ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ: ୯ ବାଂଲାଦେଶୀଙ୍କୁ ଅଟକ ରଖିଲା ସିଂହଦ୍ବାର ପୁଲିସ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବା ନେଇ ରବିବାର ସୂଚନା ମିଳିଛି। ୯ ଜଣଙ୍କ ମଧ୍ୟରୁ  ଜଣେ ହିନ୍ଦୁ ଓ ୫ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଅନ୍ୟ ୩ଜଣ ବାହାରେ ଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ପ୍ରବେଶ କରିଥିବା ୬ଜଣଙ୍କୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ କର୍ମୀ ଧରି ସିଂହଦ୍ବାର ପୁଲିସ ଜିମାରେ ଦେଇଛନ୍ତି।

ପୁଲିସ ସମସ୍ତ ୯ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ୯ଜଣଙ୍କ ମଧ୍ୟରୁ ବାଂଲାଦେଶ ପାସପୋର୍ଟ ମିଳିଛି। ସିଂହଦ୍ବାର ପୁଲିସ ସେମାନେ ରହୁଥିବା ହୋଟେଲ ମଧ୍ୟ ଯାଞ୍ଚ କରୁଛି।

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ନୂଆ ଘଟଣା ନୁହେଁ। ଗତବର୍ଷ ଫେବ୍ରୁଆରି ୨୪ ତାରିଖ ପୂର୍ବାହ୍‌ଣ ୧୧ଟା ସମୟରେ ମୁସଲିମ ମହିଳା ତଥା ଆଇଆର୍‌ଏସ୍‌ ଅଧିକାରୀ ନିଜ ପଦବିର ଅପବ୍ୟବହାର କରି ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିଥିଲେ। ଏପରିକି ଜଣେ ଅଧିକାରୀ ତାଙ୍କୁ ନିୟମ ବାବଦରେ ସଚେତନ କରିବା ସହ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ବୋଲି କହିବାରୁ ତାଙ୍କୁ ୪ଶହ କିଲୋମିଟର ଦୂରକୁ ବଦଳି କରିଥିଲେ। ଶ୍ରୀମନ୍ଦିରର ସେବାୟତଙ୍କ ବାବଦରେ କଟୁ କଥା କହିଛନ୍ତି ‌ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏତଲାରେ ଉଲ୍ଲେଖ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କୁ ପ୍ରବେଶ କରିବା ବାରଣ ଥିବା କଥା ସିଂହଦ୍ବାର ସମ୍ମୁଖରେ ସୂଚନା ଫଳ‌କରେ ଉଲ୍ଲେଖ ଥିବା ସତ୍ତ୍ବେ ସେ ଜୋର୍‌ ଜବରଦସ୍ତ ପ୍ରବେଶ କରିବା ସମଗ୍ର ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ କରିଛି। ଜଣେ ଅଧିକାରୀ ଓ ଉଚ୍ଚ ଶିକ୍ଷିତ ହୋଇ ନିୟମ ଅମାନ୍ୟ କରିବା ଗ୍ରହଣୀୟ ନୁହେଁ। ସେ କେବଳ ନିୟମକୁ ଅବମାନନା କରିନାହାନ୍ତି ବରଂ ସନାତନ ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି।

ସମ୍ବନ୍ଧିତ ଖବର