କୋଏଲ ନଦୀରେ ଭାସିଗଲେ ୨ ଛାତ୍ର: ଜଣେ ମୃତ, ଜଣେ ନିଖୋଜ; ବର୍ତ୍ତିଲେ ଅନ୍ୟ ଦୁଇ ସହପାଠୀ

ରାଉରକେଲା: କୋଏଲ ନଦୀରେ ଗାଧୋଇବା କାଳ ହୋଇଛି। ପାଣିରେ ବୁଡ଼ି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଜଣେ ଏବେ ବି ନିଖୋଜ ଅଛନ୍ତି। ନଦୀକୁ ଓହ୍ଲାଇ ନଥିବାରୁ ଅନ୍ୟ ଦୁଇ ସହପାଠୀ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଲେବରଟେନାମେଣ୍ଟର ସରୋଜ କୁମାର ଭୋଳଙ୍କ ପୁଅ ପ୍ରିୟାଂଶୁ ଭୋଳ (୧୪)। ‌ନିଖୋଜ ଛାତ୍ର ଜଣକ ହେଲେ ଲେବରଟେନାମେଣ୍ଟର ପ୍ରିୟରଞ୍ଜନ ପାଢ଼ୀ (୧୫)। ଉଭୟ ବାସନ୍ତୀ କଲୋନି ଡିଏଭି ପବ୍ଲିକ ସ୍କୁଲରେ ଯଥାକ୍ରମେ ଅଷ୍ଟମ ଓ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଛେଣ୍ଡ ପୁଲିସ ଛାତ୍ରଙ୍କ ମୃତ ଶରୀର ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌ ଶବାଗାରରେ ରଖିଛି। ଏକ ଅପମୃ୍ତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଜଣେ ଛାତ୍ରଙ୍କର ମୃତ୍ୟୁ ଓ ଅନ୍ୟ ଜଣଙ୍କର ନିଖୋଜ ଘଟଣାକୁ ନେଇ ଲେବରଟେନାମେଣ୍ଟରେ ଶୋକର ଛାୟା ଖେଳିଯାଇଛି।

ଲେବରଟେନାମେଣ୍ଟରେ ଉଭୟ ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ରହନ୍ତି। ପ୍ରିୟାଂଶୁଙ୍କ ବାପା ସରୋଜ କୁମାର ଭୋଳ ଛତିଶଗଡ଼ ରାୟପୁରରେ ଏକ ଘରୋଇ କମ୍ପାନିରେ ଚାକିରି କରୁଥିବାରୁ ପତ୍ନୀଙ୍କ ସହ ସେଠାରେ ରହନ୍ତି। ପ୍ରିୟାଂଶୁ ଲେବରଟେନାମେଣ୍ଟରେ ଜେଜେବାପା ଓ ଜେଜେ ମାଙ୍କ ନିକଟରେ ରହି ପାଠ ପଢ଼ୁଥିଲେ। ପ୍ରିୟରଞ୍ଜନଙ୍କ ବାପା ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି। ୟୁନିଟ୍‌ ଟେଷ୍ଟ ପରୀକ୍ଷା ଚାଲିଥିବାରୁ ପ୍ରିୟାଂଶୁ, ପ୍ରିୟରଞ୍ଜନ ଓ ଅନ୍ୟ ଦୁଇସାଙ୍ଗ ପରୀକ୍ଷା ଦେବାକୁ ସକାଳେ ସ୍କୁଲକୁ ଯାଇଥିଲେ। ପରୀକ୍ଷା ସରିବା ପରେ ଚାରିଛାତ୍ରଙ୍କ ମଧ୍ୟରୁ ପ୍ରିୟରଞ୍ଜନ ଓ ଅନ୍ୟ ସହପାଠୀ ଘରକୁ ଯାଇ ସ୍କୁଲ ୟୁନିଫର୍ମ ବଦଳାଇ ଆସିଥିଲେ। ପ୍ରିୟାଂଶୁ କିନ୍ତୁ ଘରକୁ ଫେରି ନଥିଲେ କି ୟୁନିଫର୍ମ ବଦଳାଇ ନଥିଲେ। ସମସ୍ତେ ଏକାଠି ସାଇକଲ ଯୋଗେ ଗାଧୋଇବାକୁ କୋଏଲ ନଦୀକୁ ବାହାରିଥିଲେ। ଅପରାହ୍ନ ୨ଟାରେ ପ୍ରଧାନପାଲି ରେଳ ଓଭର୍‌ବ୍ରିଜ୍‌ କୋଏଲନଦୀ ଘାଟରେ ପହଞ୍ଚିଥିଲେ। ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ଗାଧୋଇବାକୁ ନଦୀରେ ପଶିଥିଲେ। ଅନ୍ୟ ଦୁଇ ସହପାଠୀ କୂଳରେ ଛିଡା ହୋଇଥିଲେ।

ଗାଧେଇବାବେଳେ ପ୍ରିୟାଂଶୁ ଓ ପ୍ରିୟରଞ୍ଜନ ନଈରେ ଭାସି ଯାଇଥିଲେ। କୂଳରେ ଛିଡ଼ା ହୋଇଥିବା ଦୁଇ ସହପାଠୀ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁହେଁ ନଈ ସୂଅରେ ନିଖୋଜ ହୋଇ ସାରିଥିଲେ। ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଓ ଛେଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଭୟ ଛାତ୍ରଙ୍କ ପରିବାର ଓ ସମ୍ପର୍କୀୟମାନେ ମଧ୍ୟ କୋଏଲନଦୀରେ ପହଞ୍ଚିଥିଲେ। ପ୍ରାୟ ଘଣ୍ଟାଏ ପରେ ପ୍ରିୟାଂଶୁଙ୍କ ମୃତଦେହ ମିଳିଥିଲା। ସଂଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ହେଁ ପ୍ରିୟରଞ୍ଜନଙ୍କୁ ଠାବ କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର