୨୦୨୪ ଜାନୁଆରି ୨୭, ‘ଆଇକନ୍ ଅଫ୍ ଦି ସିଜ୍’ (ସମୁଦ୍ରର ପ୍ରତୀକ) ନାମକ ବିଶ୍ୱର ସର୍ବବୃହତ୍ ‘କ୍ରୁଜ୍’ ଜାହାଜ ଫ୍ଲୋରିଡାର ମିଆମିରୁ ଯାତ୍ରା ଆରମ୍ଭ କରିଛି। ଟାଇଟାନିକ୍ ଠାରୁ ପାଞ୍ଚ ଗୁଣ ବଡ଼ ଏହି ‘କ୍ରୁଜ୍’ର ଲମ୍ବ ୩୬୫ ମିଟର। ୨୦ଟି ଡେକ୍ ଥିବା ଏହି ‘କ୍ରୁଜ୍’ରେ ସର୍ବାଧିକ ୭,୬୦୦ ଯାତ୍ରୀ ଯାତ୍ରା କରିପାରିବେ। ପ୍ରଦୂଷଣ ନିର୍ଗମନ କମ୍ କରିବା ଓ ଇନ୍ଧନ ଦକ୍ଷତା ୨୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଏହି ‘କ୍ରୁଜ୍’ରେ ଲାଗିଥିବା ଇଞ୍ଜିନ ଉଭୟ ତରଳ ଓ ଗ୍ୟାସୀୟ ଇନ୍ଧନ ଦ୍ବାରା ଚାଲୁଛି। ତେଣୁ ଏହା ପରିବେଶ ଅନୁକୂଳ ବୋଲି ଘୋଷଣା କରାଯାଇଛି। ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଉଥିଲେ ମଧ୍ୟ ଏ ଜାହାଜରୁ ବିପୁଳ ମିଥେନ୍ ଗ୍ୟାସ ନିର୍ଗମନକୁ ନେଇ ସମୁଦ୍ର ବିଜ୍ଞାନୀମାନେ ଚିନ୍ତା ପ୍ରକଟ କରିଛନ୍ତି। ତେଣେ, ବନ୍ଦର ପ୍ରଦୂଷଣ ହେବା ଆଶଙ୍କା କରି ଅନେକ ୟୁରୋପୀୟ ଦେଶ ‘କ୍ରୁଜ୍’ ଜାହାଜଗୁଡ଼ିକ ପ୍ରତି ନୂଆ କଟକଣା ଜାରି କରିଥିବା ବେଳେ ‘ଆଇକନ୍ ଅଫ୍ ଦି ସିଜ୍’ ଯାତ୍ରା ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପରିବେଶବିତ୍ ଓ ସାମୁଦ୍ରିକ ପରିସଂସ୍ଥାନ ବିଶେଷଜ୍ଞମାନଙ୍କ ଦ୍ୱାରା ୨୦୨୩ରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ‘କ୍ରୁଜ୍’ ଜାହାଜଗୁଡ଼ିକରୁ ଅନେକ ସମୟରେ ଏଲ୍ଏନ୍ଜି ଲିକ୍ ହୋଇ ମିଥେନ୍ ଗ୍ୟାସ୍୍ ଆକାରରେ ସିଧାସଳଖ ବାୟୁମଣ୍ଡଳରେ ମିଶିଯାଏ।
ଜାହାଜରୁ ପ୍ରଦୂଷଣ ସୃଷ୍ଟିକାରୀ ବାଷ୍ପ ନିର୍ଗମନ ହେବାର ପ୍ରମୁଖ କାରଣ ହେଉଛି ଗତାନୁଗତିକ ଭାବେ ବ୍ୟବହାର କରାଯାଉଥିବା ସାମୁଦ୍ରିକ ଇନ୍ଧନ। ତଥ୍ୟ ଦର୍ଶାଉଛି, ୨୦୨୨ରେ ୧ ବିଲିଅନ କାର୍ରୁ ଯେତିକି ସଲଫର ଅକ୍ସାଇଡ୍ (ଏସଓଏକ୍ସ) ନିର୍ଗତ ହୋଇଛି ୟୁରୋପର ୨୧୮ଟି ‘କ୍ରୁଜ୍’ ଜାହାଜରୁ ତା’ଠାରୁ ଅଧିକ ଏସଓଏକ୍ସ ନିର୍ଗତ ହୋଇଛି। ସବୁଠାରୁ ସୁବ୍ୟବସ୍ଥିତ ‘କ୍ରୁଜ୍’ ପ୍ରତି କିଲୋମିଟର ଯାତ୍ରା କରିବାରେ ପ୍ରାୟ ୨୫୦ ଗ୍ରାମ୍ କାର୍ବନ ଡାଇଅକ୍ସାଇଡ (ସିଓ୨) ନିର୍ଗମନ କରିଥାଏ। କିନ୍ତୁ, ସେହି ତୁଳନାରେ ଏକ ସ୍ୱଳ୍ପ ଦୂରଗାମୀ ବିମାନ ୧୧୧.୧ ଗ୍ରାମ୍ ସିଓ୨ ନିର୍ଗମନ କରେ। ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲ୍ଏନଜି)ରେ ଚାଲୁଥିବାରୁ ପୁରୁଣାକାଳିଆ ସାମୁଦ୍ରିକ ଇନ୍ଧନ ତୁଳନାରେ ‘ଆଇକନ୍ ଅଫ୍ ଦି ସିଜ୍’ରୁ କମ୍ ପ୍ରଦୂଷଣକାରୀ ପଦାର୍ଥ ନିର୍ଗମନ ହୁଏ। ଏଲ୍ଏନଜିରୁ କମ୍ ନାଇଟ୍ରସ୍ ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ଓ ପ୍ରଦୂଷଣକାରୀ କଣିକା ନିର୍ଗତ ହୁଏ। ଏଲ୍ଏନଜି ‘କ୍ରୁଜ୍’ଗୁଡ଼ିକ ବନ୍ଦରରେ ମଧ୍ୟ ସିଓ୨ ନିର୍ଗମନକୁ ୨୫ ପ୍ରତିଶତ ହ୍ରାସ କରିଛନ୍ତି। ଏକଥା ପଢ଼ିବାକୁ ଭଲ ଲାଗୁଛି ସତ କିନ୍ତୁ, ବାସ୍ତବରେ ଏହି ବ୍ୟବସ୍ଥାରେ ଅନେକ ଦୋଷତ୍ରୁଟି ଥିବା କଥା ବିଶେଷଜ୍ଞମାନେ କହିଛନ୍ତି।
ପରିବେଶବିତ୍ ଓ ସାମୁଦ୍ରିକ ପରିସଂସ୍ଥାନ ବିଶେଷଜ୍ଞମାନଙ୍କ ଦ୍ୱାରା ୨୦୨୩ରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି, ‘କ୍ରୁଜ୍’ ଜାହାଜଗୁଡ଼ିକରୁ ଅନେକ ସମୟରେ ଏଲ୍ଏନ୍ଜି ଲିକ୍ ହୋଇ ମିଥେନ୍ ଗ୍ୟାସ୍୍ ଆକାରରେ ସିଧାସଳଖ ବାୟୁମଣ୍ଡଳରେ ମିଶିଯାଏ। ଏହା ଅଙ୍ଗାରକାମ୍ଳଠାରୁ ୮୦ ଗୁଣ ଅଧିକ କ୍ଷତିକାରକ ଏବଂ ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ପାରମ୍ପରିକ ଇନ୍ଧନ ତୁଳନାରେ ଜଳବାୟୁ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ। ଆକଳନ ଅନୁଯାୟୀ, ପୁରୁଣାକାଳିଆ ସାମୁଦ୍ରିକ ଇନ୍ଧନ ତୁଳନାରେ ଏଲ୍ଏନଜି ସାମଗ୍ରିକ ଭାବେ ୧୨୦ ପ୍ରତିଶତରୁ ଅଧିକ ମିଥେନ୍ ଗ୍ୟାସ୍ ନିର୍ଗମନ କରିଥାଏ ବୋଲି ଇଣ୍ଟର୍ନ୍ୟାସ୍ନାଲ୍ କାଉନ୍ସିଲ୍ ଅନ୍ କ୍ଲିନ୍ ଟ୍ରାନ୍ସ୍ପୋର୍ଟେସନ୍ର ସାମୁଦ୍ରିକ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ବ୍ରାଏନ୍ କୋମର୍ କହିଛନ୍ତି। ବିଶ୍ୱ ଜାହାଜ ଚଳାଚଳ ଓ ପରିବହନ ନିୟନ୍ତ୍ରଣ କରୁଥିବା ମିଳିତ ଜାତିସଂଘ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇ.ଏମ.ଓ.) କହିଛି, ୨୦୨୦ରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ୨୦୧୨ରୁ ୨୦୧୮ ମଧ୍ୟରେ ସାମୁଦ୍ରିକ ଇନ୍ଧନ ରୂପେ ଏଲ୍ଏନଜିର ବ୍ୟବହାର ୩୦ ପ୍ରତିଶତ ବୃଦ୍ଧି ଘଟିବା ଯୋଗୁଁ ଜାହାଜରୁ ମିଥେନ ନିର୍ଗମନ ୧୫୦ ପ୍ରତିଶତ ବୃଦ୍ଧି ଘଟିଛି। ଆଜିକାଲି ଅଧିକ ପରିବେଶ ଉପଯୋଗୀ ଜାହାଜ ଇଞ୍ଜିନ୍ ନିର୍ମାଣ ହେବା ସହିତ ପ୍ରଦୂଷଣ ସମସ୍ୟା ସମାଧାନର ଉପାୟ କରାଯାଉଛି। କିନ୍ତୁ, ୨୦୫୦ ସୁଦ୍ଧା ଶୂନ୍ୟ ନିର୍ଗମନ ପାଇଁ ଆଇ.ଏମ୍.ଓ. ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏବେ ନିର୍ମାଣ ହେଉଥିବା ଜାହାଜଗୁଡ଼ିକ ସେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିବ। ତେଣୁ, ଆଇ.ଏମ.ଓ. ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ ବୋଲି ପରିବେଶବିତ୍ମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।