ପାଟିକୁ ପିତା, ଦେହକୁ ହିତ

ନିମପିତା ଦେହକୁ ହିତା, ଖାଇଲେ ହୋଇବ ଜଗତଜିତା- ଏମିତି କହି ପିଲାଦିନେ ମା’ମାନେ ଛୁଆମାନଙ୍କୁ ବର୍ଷକୁ ଅନ୍ତତଃ ଥରଟିଏ ପିତା ଖୁଆଇବାକୁ ଚେଷ୍ଟା କରନ୍ତି। ମାର୍ଚ୍ଚ-ଏପ୍ରିଲ୍‌ରେ ଗଛରେ ଭରି ହୋଇଥାଏ ନିମକଢ଼ ଓ ଫୁଲ। ସେହି ବାଟ ଦେଇ ଚାଲିଗଲେ ଗୋଟେ ମୃଦୁ ବାସ୍ନା ନାକରେ ବାଜେ। ନିମଗଛର ପତ୍ର, ଫୁଲ, ଛାଲି, ମଞ୍ଜି, କାଠ ଏମିତିକି ପବନ ମଧ୍ୟ ଦେହ ପାଇଁ ଉପକାରୀ। ନିମ ଦାରୁରୁ ଦିଅଁ ମହାପ୍ରଭୁ ଜଗନ୍ନାଥ ଗଢ଼ା ହୁଅନ୍ତି। ଏଣୁ ଆମ ପରମ୍ପରାରେ ନିମଗଛକୁ ଦେବଅଂଶୀ ବୋଲି ବିଚାର କରାଯାଏ। ଆଗରୁ ଚୈତ୍ର ମାସ ବେଳକୁ ହାଡ଼ଫୁଟି, ମିଳିମିଳା ଭଳି ରୋଗର ପ୍ରାଦୁର୍ଭାବ ବଢୁଥିଲା। ଏଣୁ ଖାଇବାରେ ନିମପିତାକୁ ସାମିଲ କରାଯାଉଥିଲା‌। ଚାଷୀମାନେ ଆଗରୁ ବର୍ଷାଦି‌ନେ ବିଲରୁ ଫେରିଲା ପରେ ନିମ୍ବ ତେଲ ପାଦରେ ଲଗାଇ ଘା, ଘଉଡ଼, ପୋକ ଜୋକଙ୍କ କାମୁଡ଼ାରୁ ରକ୍ଷା ପାଉଥିଲେ।

ଏବେ ବଜାରରେ ବି କଅଁଳ ନିମ୍ବପତ୍ର, କଢ଼, ଫୁଲ ସହଜ‌ରେ ମିଳୁଛି। ନିମଫୁଲ ଓ କଢ଼କୁ ଭଲ ଭାବରେ ଗୋଟେ କୁଲା ବା ସଫା ଅଖା ଉପରେ ଝାଡ଼ି ଝାଡ଼ି ସଫା କରିଦିଅନ୍ତୁ। ଅଧିକ ହେଲେ ଖରାରେ ଶୁଖାଇ ଦିଅନ୍ତୁ, ବର୍ଷସାରା ବ୍ୟବହାର କରିପାରିବେ। ଆବଶ୍ୟକ ପରିମାଣରେ କଅଁଳ ପତ୍ର/ କଢ଼କୁ ନେଇ ଗୋଟେ ଚାମଚ ସୋରିଷ ତେଲ, ଲୁଣ, ଲଙ୍କା ଦେଇ ମୁସୁମୁସିଆ କରି ଭାଜି କାଢ଼ି ଆଣନ୍ତୁ। ଏଥିରେ ଆଳୁ ବା ବାଇଗଣ ଭାଜି ଶେଷରେ ସେଥିରେ ନିମକଢ଼ି ଭଜା ପକେଇ ମିଶେଇ ଦିଅନ୍ତୁ। କିମ୍ବା ପିଠଉ ବଟାରେ ଛୋଟ ଛୋଟ କଟା ଆଳୁ, ପିଆଜ, ରସୁଣ, କଞ୍ଚାଲଙ୍କା, ନିମକଢ଼ ମିଶେଇ ଛୋଟ ଛୋଟ ବରା ପରି କରି ତାୱାରେ ଭାଜି ଦିଅନ୍ତୁ, ସୁଆଦିଆ ଲାଗିବ। ପୁଣି ଗୋଟେ କଞ୍ଚା ଆମ୍ବ ନେଇ ଛୋଟ ଛୋଟ କାଟି ସେଥିରେ ଛୋଟ ଛୋଟ କଟା ଆଳୁ, ବାଇଗଣ, ସୋରିଷ ତେଲ, ଲଙ୍କା, ଲୁଣ, ହଳଦୀ ମିଶେଇ ସୋରିଷ ବଟା ଦେଇ ଜୁକୁଜୁକିଆ କରି ରାନ୍ଧିଲେ ପିତା ଅଂଶ ବେଶ୍‌ କମିଯିବ। ପିଲାମାନେ ମଧ୍ୟ ଖାଇପା‌ରିବେ ଏସବୁ ରାନ୍ଧଣା। କେବଳ ଓଡ଼ିଆମାନେ ନୁହଁନ୍ତି, ତେଲୁଗୁ ନବବର୍ଷ ‘ଉଗାଡ଼ି’ରେ ଯେଉଁ ପାରମ୍ପରିକ ‘ପଚଡ଼ି’ ତିଆରି ହୁଏ ସେଥିରେ କଅଁଳ ନିମପତ୍ର/କଢ଼/ଗୁଡ଼, ଆଖୁ, କଞ୍ଚା ଆମ୍ବ, ଲୁଣ, କଞ୍ଚାଲଙ୍କା, ତେନ୍ତୁଳି ମିଶି ତିଆରି ହୋଇଥାଏ, ଯାହା ଷଡ଼ରସର ପ୍ରତୀକ ଭାବେ ଗ୍ରହଣ କରାଯାଏ।

ସମ୍ବନ୍ଧିତ ଖବର