ଆଇପିଏଲ୍‌ କ୍ୱାଲିଫାୟର-୧: ଚେନ୍ନାଇ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଯୁବ ବ୍ୟାଟ୍ସମ୍ୟାନ୍‌ ପୃଥ୍ଵୀ ସ’-ଋଷଭ ପନ୍ତଙ୍କ ଅର୍ଦ୍ଧଶତକ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ ପାଇଁ ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍‌ସ (ଡିସି) ମଧ୍ୟରେ ମୁହାଁମୁହିଁ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଛି। ଫଳରେ ଚେନ୍ନାଇ ଆଗରେ ଦିଲ୍ଲୀ ୧୭୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ଵୀ ସ’ ସର୍ବାଧିକ ୬୦ ରନ୍ କରି ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ।

ଯୁବ କ୍ରିକେଟର ପୃଥ୍ଵୀ ସ’ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ (୭ରନ୍‌) ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆରମ୍ଭରୁ ଭଲ ଖେଳି ଥିଲେ। କିନ୍ତୁ ଦଳ ୩୬ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ଭାବେ ଧଓ୍ଵନଙ୍କୁ ହରାଇଥିଲା। ଧଓ୍ଵନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଶ୍ରେୟସ ଆୟର। କିନ୍ତୁ ସେ ୮ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୧ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଛାଡ଼ିଥିଲେ।

ପୃଥ୍ଵୀ ସ’ଙ୍କ ୩୪ ବଲରେ ୬୦ ରନ୍, ଅଧିନାୟକ ଋଷଭ ପନ୍ତଙ୍କ ଅପରାଜିତ ୫୧ ରନ୍‌, ସିମରନ୍‌ ହେଟମେୟରଙ୍କ ୩୭ ରନ୍‌ ବଳରେ ଦିଲ୍ଲୀ ନିଜର ସ୍କୋରକୁ ୧୭୨ ରନ୍‌ରେ ପହଂଚାଇଥିଲା। ଅକ୍ଷର ପଟେଲ ୧୦ ରନ୍‌, ଟମ୍‌ କରନ୍‌ କୌଣସି ରନ୍‌ ସଂଗ୍ରହ ନକରି ଅପରାଜିତ ଫେରିଥିଲେ।

ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ଜୋସ୍‌ ହେଜେଲଉଡ ୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଦେଜା, ମୋଇନ ଅଲ୍ଲୀ ଓ ଡେ୍ଵନ୍‌ ବ୍ରାଭୋଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର