ଆଇସିସିର ନୂଆ ବିତ୍ତୀୟ ମଡେଲ୍‌: ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବ

ମୁମ୍ବାଇ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ନୂଆ ବିତ୍ତୀୟ ମଡେଲ୍‌ ଅନୁଯାୟୀ ବିଶ୍ବରେ ବିସିସିଆଇ ସବୁଠୁ ଧନୀ କ୍ରିକେଟ୍‌ ବୋର୍ଡ ଭାବେ ଆଧିପତ୍ୟ ବଜାୟ ରଖିବ। ନୂଆ ମଡେଲ୍‌ ଅନୁସାରେ ଆଇସିସିର ବାର୍ଷିକ ଆୟର ପାଖାପାଖି ୪୦ ପ୍ରତିଶତ ବିସିସିଆଇ ପକେଟ୍‌କୁ ଆସିବ। ଆଇସିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୨୦୨୪ରୁ ୨୦୨୭ ବର୍ଷ ମଧ୍ୟରେ ଆଇସିସିଠୁ ୬୦୦ ମିଲିଅନ୍‌ ଡଲାରରୁ ବିସିସିଆଇ ପାଖାପାଖି ୨୩୦ ମିଲିଅନ୍‌ ଡଲାର ବା ପ୍ରାୟ ୨ହଜାର କୋଟି ଟଙ୍କା ଭାଗ ପାଇବ। ବିସିସିଆଇ ପଛକୁ ଦ୍ବିତୀୟ ସର୍ବାଧିକ ଆୟକାରୀ ବୋର୍ଡ ଭାବେ ଇଂଲଣ୍ଡ ରହିଛି। ମୋଟ୍‌ ଆୟର ୬.୮୯ ପ୍ରତିଶତ ଅର୍ଥାତ୍‌ ୪୧.୩୩ ମିଲିଅନ୍‌ ଡଲାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଆୟ କରିବ।

ସେହିପରି କ୍ରିକେଟ୍‌ ଅଷ୍ଟ୍ରେଲିଆ ୩୭.୫୩ ମିଲିଅନ୍‌ ଡଲାର (୬.୨୫%) ସହିତ ତୃତୀୟ ସର୍ବାଧିକ ଆୟକାରୀ ହେବାକୁ ଯାଉଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ ୩୪.୫୧ ମିଲିଅନ୍‌ ଡଲାର (୫.୭୫%) ଆୟ ସହ ଚତୁର୍ଥ ସ୍ଥାନରେ ରହିଛି। ଏମାନଙ୍କ ବ୍ୟତୀତ ଅନ୍ୟ ୮ ପୂର୍ଣ୍ଣ ସଦସ୍ୟ ବୋର୍ଡଙ୍କର ଆୟ ୫ ପ୍ରତିଶତ ତଳକୁ ରହିବ। ଆଇସିସିର ବାର୍ଷିକ ଆୟ ୬୦୦ ମିଲିଅନ୍‌ ଡଲାରରୁ ୧୨ ପୂର୍ଣ୍ଣ ସଦସ୍ୟ ବୋର୍ଡ ୫୩୨.୮୪ ମିଲିଅନ୍‌ ଡଲାର (୮୮.୮୧%) ଏବଂ ବଳକା ୬୭.୧୬ ମିଲିଅନ୍‌ ଡଲାର (୧୧.୧୯%) ସହଯୋଗୀ ସଦସ୍ୟ ବୋର୍ଡମାନେ ପାଇବେ। ଆଇସିସିର କେବଳ ମିଡିଆ ଅଧିକାର ବିକ୍ରିରୁ ଆସିଥିବା ୩.୨ ବିଲିଅନ୍‌ ଡଲାର (ପାଖାପାଖି ୨୬୫୬୦ କୋଟି ଟଙ୍କା) ଆୟକୁ ଦେଖି ଏହି ବାର୍ଷିକ ଆୟର ଆକଳନ କରାଯାଇଛି। ପ୍ରଥମ ଥର ପାଇଁ ଆଇସିସି ଭାରତୀୟ ବଜାର ସହ ୫ଟି ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଭାବେ ମିଡିଆ ଅଧିକାର ବିକ୍ରି କରିବାରୁ ଏପରି ଆୟ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର