ପିଙ୍କ୍‌ ଟ୍ୟାକ୍ସ

‘ପିଙ୍କ ଟ୍ୟାକ୍ସ’ ଭାରତରେ ଆଇନ ଦ୍ୱାରା ନିଷିଦ୍ଧ ନୁହେଁ ଏବଂ ଏହା ଉପରେ କୌଣସି ନିର୍ଦ୍ଦିଷ୍ଟ ସରକାରୀ ନିୟମାବଳୀ ନାହିଁ। ବଜାରର ଗତିଶୀଳତା ଓ ଚାହିଦାକୁ ଆଧାର କରି ମହିଳାଙ୍କ ଦ୍ରବ୍ୟ ଓ ସେବା ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଭାରତରେ ଗୋଲାପି ଟିକସ ଉପରେ ସୀମିତ ଗବେଷଣା ହୋଇଥିବା ବେଳେ ସର୍ଭେରୁ ମହିଳା ଓ ପୁରୁଷଙ୍କ ପାଇଁ ଉତ୍ପାଦ ମଧ୍ୟରେ ମୂଲ୍ୟ ଉପରେ ତାରତମ୍ୟର ଦେଖାଯାଇଥାଏ। ଇଣ୍ଡିଆନ୍ ବାୟୋଫାର୍ମାସ୍ୟୁଟିକାଲ କମ୍ପାନି ବାୟୋକନ୍‌ର ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କିରଣ ମଜୁମଦାର ଶ’ ସୋସିଆଲ ମିଡିଆରେ ‘ପିଙ୍କ୍‌ ଟ୍ୟାକ୍ସ’ ପ୍ରଥାକୁ ଆହ୍ୱାନ କରିଥିଲେ। ବଜାରରେ ଉପଲବ୍ଧ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଉତ୍ପାଦ ପାଇଁ ମହିଳାମାନେ ଅଧିକ ମୂଲ୍ୟ ଦେବା ଢାଞ୍ଚାକୁ ଗୋଲାପି ଟିକସ କୁହାଯାଏ। ବଜାର ବିଶେଷଜ୍ଞ ଡ. ସଞ୍ଜୟ ଅରୋରା ଏକ ଭିଡିଓ ସେୟାର କରି ଗୋଲାପି ଟିକସର କିଛି ଉଦାହରଣ ଦେଇଛନ୍ତି। ଅରୋରା କହିଛନ୍ତି ଯେ, ବଜରରେ ବିକ୍ରି ହେଉଥିବା ସମାନ ଆକାର ଓ ପରିମାଣର ଉତ୍ପାଦ ପାଇଁ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିଥାଏ।

ଭିଡିଓରେ ଅରୋରା ମହିଳାଙ୍କ ପାଇଁ ୨୫୦ ଟଙ୍କା ମୂଲ୍ୟର ଲିପ୍ ବାମ୍ ଦେଖାଉଥିବା ବେଳେ ପୁରୁଷମାନେ ସମାନ ଆକାର ଓ ସମାନ ପ୍ରଡକ୍ଟ ପାଇଁ ୧୬୫ ଟଙ୍କା ଦେଉଛନ୍ତି। ଏହା ୫୫ ପ୍ରତିଶତ ପ୍ରିମିୟମ୍‌ ବୋଲି ସେ କହିଛନ୍ତି। ସେହିପରି ୧୦ ପ୍ରତିଶତ ପ୍ରିମିୟମ୍‌ ସହିତ ଏକ ସାଦା ରେଜର ଆସିଥିଲା। ସେ ଏକ ପୋଷାକ ବ୍ରାଣ୍ଡ୍‌ର ଉଦାହରଣ ଦେଇ କହିଛନ୍ତି ଯେ, ଜଣେ ମହିଳା ଟି-ସାର୍ଟ ପାଇଁ ୫୦ ପ୍ରତିଶତ ପ୍ରିମିୟମ ଦେଉଥିବା ବେଳେ କେଶ କାଟିବା ପାଇଁ ୧୦୦ ପ୍ରତିଶତ ପ୍ରିମିୟମ ଦେଉଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ପୁରୁଷଙ୍କ ସମାନ କାମ ପାଇଁ ମହିଳାମାନଙ୍କୁ ୧୪.୮ ପ୍ରତିଶତ କମ୍ ମଜୁରି ମିଳୁଥିଲେ ମଧ୍ୟ ଏହି ମୂଲ୍ୟ ବୃଦ୍ଧି ହୋଇଛି। ଲିଙ୍ଗ ଆଧାରିତ ମୂଲ୍ୟ ବୈଷମ୍ୟ ଅନେକ କ୍ଷେତ୍ରରେ ପ୍ରଚଳିତ, କିନ୍ତୁ ସେଥିମଧ୍ୟରୁ ଗୋଟିଏ ହେଉଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଉଦାହରଣସ୍ୱରୂପ ସାବୁନ, ଲୋସନ୍, ରେଜର୍‌ ବ୍ଲେଡ୍ ଓ ପର୍‌ଫ୍ୟୁମ୍‌ ଏଥିରେ ଅନ୍ତର୍ଭୁକ୍ତ ଯାହା ବିଶେଷ ଭାବରେ ମହିଳା କିମ୍ବା ପୁରୁଷମାନଙ୍କୁ ମାର୍କେଟ୍ କରାଯାଏ ବୋଲି ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ କହିଛି। ଆୟ ବ୍ୟବଧାନ ଓ ପେନସନ ବ୍ୟବଧାନ ମହିଳାଙ୍କୁ ପୂର୍ବରୁ ଅସୁବିଧାରେ ପକାଇଥିବା ବେଳେ ଏବେ ଗୋଲାପି ଟିକସ ମହିଳା ଓ ପୁରୁଷଙ୍କ ମଧ୍ୟରେ ଆର୍ଥିକ ଅସମାନତାକୁ ଆହୁରି ବଢ଼ାଇ ଦେଇଛି। ଗୋଲାପି ଟିକସ ସରକାର ଲାଗୁ କରୁନାହାନ୍ତି ବରଂ ଉତ୍ପାଦ ବିକ୍ରି କରୁଥିବା ବ୍ୟବସାୟୀମାନେ ଲାଗୁ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ବଜାରର ଶକ୍ତି ଯୋଗୁ ମୂଲ୍ୟ ନିର୍ଦ୍ଧାରଣରେ ଅସମାନତା ଦେଖାଦେଉଛି। ୨୦୧୫ରେ ନ୍ୟୁୟର୍କ ସହରର ଖାଉଟି ବ୍ୟାପାର ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ମହିଳାମାନଙ୍କ ଉତ୍ପାଦ ସାଧାରଣତଃ ଉପଯୁକ୍ତ କାରଣ ବିନା ପୁରୁଷମାନଙ୍କ ଠାରୁ ଅଧିକ ମହଙ୍ଗା ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ, ମହିଳାମାନଙ୍କ ପାଇଁ ସ୍ପଷ୍ଟ ଭାବେ ବଜାରରେ ବିକ୍ରି ହେଉଥିବା ଉତ୍ପାଦଗୁଡ଼ିକ ପୁରୁଷମାନଙ୍କ ପାଇଁ ବିକ୍ରି ହେଉଥିବା ଉତ୍ପାଦଗୁଡ଼ିକ ତୁଳନାରେ ହାରାହାରି ୭ ପ୍ରତିଶତ ଅଧିକ ଖର୍ଚ୍ଚ ହୋଇଥାଏ। ଏହି ଅସଙ୍ଗତି ମଧ୍ୟରେ ପୋଷାକ, ଖେଳନା ଓ ସ୍ୱାସ୍ଥ୍ୟସେବା ଉତ୍ପାଦ ସମେତ ଅନ୍ୟାନ୍ୟ ଜିନିଷ ରହିଛି।

ଆର୍ଜେଣ୍ଟିନା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍, ଅଷ୍ଟ୍ରେଲିଆ, ଇଟାଲି ସମେତ ଅନେକ ଦେଶ ଗୋଲାପି ଟିକସର ତଦନ୍ତ କରିଛନ୍ତି। ଉଦାହରଣ ସ୍ୱରୂପ, ବ୍ରିଟେନରେ ଦେଖିବାକୁ ମିଳିଛି ଯେ ମହିଳା ଓ ଯୁବତୀମାନଙ୍କୁ ପୁରୁଷଙ୍କ ତୁଳନାରେ ଖେଳନା, ପ୍ରସାଧନ ସାମଗ୍ରୀ ଓ ପୋଷାକ ପାଇଁ ହାରାହାରି ୩୭ ପ୍ରତିଶତ ଅଧିକ ଅର୍ଥ ଆଦାୟ କରାଯାଉଛି। ବ୍ରିଟେନରେ ମଧ୍ୟ ବାଳିକାଙ୍କ ସ୍କୁଲ ୟୁନିଫର୍ମ ପୁଅଙ୍କ ୟୁନିଫର୍ମ ତୁଳନାରେ ୧୨ ପ୍ରତିଶତ ମହଙ୍ଗା ଥିଲା। ଏହାବ୍ୟତୀତ ସିଙ୍ଗାପୁରରେ ମହିଳାମାନଙ୍କୁ ସରକାର ପ୍ରଚଳନ କରିଥିବା ଜାତୀୟ ଦୀର୍ଘକାଳୀନ ଯତ୍ନ ବୀମା ଯୋଜନା ‘କେୟାରସିଲ୍ଡ ଲାଇଫ୍’ ପାଇଁ ଅଧିକ ପ୍ରିମିୟମ୍‌ ଦେବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର