ଇତିହାସ ପୃଷ୍ଠାରୁ…: ୧୯୦୨ ରଥଯାତ୍ରାରେ ଘଟିଥିଲା ବିଘ୍ନ

ନନ୍ଦିଘୋଷର ଦୁଇ ରଥ ଚକ ଭାଙ୍ଗିଯାଇଥିଲା, ଭିଡ଼ ଆଶଙ୍କା କରି ବନ୍ଦ କରିଦେଇଥିଲେ ‘ନବଯୌବନ’ ଦର୍ଶନ

ପୁରୀ : ୧୯୦୨ ମସିହା ରଥଯାତ୍ରାରେ ବହୁ ବିଘ୍ନ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ବାହାରେ ପ୍ରସ୍ତୁତ ହୋଇ ମହାପ୍ରସାଦ ନାମରେ ବିକ୍ରି ହେଉଥିବା ଶୀର୍ଷକ ଖବର ଏବେ ଚର୍ଚ୍ଚାରେ ରହିଛି। ତେବେ ୧୯୦୨ ମସିହା ନବଯୌବନ ଦର୍ଶନ ଦିନ ବି ଏଭଳି ଏକ ଘଟଣା ଘଟିଥିଲା। ମହାପ୍ରଭୁଙ୍କ ୧୫ ଦିନର ଅନବସର ପରେ ତାଟି ଫିଟି ଦର୍ଶନ ହେବାର ଥାଏ। କିନ୍ତୁ ଭକ୍ତଙ୍କ ସମାଗମ ଦେଖି ପୁରୀର ତତ୍କାଳୀନ ମାଜିଷ୍ଟ୍ରେଟ୍‌ଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। କିଛି ଅନିଷ୍ଟ ଘଟିବା ଆଶଙ୍କାରେ ସେ ‘ନବଯୌବନ ଦର୍ଶନ’ ବନ୍ଦ ନେଇ ଘୋଷଣା କଲେ। ପୂର୍ବଦିନ ରାତିରେ ଚାରି ଦ୍ବାର ବନ୍ଦ ରଖି ପୁଲିସ ମୁତୟନ କରାଗଲା। ଜୁଲାଇ ୫ ତାରିଖରେ ନବଯୌବନ ଦର୍ଶନ ବନ୍ଦ ହେବାରୁ ଯାତ୍ରୀମାନେ ହାହାକାର ଶବ୍ଦରେ ନଗର ପ୍ରତିଧ୍ବନିତ ହୋଇଥିଲା।

ଚାରି ଦ୍ବାରରେ ପ୍ରବଳ ସମାଗମ ହୋଇଥିଲା। କେବଳ ଉତ୍ତର ଦ୍ବାର ବାଟେ ପୁଲିସ ଉପସ୍ଥିତ ରହି ସେବକ ଓ ବୋଝିଆମାନଙ୍କ ଭିନ୍ନ ଅନ୍ୟମାନଙ୍କୁ ଛାଡ଼ିଲେ ନାହିଁ। ମହାପ୍ରସାଦ ବୋଝିଆଙ୍କ ଦ୍ବାରା ଆସି ମନ୍ଦିର ବାହାରେ ବିକ୍ରି ହୋଇଥିଲା। ଏପରିକି ନିକଟସ୍ଥ ଶିବାଳୟମାନଙ୍କରେ ଅନ୍ନ, ବ୍ୟଞ୍ଜନ ରାନ୍ଧି କେତେକ ମହାପ୍ରସାଦ ନାମରେ ବିକ୍ରି କରିଥିଲେ। ଭକ୍ତମାନେ ନବଯୌବନ ଦର୍ଶନ ପାଇ ନପାରି କ୍ଷୋଭ ପ୍ରକାଶ କରିଥିଲେ। ଏପରିକି ଶ୍ରୀବିଗ୍ରହଙ୍କୁ ରଥକୁ ଆଣିବା ବିଳମ୍ବ ହୋଇଥିଲା। ରଥଯାତ୍ରାରେ ପହଣ୍ଡି ବିଜେ ଓ ପୁରୀ ରାଜାଙ୍କର ହଟହଟା ହେବା ବିଷୟକୁ ନେଇ ସେତେବେଳେ ବଙ୍ଗଳା ଓ ଇଂରାଜି ସମ୍ବାଦପତ୍ରରେ ବେଶ ଚର୍ଚ୍ଚା ଚାଲିଥିଲା। ରଥଯାତ୍ରାର ଦୁଇଦିନ ପୂର୍ବରୁ ଦ୍ବାର ବନ୍ଦ କରିଦେବା ଫଳରେ ବହୁ ଭକ୍ତ ନବଯୌବନ ଦର୍ଶନରୁ ବଞ୍ଚିତ ହେବା ପରେ କ୍ଷୋଭ ପ୍ରକାଶ କରିଥିଲେ।

ଜୁଲାଇ ୫ ତାରିଖରେ ରଥଯାତ୍ରା ଥିଲେ ହେଁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ସମ୍ପନ୍ନ ହୋଇନଥିଲା। ମାସାଧିକ କାଳ ଲାଗି ଯାଇଥିଲା। ଏପରି ସ୍ଥିତି ହେଲା ଯେ ଗୁଣ୍ଡିଚା ମନ୍ଦିର ଜଗମୋହନରେ ଶ୍ରୀବିଗ୍ରହମାନେ ଚିତାଲାଗି ପର୍ଯ୍ୟନ୍ତ ରହିଥିଲେ। ପୂର୍ବରୁ ଏଭଳି ବିଭ୍ରାଟ କେବେ ଦେଖିବାକୁ ମିଳିନଥିଲା। ତେଣୁ ସେହି ବର୍ଷ ଚିତାଲାଗି ବନ୍ଦ ରହିଥିଲା। ଚକ୍ରବୁଲା ଏକାଦଶୀ ପୂର୍ବରୁ ଦୁଇ ରଥ ଗଡ଼ିଥିଲା। ମାତ୍ର ଜଗନ୍ନାଥଙ୍କର ରଥ ଦକ୍ଷିଣ ମୋଡ଼ ହେବା ବେଳେ ଦୁଇଟି ଚକ ଭାଙ୍ଗିଗଲା। ସେସବୁକୁ ସଜାଡ଼ିବା ଓ ଇଂଜିନିୟରଙ୍କଠାରୁ ପ୍ରମାଣପତ୍ର ପାଇବା ପରେ ରଥଟଣା ଆରମ୍ଭ ହେବା ବେଳକୁ ୩-୪ଦିନ ବିତିଯାଇଥିଲା। ଯଦିଓ ରଥ ଟଣା ହେଲା, କିନ୍ତୁ ଚକ ଦ୍ବୟ ବାରମ୍ବାର ମୋଡ଼ି ହୋଇ ବାଲିରେ ପୋତି ହୋଇଯିବାର ଚକ ଗଡ଼ି ପାରୁନଥିଲା। ତତ୍କାଳୀନ ରାଜାଙ୍କ ପକ୍ଷରୁ ୫ଶହ ବେଠିଆ ବାହୁଡ଼ା ଦଶମୀବାସୀଠାରୁ ଦୈନିକ ୩ ଟଙ୍କା ଲେଖାଏଁ ଖୋରାକି ନେଇ ରଥଟଣା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ। ଏତିକିରେ ସମସ୍ୟା ସରିନଥିଲା। ବରଂ ରଥ ଦଉଡ଼ି ବର୍ଷା ଜଳରେ ବାରମ୍ବାର ଛିଣ୍ଡି ଯାଇଥିଲା। ଦଉଡ଼ି ଛିଣ୍ଡିଯିବାରୁ ନୂଆ ଦଉଡ଼ି ପ୍ରସ୍ତୁତ ହୋଇ ଯୋଗାଇ ଦିଆଯାଉଥିଲା।

ସମ୍ବନ୍ଧିତ ଖବର