ସ୍ପୋର୍ଟସ କମ୍ପ୍ଲେକ୍ସ ଓ ୨୬ ଇନ୍‌ଡୋର ଷ୍ଟାଡିୟମ୍‌ ଉଦ୍‌ଘାଟିତ

ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ୧୨ ଜିଲ୍ଲାରେ ୨୬ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ୧୧ ଏକର ପରିମିତ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ପ୍ରାକୃତିକ ଫୁଟ୍‌ବଲ୍‌ ପଡ଼ିଆ ଓ ସିନ୍ଥେଟିକ୍ ଦୌଡ଼କୁଦ ଟ୍ରାକ୍ ରହିଛି। ୫୦୦ ଦର୍ଶକ ବସିବା କ୍ଷମତା ରହିଛି। ଏଠାରେ ଅନ୍ତର୍ଜାତୀୟମାନର ଉପକରଣ ସହିତ ଏକ ଜିମ୍ନାଷ୍ଟିକ୍ସ ସେଣ୍ଟର, ଅଲିମ୍ପିକ୍‌ମାନର ସୁଇମିଂ ପୁଲ୍, ଦୁଇଟି ସିନ୍ଥେଟିକ୍ ଟେନିସ୍ କୋର୍ଟ ଏବଂ ଗୋଟିଏ ବାସ୍କେଟବଲ୍ କୋର୍ଟ ରହିଛି। ସେହିପରି ଉଦ୍‌ଘାଟିତ ହୋଇଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ୍‌ ଟେନିସ୍‌, ଯୋଗ, ଚେସ୍, ଭାରୋତ୍ତୋଳନ ଓ ଜିମ୍ ଆଦି କ୍ରୀଡ଼ା ପାଇଁ ସୁବିଧା ରହିଛି। ଗାଁରୁ ସହର ପର୍ଯ୍ୟନ୍ତ ସବୁଠାରେ ବୃତ୍ତିଗତ କ୍ରୀଡ଼ାର ବିକାଶ ପାଇଁ ୫-ଟି ଉପକ୍ରମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯାଇଛି।

ଏହି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉତ୍ସାହିତ କରିବ। ଦକ୍ଷିଣ ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଏହି କମ୍ପ୍ଲେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏକ ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଛୁ। ଏହା ଦ୍ୱାରା ଓଡ଼ିଶା ଆଜି ସାରା ବିଶ୍ୱରେ କ୍ରୀଡ଼ା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। କ୍ରୀଡ଼ା କ୍ଷେତ୍ରରେ ଆଜି ସବୁ ରାଜ୍ୟ ଓଡ଼ିଶା ମଡେଲକୁ ଅନୁସରଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଇନ୍‌ଡୋର ଷ୍ଟାଡିୟମ୍‌ ଉଦ୍‌ଘାଟନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସବୁ ଇନ୍‌ଡୋର ଷ୍ଟାଡିୟମ୍‌ ରାଜ୍ୟରେ କ୍ରୀଡ଼ା ସଂସ୍କୃତିକୁ ଆହୁରି ଆଗକୁ ନେବ। ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ।

ଦକ୍ଷ ଯୁବ ସମାଜ ଗଠନ ପାଇଁ ଆମେ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ୱ ଦେଉଛୁ: ମୁଖ୍ୟମନ୍ତ୍ରୀ
ସ୍ପୋର୍ଟସ୍ କମ୍ପ୍ଲେକ୍ସଗୁଡ଼ିକର ଠିକ୍‌ ଉପଯୋଗ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କର: ୫-ଟି ଅଧ୍ୟକ୍ଷ

ଏହି ଅବସରରେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ସବୁ ସ୍ପୋର୍ଟସ୍ କମ୍ପ୍ଲେକ୍ସଗୁଡ଼ିକ ଓଡ଼ିଶାବାସୀଙ୍କ ଟଙ୍କାରେ ତିଆରି ହୋଇଛି। ଏହା ଆପଣମାନଙ୍କ ସମ୍ପତ୍ତି। ଏଗୁଡ଼ିକୁ ଠିକ୍‌ ଭାବେ ଉପଯୋଗ କରିବେ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଜୟପୁରଠାରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ କ୍ରୀଡ଼ାକୁ ସର୍ବୋଚ୍ଚ ସ୍ତରକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିସନର ତଥା ଶାସନ ସଚିବ ଆର ଭିନୀଲ କ୍ରିଷ୍ଣା ସ୍ୱାଗତ ଭାଷଣ ଦେଇଥିଲେ।

ଜୟପୁରଠାରେ କ୍ରୀଡ଼ା ବିଭାଗର ପ୍ରଶିକ୍ଷକ ସୁମନ୍ତ ନାରାୟଣ ସାହୁ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହି ସ୍ପୋର୍ଟ୍‌ସ କମ୍ପ୍ଲେକ୍ସ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ କ୍ରୀଡ଼ାବିତ ଅଭ୍ୟାସ ଜରିଆରେ ଉପକୃତ ହେବେ ଏବଂ ସେମାନେ ଜାତୀୟ ଓ ‌ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିବେ। ସେହିପରି କ୍ରୀଡ଼ାବିତ ସମର୍ପିତା ପାଣିଗ୍ରାହୀ କହିଥିଲେ ଯେ ପୂର୍ବରୁ ଆମେ ନଦୀ ପୋଖରୀରେ ସନ୍ତରଣ ଅଭ୍ୟାସ କରୁଥିଲୁ। ଏବେ ଅତ୍ୟାଧୁନିକ ସନ୍ତରଣାଗାରରେ ଆମେ ଅଭ୍ୟାସ କରିପାରିବୁ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ରୀଡା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର