ବନ୍ଦ ହୋଇଯିବ ୭୪ ଶିଶୁସଦନ: କୁଆଡ଼େ ଯିବେ ୨୫୪୭ ଅସହାୟ ଶିଶୁ?

କଟକ: ଓଡ଼ିଶାରେ ୭୪ଟି ସିସିଆଇ(ଶିଶୁ ଯତ୍ନ ଅନୁଷ୍ଠାନ)କୁ ବନ୍ଦ କରିଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅବଶିଷ୍ଟ ଯେଉଁ ସିସିଆଇଗୁଡ଼ିକ ରହିଛି, ଏଥିରେ ଧାର୍ଯ୍ୟ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଅନ୍ତେବାସୀ ରହିଛନ୍ତି। ଅର୍ଥାତ ଗୋଟିଏ ଗୋଟିଏ ସିସିଆଇରେ ୧୨୦ ପ୍ରତିଶତରୁ ଅଧିକ ଅନ୍ତେବାସୀ ଅଛନ୍ତି। ବନ୍ଦ ହେବାକୁ ଥିବା ସିସିଆଇରେ ଥଇଥାନ ହୋଇଥିବା ୨,୫୪୭ ଶିଶୁ ଏବେ ରହିବେ କେଉଁଠି ତାହାକୁ ନେଇ ଗୋଟିଏ ପଟେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ୭୫ ପ୍ରତିଶତରୁ କମ୍ ଅନ୍ତେବାସୀ ଥିବା ସିସିଆଇକୁ ମାତ୍ର ୧୦ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ଘଟଣା ଏହି ଶିଶୁଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ସୃଷ୍ଟି କରିଛି।

ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ(ଓଏସସିପିଏସ୍) ପକ୍ଷରୁ ଗଲା ୭ ତାରିଖରେ ଏକ ନିର୍ଦ୍ଦେଶନାମା(ଚିଠି ନଂ ୨୯୦୬) ଜାରି ହୋଇଛି। ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ ଯେଉଁ ଶିଶୁ ଯତ୍ନ ଅନୁଷ୍ଠାନ(ସିସିଆଇ)ରେ ମଞ୍ଜୁରିପ୍ରାପ୍ତ କ୍ଷମତାରେ ୭୫ ପ୍ରତିପ୍ରତିଶତରୁ କମ୍ ଅନ୍ତେବାସୀ ଥିବେ, ସେଗୁଡ଼ିକ ୧୦ ଦିନ ମଧ୍ୟରେ ବନ୍ଦ କରାଯିବ। ଜିଲ୍ଲାପାଳଙ୍କୁ ଏହି ମର୍ମରେ ଚିଠି ଲେଖାଯାଇଛି। ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୬୮ଟି ସିସିଆଇ ରହିଛି। ସରକାରଙ୍କ ନୂଆ କଟକଣା ଅନୁଯାୟୀ, ୨୦୨୩ ନଭେମ୍ବର ୨୮ ତାରିଖ ସୁଦ୍ଧା ୭୪ଟି ସିସିଆଇରେ ୭୫ ପ୍ରତିଶତରୁ କମ୍ ଅନ୍ତେବାସୀ ରହିଛନ୍ତି। ଅର୍ଥାତ ଏହି ସିସିଆଇଗୁଡ଼ିକ ବନ୍ଦ ହେବାକୁ ଯାଉଛି। ଅବଶିଷ୍ଟ ଚାଲୁ ରହିବାକୁ ଥିବା ୯୪ ସିସିଆଇରୁ ୮ଟି ସିସିଆଇରେ ୭୬ ପ୍ରତିଶତ ଅନ୍ତେବାସୀ ଅଛନ୍ତି। ଏହି ଜିଲ୍ଲା ତାଲିକାରେ ବାଲେଶ୍ବର, ଅନୁଗୁଳ, ଭଦ୍ରକ, କଟକ, ଝାରସୁଗୁଡ଼ା, କେନ୍ଦୁଝର ଓ ଖୋର୍ଧା ରହିଛି। କିନ୍ତୁ ୮୬ ସିସିଆଇରେ ୧୨୦ରୁ ୧୫୦ ପ୍ରତିଶତ ପର୍ଯ୍ୟନ୍ତ ଶିଶୁ ରହିଥିବା ସରକାରଙ୍କ ରେକର୍ଡ କହୁଛି। ଅର୍ଥାତ ରାଜ୍ୟରେ ଅର୍ଦ୍ଧାଧିକ ସିସିଆଇରେ ଅନ୍ତେବାସୀ ସରକାରଙ୍କ ମଞ୍ଜୁରି ସଂଖ୍ୟାଠାରୁ ଅଧିକ ରହିଛନ୍ତି। ଏଭଳି ପରିସ୍ଥିତିରେ ବନ୍ଦ ହେବାକୁ ଥିବା ସିସିଆଇର ମୋଟ ୨୫ ଶହ ୪୭ ଅନ୍ତେବାସୀ ଏବେ କେଉଁଠି ଥଇଥାନ ହେବେ? ସରକାର ଜିଲ୍ଲାପାଳମାନଙ୍କୁ ୧୦ ଦିନ ସମୟ ଦେଇଥିବା ବେଳେ ଏହି ସ୍ବଳ୍ପ ସମୟ ମଧ୍ୟରେ କେଉଁଠାରେ ବେଘର ହେବାକୁ ଥିବା ଶିଶୁଙ୍କୁ ଥଇଥାନ କରାଯିବ, ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।

କଟକର ଏକ ସିସିଆଇର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ୨୦୧୫ ଅନୁଯାୟୀ ସିସିଆଇରେ ୭୫ ପ୍ରତିଶତରୁ କମ୍ ଅନ୍ତେବାସୀ ହେଲେ ଏହାକୁ ବନ୍ଦ କରାଯିବାକୁ କୌଣସି ବ୍ୟବସ୍ଥା ନାହିଁ। ଭିତ୍ତିଭୂମି ସମ୍ପର୍କରେ ଆଇନରେ ଉଲ୍ଲେଖ ରହିଛି। ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ସୁଦୃଢ଼ କରିବାର ନିୟମ ରହିଛି। ରାଜ୍ୟ ସରକାର କେଉଁ ଆଧାରରେ ଏହି ୭୫ ପ୍ରତିଶତ ମାନଦଣ୍ଡ ପ୍ରସ୍ତୁତ କଲେ, ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରସଂଗ। ଗୋଟିଏ ଅନ୍ତେବାସୀ କେଉଁ ଅନୁଷ୍ଠାନରେ ରହିବେ ଏବଂ କେଉଁଠି ରହିବେ ନାହିଁ ଏହା ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲୁସି)ର ନିଷ୍ପତ୍ତି ଉପରେ ନିର୍ଭର କରେ। ସିସିଆଇରେ କେତେ ସଂଖ୍ୟାରେ ଅନ୍ତେବାସୀ ରହିବେ କି ନରହିବେ ଏଥିରେ ସିସିଆଇ କର୍ତ୍ତୃପକ୍ଷଙ୍କ କୌଣସି କ୍ଷମତା ନାହିଁ। ଏଭଳି ୧୦ ଦିନ ମଧ୍ୟରେ ବନ୍ଦ କରିବାକୁ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି, ଏ ସଂକ୍ରାନ୍ତରେ ସିସିଆଇକୁ ରାଜ୍ୟ ସରକାର କୌଣସି ନୋଟିସ୍ ଜାରି କରିନାହାନ୍ତି। ହଠାତ୍ ଏଭଳି ନିର୍ଦ୍ଦେଶନାମା ଜାରି କରାଯିବା ଓ ଶିଶୁଙ୍କୁ ରାସ୍ତା ଉପରେ ଛିଡ଼ା କରିଦେବା ଘଟଣା ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି।

କଟକ ସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷ ବିକାଶ ମହାପାତ୍ରଙ୍କ କହିବା ଅନୁଯାୟୀ, ଜେଜେ ଆକ୍ଟରେ ୭୫ ପ୍ରତିଶତ ମାନଦଣ୍ଡ ନେଇ ସେଭଳି ବ୍ୟବସ୍ଥା ନାହିଁ। ବ୍ଲକସ୍ତରରେ ସିସିଆଇର ଆବଶ୍ୟକତା ରହିଛି। ଯାହାଫଳରେ ଶିଶୁ ନିଜ ବ୍ଲକ ଅଞ୍ଚଳରେ ରହିପାରିବେ। ଏହା ଦ୍ବାରା ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ନିୟମିତ ଭେଟିପାରିବେ। ପିଲାମାନେ ଚାହିଁଲେ ଘରକୁ ଯାଇପାରିବେ। ହଠାତ୍ ସିସିଆଇ ବନ୍ଦ ହେବା ଦ୍ବାରା ଅନ୍ତେବାସୀମାନେ ଆଉ ଏକ ପରିବେଶରେ ଖାପ ଖୁଆଇବାରେ ସମସ୍ୟା ସୃଷ୍ଟି ହେବ। ପିଲାଙ୍କ ସ୍ବାର୍ଥହାନୀ କେବେ ନହେଉ। ମାନସିକ ସ୍ତରରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେହିଭଳି ‘ହୋପ୍‌ଏଜ୍‌ ଟ୍ରଷ୍ଟ’ର ମ୍ୟାନେଜିଂ ଟ୍ରଷ୍ଟି ଡକ୍ଟର ସତ୍ୟ ରାୟ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ସବୁ ଶିଶୁସଦନର କର୍ମକର୍ତ୍ତାଙ୍କର ଜରୁରୀ ବୈଠକ ଡକାଇ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ଅସହାୟ ଶିଶୁମାନଙ୍କୁ ଠାବ କରି ଶିଶୁସଦନ ବା ସେମାନଙ୍କର ବାପା-ମାଙ୍କ ଜିମା ଦେଉଥିବା ‘ଚାଇଲ୍‌ଡ ଲାଇନ୍‌’ ସଂଗଠନକୁ କେନ୍ଦ୍ର ସରକାର ଇତିମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହା ୨୪ ଘଣ୍ଟା ଖୋଲା ରହୁଥିଲା। ଏହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ଚାକିରି ହରାଇ ବେକାର ହୋଇ ବସିଛନ୍ତି। ଏ ସଂକ୍ରାନ୍ତ ମାମଲା ଏବେ ଓଡ଼ିଶା ହାଇକୋର୍ଟଙ୍କ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର