ। ବ୍ରାହ୍ମଣ, ଖଣ୍ଡାୟତ ସମେତ ପ୍ରାୟ ସବୁ ଜାତିର ଲୋକେ ଏଠାରେ ରହିବାକୁ ଲାଗିଲେ। ଗାଁ ନିକଟରେ ବହିଯାଉଥିଲା ନଈଟିଏ। ନାଁ ଥିଲା ଘରଘରା ବା ଘାଗୁଡ଼ି ନଈ। ନଈର ଧାରେ ଧାରେ ଥିଲା ବିପୁଳ କିଆବଣ। ଏକାମ୍ର କ୍ଷେତ୍ରରୁ ଖଣ୍ଡଗିରି ଦେଇ ଗାଁକୁ ଯିବା ଆସିବା କଲାବେଳେ ଘରଘରା ନଈ ପାର୍‌ ହେବାକୁ ପଡ଼େ। ବର୍ଷା ଦିନେ ପ୍ରଖର ଜଳସ୍ରୋତରେ ନଈ ପାର୍‌ହେବା କଷ୍ଟକର ହୋଇପଡ଼େ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କିଆ ବୁଦା ସାହାଯ୍ୟରେ ନଈ ପାର୍‌ହେବା ସହଜ ହୁଏ। ଉକ୍ତ ସ୍ଥାନକୁ ଘାଟି କୁହାଯାଏ। କିଆଘାଟି ପାର୍‌ ହୋଇ ରାଜକୁମାର ଗାଁକୁ ଯା’ଆସ କରୁଥିବାରୁ କାଳକ୍ରମେ ଏହି ଗାଁର ନାଁ ହୋଇଗଲା ଘାଟିକିଆ। ଏଭଳି କଥାଟି ଆଜି କିଂବଦନ୍ତୀ। କୌଣସି ଐତିହାସିକ ପ୍ରମାଣ ନଥିଲେ ବି ପିଢ଼ି ପରେ ପିଢ଼ିକୁ ଏହି କଥାଟି ଗଡ଼ିଗଡ଼ି ଆସୁଛି ବୋଲି ଗାଁର ପୁରୁଖା ଲୋକମାନେ ତାଙ୍କ ବାପା ଜେଜେଙ୍କଠାରୁ ଶୁଣିଥିବା କହନ୍ତି।

୧୯୭୪ରେ ଗାଁରେ ଜଳିଲା ବିଜୁଳି ବତୀ
ଗାଁରେ ବିଜୁଳି ଆଲୁଅ ନଥିଲା। ଡିବି, ଲଣ୍ଠନ ଆଲୁଅରେ ଲୋକେ ଚଳୁଥିଲେ। ୧୯୭୪ ମସିହାରେ ପ୍ରଥମେ ଗାଁକୁ ବିଜୁଳି ଆଲୁଅ ଆସିଲା। ଏହା ପୂର୍ବରୁ ଗାଁ ସାରା ଚାଳ, ଆଟୁ ଓ ଦୋପରି ଘର ଥିଲା। ୧୯୬୦ ମସିହାରେ ଦିବ୍ୟସିଂହ ଦେବ ପ୍ରଥମେ କଡ଼ିବରଗା ଛାତ କରିଥିଲେ। ଗାଁ ପାଇଁ ରାସ୍ତା ନଥିଲା, କେବଳ ଅଣଓସାରିଆ ଡଗର ଥିଲା। ଚତୁର୍ମାସ୍ୟାରେ ଡଗରରେ ଝର ପଡ଼ୁଥିଲା। ଲୋକମାନେ ସେହି ଝରରୁ ମାଛ ଧରୁଥିଲେ। ୨୦୦୦ ମସିହା ବେଳକୁ ଗାଁରେ ମୋରମ୍ ରାସ୍ତା ହେଲା। ପରେ ଗାଁ ରାସ୍ତା କଂକ୍ରିଟ୍ ହେଲା। ଲୋକମାନଙ୍କର ଆର୍ଥିକ ସ୍ବଚ୍ଛଳତା ଆସିଲା, ଚାଳ ଘର ସବୁ କୋଠା ହେଲା। ଘାଗୁଡ଼ି ନଦୀ କୂଳ ଦେଇ ଲୋକେ ଖଣ୍ଡଗିରି ଓ ବରମୁଣ୍ଡା ଯାଉଥିଲେ। ପରେ ନାକାଗେଟ୍ ରାସ୍ତା ହେଲା।

ବଣବୁଦା ଡେଇଁ ପଢ଼ିବାକୁ ଯାଉଥିଲେ ପିଲା
୬୦ବର୍ଷ ତଳେ ଗାଁରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଥିଲା। ୧୯୦୦ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ବ୍ୟବସ୍ଥା ଥିଲା। ଏହାପରେ ଉଚ୍ଚ ଶିକ୍ଷା ପାଇଁ ପିଲାମାନେ ବଣବୁଦା ଡେଇଁ ଜାଗମରା, ନାରଗୋଦା ଯାଉଥିଲେ। ୧୯୬୨ ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଲା। ଏହାପରେ ବହୁ ବର୍ଷ ପର୍ଯ୍ୟନ୍ତ ପିଲାମାନେ ହାଇସ୍କୁଲରେ ପଢ଼ିବା ପାଇଁ ବରମୁଣ୍ଡା, ତପୋବନ ସ୍କୁଲକୁ ଯାଉଥିଲେ। ଏବେ ହାଇସ୍କୁଲ ହୋଇଯାଇଛି।

୧୯୫୨ ମସିହାର ଡାକଘର
୧୯୫୨ ମସିହାରେ ଏହି ଗାଁରେ ଡାକଘର ପ୍ରତିଷ୍ଠା ହୋଇଥିଲା। ଆଖପାଖ ୧୫ଖଣ୍ଡ ମଉଜାର ଲୋକେ ଏହି ଡାକଘର ଉପରେ ନିର୍ଭର କରୁଥିଲେ। ଡାକଘର ପାଇଁ ସେତେବେଳେ ଘାଟିକିଆ ବେଶ ପରିଚିତି ଲାଭ କରିଥିଲା।

ବୁଡ଼ିଗଲା ଚାଷ, ହଜିଗଲା ଗହୀର
ଗାଁରେ ପାଖାପାଖି ହଜାରେ ଏକର ଚାଷ ଜମି ଥିଲା। ଗାଁ ଲୋକଙ୍କର ମୁଖ୍ୟ ବେଉସା ଥିଲା ଚାଷ। କିନ୍ତୁ ରାଜଧାନୀର କଳେବର ବଢ଼ିବାରୁ ଗାଁ ଗହୀର ହଜିବାକୁ ଲାଗିଲା। ବିଲ୍ଡରଙ୍କ ଲୋଲୁପ ଦୃଷ୍ଟିରୁ ଗାଁ ଚାଷ ଜମି ବର୍ତ୍ତିଲା ନାହିଁ। ସବୁଜିମାଭରା ଗାଁ ଗହୀର, ଗାଁ ପାଖ ଜଙ୍ଗଲ, ଦ୍ରୁତବେଗରେ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଲା। ଗାଁର ଚାଷ ଜମିରେ ପ୍ରଥମେ ହେଭେନ୍ ଭିଲ୍ଲା ଗଢ଼ି ଉଠିଲା। ତା’ ପରେ ମାରୁତି ଭିଲ୍ଲା, ବିପୁଲ୍‌ ଗାର୍ଡେନ ଭଳି କଲୋନି ଗଢ଼ି ଉଠିଛି।

ସ୍ମୃତି ବଖାଣୁଛି ଉଆସ କୂଅ

ଆଜି ସେହି ରାଜକୁମାରଙ୍କ ଉଆସ ଆଉ ନାହିଁ। କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି। କିନ୍ତୁ ସ୍ମୃତି ରକ୍ଷା କରିବାକୁ ଏବେ ବି ତିଷ୍ଠି ରହିଛି ଉଆସର କୂଅ। କୁହାଯାଏ ବର୍ତ୍ତମାନର କମାରସାହିରେ ରାଜକୁମାରଙ୍କ ଉଆସ ଥିଲା। ଏବେ ଉଆସର କୂଅଟି କେବଳ ରହିଛି। ଲୋକେ ତାକୁ ଆଜି ବି ଉଆସ କୂଅ ବୋଲି କହୁଛନ୍ତି। ସେହିଭଳି ଉଆସ ଥିବା ସ୍ଥାନରେ ମୁଣ୍ଡଟେକିଛି ଦୋଳଗୋବିନ୍ଦଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏହି ମନ୍ଦିର ନିର୍ମାଣ ହୋଇଛି।

ଦଳଦଳ ହାତୀ ବୁଲୁଥିଲେ
୬୦ବର୍ଷ ତଳେ ଗାଁକୁ ଘେରିରହିଥିଲା ଘଞ୍ଚ ଜଙ୍ଗଲ। ଚନ୍ଦକା ଜଙ୍ଗଲର ପରିସୀମା ଘାଟିକିଆ ପର୍ଯ୍ୟନ୍ତ ଲାଗିଥିଲା। ଗାଁ ଚାରିପଟେ ଆମ୍ବ, ପଣସ ତୋଟା ଓ ବାଉଁଶ ବୁଦା ଆଦି ଘଞ୍ଚ ଜଙ୍ଗଲ ଥିଲା। ଗାଁ ଭିତରକୁ ବନ୍ୟଜନ୍ତୁ ପଶିଆସୁଥିଲେ। ତେବେ ଶୀତ ଦିନ ଆରମ୍ଭ ହେବା ପରେପରେ ଗାଁ ପାଖରେ ଦଳଦଳ ହାତୀ ବୁଲୁଥିଲେ। ଖରାଦିନେ ଆମ୍ବ, ପଣସ ପାଚିବା ବେଳକୁ ହାତୀମାନେ ଗାଁ ତୋଟାରେ ଡେରା ପକାଇ ରହୁଥିଲେ। ଏହା ପୂର୍ବରୁ ଗାଁକୁ ବାଘ ବି ଆସୁଥିଲେ ବୋଲି ଶୁଣାଯାଏ। ବିଲୁଆ ଓ ହେଟା କିନ୍ତୁ ପ୍ରବଳ ଥିଲେ।

ଜାମୁ ଜଙ୍ଗଲରେ କଳିଙ୍ଗନଗର
ଗାଁର ପଶ୍ଚିମ ଦିଗରେ ନାରଗୋଦା ଗାଁ ରହିଛି। ପୂର୍ବ ଦିଗରେ ଖଣ୍ଡଗିରି ପାହାଡ଼। ଉତ୍ତର ଦିଗରେ ଗଡ଼ପଥର(ଯେଉଁଠି ଏବେ ସିଟ୍ କଲେଜ ଓ ବନ ବିଭାଗ ପ୍ରଶିକ୍ଷଣ କେନ୍ଦ୍ର ରହିଛି) ଓ ଦକ୍ଷିଣ ଦିଗରେ ଆଇଗିଣିଆ ଗାଁ। ଗାଁର ଦକ୍ଷିଣ-ପୂର୍ବ ଦିଗରେ ଗହୀର। ଉତ୍ତର-ପଶ୍ଚିମ ଦିଗରେ ବିସ୍ତୀର୍ଣ୍ଣ ପଡ଼ିଆ ଓ ଜାମୁ ଜଙ୍ଗଲ ଥିଲା। ଘାଟିକିଆ ଓ ନାରଗୋଦା ମଝିରେ ଥିବା ଜଙ୍ଗଲ ବା ଜାମୁ ଜଙ୍ଗଲରେ ଆଜି କଳିଙ୍ଗନଗର ଗଢ଼ି ଉଠିଛି। ସେହିଭଳି ବଡ଼ପଥର ମୁଣ୍ଡିଆ କଟା ହୋଇ ସମ୍ ହସ୍ପିଟାଲ୍ ଓ ଆଖପାଖରେ ଏକାଧିକ ଆବାସିକ କଲୋନି ଗଢ଼ିଉଠିଛି।
ବଡ଼ ହାଟ ପାଇଁ ଜଟଣୀ ବଜାର
ସେତେବେଳେ ଗାଁ ଲୋକମାନେ ଖଣ୍ଡିଗିରି ମେଳାରୁ ବର୍ଷକ ପାଇଁ କୁଲା, ବାଉଁଶିଆ, କୋଡ଼ି, କୋଦାଳଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଓ ଚାଷ ଉପକରଣ କିଣୁଥିଲେ। କିନ୍ତୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ତେଲ, ଲୁଣ ପାଇଁ ଲୋକେ ଲିଙ୍ଗରାଜ ହାଟକୁ ଯାଉଥିଲେ। କିନ୍ତୁ ବିବାହ, ବ୍ରତ ଭଳି ବଡ଼ ଉତ୍ସବ ପାଇଁ ଜଟଣୀ ବଜାର ଉପରେ ନିର୍ଭର କରୁଥିଲେ। ଜଟଣୀରୁ ଶଗଡ଼ରେ ତେଜରାତି ସାମଗ୍ରୀ ଆସୁଥିଲା। ଗାଁ ଗହୀରରୁ ପ୍ରଚୁର ପରିମାଣରେ ମାଛ ମିଳୁଥିଲା। ସେହିପରି ଜଙ୍ଗଲୀ ମାଂସ ବି ପ୍ରଚୁର ମିଳୁଥିଲା। ବାର୍‌ହା, ହରିଣ, କୁଟୁରା ଓ ସମ୍ବର ମାଂସ ବହୁତ ମିଳୁଥିଲା।

ଆବର୍ଜନାରେ ମରିଯାଇଛି ଘରଘରା ନଈ
ଗାଁରେ ୪ ପୋଖରୀ ଅଛି। ଚଣ୍ଡୀ ପୋଖରୀ, ଚୁଆ ପୋଖରୀ, ତାରିଆ ପୋଖରୀ, ବାରମାଣିଆସାହି ପୋଖରୀ। ଏବେ ବି ଏହି ପୋଖରୀ ସବୁ ବ୍ୟବାହାର ହେଉଛି। ପ୍ରାୟ ସବୁ ପୋଖରୀ ଭଲ ଥିବା ବେଳେ ଚଣ୍ଡୀ ପୋଖରୀ ପୋତି ହୋଇଗଲାଣି। ତେବେ ସେଦିନର ଘରଘରା ନଈ ମରିଯାଇଛି। ନଈ ପାଲଟିଛି ଆବର୍ଜନା ଭର୍ତ୍ତି ଡ୍ରେନ୍‌। ଆଉ ସେ ଜୀବନରେଖା ହୋଇନାହିଁ।

ଯେତିକି ମନ୍ଦିର ସେତିକି ପର୍ବ
ଗାଁର ଇଷ୍ଟଦେବୀ ହେଉଛନ୍ତି ମା’ ଜଟାଧାରୀ ଓ ଇଷ୍ଟଦେବତା ପ୍ରଭୁ ନୀଳକଣ୍ଠେଶ୍ବର। ଗାଁରେ ଅନେକଗୁଡ଼ିଏ ପୁରାତନ ଓ ନୂତନ ମନ୍ଦିର ଗଢ଼ି ଉଠିଛି। ଚଣ୍ଡୀ ମନ୍ଦିର, ମଙ୍ଗଳା ମନ୍ଦିର, ଦୁଲାଦେଇ ମନ୍ଦିର, ଜେନାଭୂୟାଁ ମନ୍ଦିର, ଭାଗବତ ବାସୁଦେବ ମନ୍ଦିର ଆଦି ଅନ୍ୟତମ। ଗାଁର ମୁଖ୍ୟ ପର୍ବ ହେଉଛି ଦୋଳ ଯାତ୍ରା। ଏହି ସମୟରେ ଠାକୁର ଦୋଳଗୋବିନ୍ଦ ଗାଁ ସାରା ବୁଲି ଭୋଗ ଖାଆନ୍ତି। ଏବେ କଳିଙ୍ଗନଗରକୁ ମଧ୍ୟ ଠାକୁର ଭୋଗ ଖାଇବାକୁ ଯାଉଛନ୍ତି। ଗାଁରେ ଦୁର୍ଗାପୂଜା, ଶିବରାତ୍ରୀ, ଜନ୍ମାଷ୍ଟମୀ, ରଥଯାତ୍ରା, ଝାମୁଯାତ୍ରା ଆଦି ବହୁ ପର୍ବପର୍ବାଣି ପାଳନ କରାଯାଉଛି। ତେଣୁ ବାର ମାସରେ ତେର ପର୍ବ ରହିଛି ଏହି ଗାଁରେ। ରଜ ପର୍ବ ସମୟରେ ଗାଁର ଯୁବକମାନେ ଦୁଇ ରାତି ଅପେରା କରୁଛନ୍ତି। ଏଥିରେ ଗାଁ ଲୋକମାନେ ଅଭିନୟ କରୁଛନ୍ତି।

ସମ୍ବନ୍ଧିତ ଖବର