ରଥଯାତ୍ରାରେ ମଠର ଭୂମିକା: ଅଧରପଣା ଯୋଗାଏ ବଡ଼ଓଡ଼ିଆ ମଠ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ବଡ଼ ଓଡ଼ିଆ ମଠର ମଧ୍ୟ ପ୍ରମୁଖ ଭୂମିକା ରହିଛି। ରାଘବ ଦାସ ମଠ ଭଳି ବଡ଼ ଓଡ଼ିଆ ମଠ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥାଆନ୍ତି। ଅଣସର ବିଧି ସମୟରେ ବଡ଼ ଓଡ଼ିଆ ମଠ ପକ୍ଷରୁ ଚକଟା ଭୋଗ ଆସିଥାଏ। ଅଣସର ପଞ୍ଚମୀରେ ଫୁଲୁରି ତେଲ ଲାଗି ପାଇଁ ଦୁଇଟି କୁଡ଼ୁଆରେ ୫ ସେର ରାଶି ତେଲ ଯୋଗାଇ ଦିଆଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ ନେତ୍ରୋତ୍ସବ ବଡ଼ ଓଡ଼ିଆ ମଠ ଅଧିକାରୀଙ୍କ ଶାଢ଼ି ବନ୍ଧାକୁ ବାର ଲାଗି ଶାଢ଼ି ତଥା ପାଟ ବସ୍ତ୍ର ମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥାଏ।

ପ୍ରଚଳିତ ପରମ୍ପରା ମୁତାବକ, ଗୁଣ୍ଡିଚା ମନ୍ଦିରରେ ପନ୍ତି ଚାଳି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ମଠକୁ ଅନୁମତି ଦିଆଯାଇଥାଏ। ଧୂଳିଆ ଗୁଣ୍ଡିଚା ଦିନ ଚତୁର୍ଦ୍ଧା ବିଗ୍ରହ ଆଡ଼ପ ମଣ୍ଡପ ବିଜେ କରିବା ସମୟରେ ଓ ବାହୁଡ଼ା ଦିନ ମଠ ତରଫରୁ ପନ୍ତି ଭୋଗ କରାଯାଇଥାଏ। ଗୁଣ୍ଡିଚା ଘରେ ଷଷ୍ଠୀ ଦିନ ସର୍ବାଙ୍ଗ ନୀତି ନିମନ୍ତେ ଚନ୍ଦନ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥାଏ ଓଡ଼ିଆ ମଠ। ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥ ଉପରେ ପ୍ରସ୍ତୁତ ହେଉଥିବା ଅଧରପଣା ସାମଗ୍ରୀ ମଧ୍ୟ ଏହି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ମଠ ପକ୍ଷରୁ ରତ୍ନ ସିଂହାସନ ଉପରେ ବନ୍ଧା ହେବା ପାଇଁ ପ୍ରତିବର୍ଷ ନୂତନ ତ୍ରିମୁଣ୍ଡି ଚାନ୍ଦୁଆ ଓ ଚକା ଅପସର ନୀତି ପାଇଁ ପାଟ କନା ଯୋଗାଇ ଦିଆଯାଇଥାଏ। କନକମୁଣ୍ଡି ମରାମତି ଦାୟିତ୍ବ ଏହି ମଠ ଉପରେ ନ୍ୟସ୍ତ ରହିଛି। ନୀଳାଦ୍ରି ବିଜେ ଦିନ ମଠ ତରଫରୁ ରତ୍ନ ସିଂହାସନା ମାର୍ଜନା କରାଯିବା ସହ ନୀଳଚକ୍ରରେ ନୂଆ ଧ୍ବଜା ବନ୍ଧାଯାଏ।

ଜଗନ୍ନାଥବଲ୍ଲଭ ମଠ କରେ ୨୩ଟି ପନ୍ତି ଭୋଗ
ରଥଯାତ୍ରା ସମୟରେ ଜଗନ୍ନାଥବଲ୍ଲଭ ମଠ ତରଫରୁ ରଥ ଉପରକୁ ଠାକୁରଙ୍କ ଲାଗି ଉଦ୍ଦେଶ୍ୟରେ ମାଳ ଓ ଚୂଳ ପଠାଯାଇଥାଏ। ଏଥିସହ ବିଭିନ୍ନ ସ୍ଥାନରେ ୨୩ଟି ପନ୍ତି ଭୋଗ କରାଯାଇଥାଏ। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଶ୍ରୀମନ୍ଦିର ଭିତରେ ୪ଟି, ରଥ ଚାଲିବା ସମୟରେ ମଠର ବିଜେସ୍ଥଳୀ ନିକଟରେ ୩ଟି, ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ସମୟରେ ୪ଟି, ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରରୁ ଲକ୍ଷ୍ମୀ ଠାକୁରାଣୀ ରଥ ଭାଙ୍ଗି ବାହୁଡ଼ା ବିଜେ କରିବା ସମୟରେ ମଠ ବିଜେସ୍ଥଳୀ ନିକଟରେ ଗୋଟିଏ, ବାହୁଡ଼ା ଦିନ ମଠ ବିଜେସ୍ଥଳୀ ନିକଟରେ ୩ଟି ଓ ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିର ପରିସରରେ ୪ଟ ପନ୍ତି ଭୋଗ ହୋଇଥଯାଏ।

ଛାଉଣି ମଠ ବିଜେସ୍ଥଳୀରୁ ଯାଏ ସୋଲ ଚିତା
ରଥଯାତ୍ରା ଦିନ ଶ୍ରୀମନ୍ଦିରର ବଣିଆ ସେବକମାନଙ୍କ ଘରୁ ସୋଲ ଚିତା ଅଣାଯାଇ ମଠର ବିଜେସ୍ଥଳୀରେ ରଖାଯାଏ। ଶ୍ରୀବିଗ୍ରହମାନେ ରଥାରୂଢ଼ ହେବା ପରେ ମସ୍ତକରେ ସୋଲ ଚିତା ଲଗାଯାଇଥାଏ। ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ଦିନ ଏହି ମଠର ବିଜେସ୍ଥଳୀରେ ଶ୍ରୀବିଗ୍ରହଙ୍କ ପହଣ୍ଡି ସମୟରେ ପନ୍ତି ଭୋଗ ଅନୁଷ୍ଠିତ ହୋଇଥାଏ।

ସମ୍ବନ୍ଧିତ ଖବର