ପଳାସୁଣି ଫୁଟ୍‌ ଓଭରବ୍ରିଜ୍‌ କେବେ? ୩ବର୍ଷରେ ଶତାଧିକ ଦୁର୍ଘଟଣା

୧୦ରୁ ଅଧିକ ମୁଣ୍ଡ ଗଲାଣି

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ପଳାସୁଣି ଠାରେ ପ୍ରତିଦିନ ବିପଦସଙ୍କୁଳ ଭାବରେ ଛାତ୍ରଛାତ୍ରୀ, ସାଧାରଣ ଲୋକ ରାସ୍ତା ପାର୍‌ ହେଉଛନ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ସ୍ବେଚ୍ଛାସେବୀ, ସ୍ଥାନୀୟବାସିନ୍ଦା ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କଲେ ବି କୌଣସି ସୁଫଳ ମିଳୁନାହିଁ। ଏଠାରେ ଏକ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଶିଳାନ୍ୟାସ ବି ହୋଇଛି। ମାତ୍ର ପ୍ରାୟ ୩ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ପ୍ରସଙ୍ଗ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଭାରି ପଡ଼ିପାରେ ବୋଲି ଆଲୋଚନା ହେଉଛି।

ରାଜଧାନୀ ଭିତରେ ୧୬ ନମ୍ବର ଜାତୀୟ ରାଜପଥରେ ୪ଟି ସ୍ଥାନକୁ ବ୍ଲାକ୍‌ସ୍ପଟ୍‌ ଭାବେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଘୋଷଣା କରାଯାଇଛି। ପଳାସୁଣି ଛକ, ସତ୍‌ସଙ୍ଗ ବିହାର, କ୍ରାଉନ୍‌ ହୋଟେଲ୍‌ ନିକଟ ଓ ପାତ୍ରପଡ଼ା ସ୍ମୃତିବନ ଏହି ଚାରୋଟି ସ୍ଥାନରେ ଜାତୀୟ ରାଜପଥ ଉପରେ ରାସ୍ତାପାର୍‌ ସମୟ‌ରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଏହି ସବୁ ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପାଇଁ ପ୍ରାୟ ୪ ବର୍ଷ ତଳେ ଘୋଷଣା ହୋଇଥିଲା। କିନ୍ତୁ ଦୁଃଖର ବିଷୟ ‌ଘୋଷଣା ପରେ ବିଭିନ୍ନ କାରଣ ପାଇଁ କାମ ଆଗେଇ ପାରିନଥିଲା। ହେଲେ ନିର୍ବାଚନ ପୂର୍ବରୁ ସୌଭାଗ୍ୟବଶତଃ କ୍ରାଉନ୍‌ ହୋଟେଲ୍‌ ଓ ସତ୍‌ସଙ୍ଗବିହାର ଫୁଟ୍‌ ଓଭରବ୍ରିଜ୍‌ ଶେଷ ହୋଇଛି। ପାତ୍ରପଡ଼ା ସ୍ମୃତିବନ ନିକଟରେ କାମ ଜୋର୍‌ସୋର୍‌ରେ ଚାଲିଛି। ହେଲେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ପଳାସୁଣି ଫୁଟ୍‌ ଓଭରବ୍ରିଜ୍‌ ପାଇଁ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ପଳାସୁଣି ଛକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଦାବି କରି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପୁରୁଷ, ମହିଳା, ବୁଦ୍ଧିଜୀବୀ ଓ ବ୍ୟବସାୟୀମାନେ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍‌ଏଚ୍‌ଏଆଇକୁ ଚିଠି ଲେଖି ଜଣାଇଛନ୍ତି। ଏଠାରେ ପଳାସୁଣି ଗ୍ରାମବାସୀଙ୍କଠାରୁ ଆରମ୍ଭ କରି ରସୁଲଗଡ଼, ମଞ୍ଚେଶ୍ୱର, ଚକେଇସିଆଣି, ଜିଜିପି କଲୋନି, ଭିଏସଏସ୍‌ ନଗରର ହଜାର ହଜାର ଲୋକ ଦୈନିକ ରାଜପଥ ପାର୍‌ ହେଉଛନ୍ତି।

ବିପଦପୂର୍ଣ୍ଣ ଭାବେ ଜାତୀୟ ରାଜପଥ ପାର୍‌ ହେବା ବେଳ ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ୩ବର୍ଷ ଭିତରେ ଏଠାରେ ୧୦ରୁ ଅଧିକ ଲୋକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହେଲାଣି। ଏଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଫୁଟ୍‌ ଓଭରବ୍ରିଜ୍‌ ହେବ ବୋଲି ବହୁଥର ମାପଚୁପ ହେଲାଣି। ଏହି ଓଭରବ୍ରିଜ୍‌ରେ ୨ଟି ଲିଫ୍ଟ ରହିବ ଓ ଲିଫ୍ଟ ପରିଚାଳନା ପାଇଁ ୨ଜଣ ଅପରେଟରଙ୍କୁ ନିଯୁକ୍ତ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ସ୍ଥାନୀୟ ଲୋକଙ୍କ କହିବା କଥା, ଦିବାସ୍ବପ୍ନ ଦେଖାଇ ଲୋକଙ୍କୁ ଭଣ୍ଡାଇ ଦିଆଯାଇଛି। ତୁରନ୍ତ ପଳାସୁଣି ଫୁଟ୍‌ ଓଭରବ୍ରିଜ୍‌ କାମ ଆରମ୍ଭ ନହେଲେ ନିର୍ବାଚନରେ ଏହାର ପ୍ରତିଫଳନ ପଡ଼ିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଅନ୍ୟପଟେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାୟ କହିଛନ୍ତି, କିଛି ସମସ୍ୟା ଥିବାରୁ ପଳାସୁଣି କାମ ଆରମ୍ଭ ହୋଇ ପାରିନଥିଲା। ଅନ୍ୟ ୩ଟି ଫୁଟ୍‌ ଓଭରବ୍ରିଜ୍‌ ଭଳି ପଳାସୁଣି କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ।

ସମ୍ବନ୍ଧିତ ଖବର