ରିଲ୍‌ସ ନିଶାରେ ଜଳପ୍ରପାତକୁ ଖସିପଡ଼ିଲେ ୨ ଯୁବତୀ: ଉଦ୍ଧାର କଲେ ଡ୍ରାଇଭର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ନିକଟସ୍ଥ ଗୁମ୍ମାଝରଣ ଜଳପ୍ରପାତରେ ବୁଡ଼ି ଯାଉଥିବା ଦୁଇ ଯୁବତୀଙ୍କୁ ମରଣ ମୁହଁରୁ ରକ୍ଷା କରିଛନ୍ତି ଦୁଇ ଡ୍ରାଇଭର। ଏହା ଫଳରେ ଏକ ବଡ଼ ଅଘଟଣକୁ ଟାଳି ଦିଆଯାଇଛି। ସୂଚନା ଅନୁସାରେ, ଗତକାଲି କୁଡ଼ୁମୁଲୁଗୁମ୍ମା ଅଞ୍ଚଳର ଦୁଇ ଜଣ ଯୁବତୀ ପରିବାର ସହ ପିକ୍‌ନିକ୍‌ କରିବାକୁ ଗୁମ୍ମାଝରଣ ଜଳପ୍ରପାତକୁ ଯାଇଥିଲେ। ବୁଲାବୁଲି କରିବା ମଧ୍ୟରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜ ମୋବାଇଲ କ୍ୟାମେରାରେ ରେକର୍ଡ କରିଥିଲେ। ଏହାରି ମଧ୍ୟରେ ଦୁହେଁ ‌ନିଜ ନିଜ ସୋସିଆଲ୍‌ ମିଡିଆ ପାଇଁ ରିଲ୍‌ସ କରିବା ଆରମ୍ଭ କରିଥିଲେ। ଭିଡିଓ କରିବାରେ ଦୁହେଁ ଏତେ ଅନ୍ୟମନସ୍କ ହୋଇଯାଇଥିଲେ ଯେ ଜଳପ୍ରପାତ ମଧ୍ୟକୁ ଖସି ପଡ଼ିଥିଲେ। ପାଣିର ପ୍ରଖର ସ୍ରୋତ ‌ଯୋଗୁ ଦୁହେଁ ବାହାରି ନପାରି ଚିତ୍କାର କରିଥିଲେ। କିନ୍ତୁ ଜଳପ୍ରପାତର ଗଭୀରତା ପାଇଁ ଆଖପାଖରେ ରହିଥିବା ଲୋକେ ଉଦ୍ଧାର କରିବାକୁ ସାହସ କରିନଥିଲେ। ଏହି ସମୟରେ ଗୋବିନ୍ଦପାଲ୍ଲୀର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ଼ ଓ ଦୀପକ ଗୌଡ଼ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଉଭୟଙ୍କୁ ପାଣିରୁ ବାହାର କରି ଜୀବନ ବଞ୍ଚାଇଥିଲେ। ଗୁମ୍ମାଝରଣ ଜଳପ୍ରପାତରେ ସୁରକ୍ଷା ବାଡ଼ ନଥିବାରୁ ଏମିତି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର