ମୋତେ ଲାଗୁନି ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳିପାରିବେ: କପିଲ ଦେବ

ନୂଆଦିଲ୍ଲୀ: ମୋତେ ଲାଗୁନି ହାର୍ଦ୍ଦିକ ପାଣ୍ଡ୍ୟା ଟେଷ୍ଟ କ୍ରିକେଟ ଖେଳିପାରିବେ। ୧୯୮୩ବିଶ୍ୱକପ ବିଜେତା ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କପିଲ ଦେବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏଭଳି ବିବୃତି ଦେଇଛନ୍ତି। ହାର୍ଦ୍ଦିକଙ୍କ ଫିଟନେସ ଉପରେ ନିଜର ମତ ଦେଇ ସେ ଏଭଳି କହିଛନ୍ତି। କପିଲ ଦେବଙ୍କ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଫିଟ୍, କିନ୍ତୁ ଟେଷ୍ଟ କ୍ରିକେଟ୍ ଖେଳି ପାରିବେ ନାହିଁ।

ହାର୍ଦ୍ଦିକ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ, କିନ୍ତୁ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପରେ ସେ ଭାରତ ପାଇଁ ଆଉ ଧଳା ଜର୍ସି ପିନ୍ଧି ନାହାନ୍ତି। ୨୦୧୮ରେ ଏସିଆ କପ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଥିଲା। ସେବେଠାରୁ ସେ ଓଡିଆଇ ଓ ଟି-୨୦ ଖେଳୁଥିଲେ ମଧ୍ୟ ଟେଷ୍ଟ କ୍ରିକେଟଠାରୁ ବହୁତ ଦୂରରେ। ତେବେ ଏକ ସାକ୍ଷାତକାର ସମୟରେ କପିଲ ଦେବଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଅଲରାଉଣ୍ଡର ଭାବରେ ଖେଳି ପାରିବେ କି? ସେତେବେଳେ ଏହାର ଜବାବ ଦେଇ କପିଲ ଦେବ କହିଥିଲେ, ମୋତେ ଲାଗୁନି ସେ ପାରିବେ। ମୁଁ ତାଙ୍କର ଫଟୋଗ୍ରାଫ୍ ‘ବିଲବୋର୍ଡ ଟୁଡେ’ରେ ଦେଖିଥିଲି। ଫଟୋକୁ ଟିକିଏ ଏଡିଟ୍ କରାଯାଇଛି କି ନାହିଁ ମୁଁ ଜାଣେ ନାହିଁ। କିନ୍ତୁ ତାଙ୍କ ଶରୀର ଫଟୋରେ ଭଲ ଦେଖାଯାଉଥିଲା। ଭାରତରେ ବହୁତ କମ୍ ଲୋକଙ୍କର ଏପରି ଫିଟନେସ୍ ଅଛି। କିନ୍ତୁ ତାଙ୍କ ପିଠିରେ ଆଘାତ ଲାଗିବା ପରେ ‌‌ସେ ଟେଷ୍ଟ କ୍ରିକେଟ ଖେଳୁନାହାନ୍ତି। ହେଲେ ଯଦି ସେ ଫିଟ୍ ଅଛନ୍ତି ତେବେ ସେ ଟେଷ୍ଟ କ୍ରିକେଟ ଖେଳିବା ଉଚିତ୍।

ସମ୍ବନ୍ଧିତ ଖବର