ନିମ୍ନ ସୁକତେଲ ପାଣି ଘେରରେ ୯ ପରିବାର: କ୍ଷତିପୂରଣ ନପାଇଲେ ଜୀବନ ଦେବୁ, ଉଦ୍ଧାର ପାଇଁ ଉଦ୍ୟମ ନାହିଁ

ବଲାଙ୍ଗୀର: ସୋମବାର ନିମ୍ନ ସୁକତେଲ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ସଚିବ ଡ୍ୟାମ୍‌ ନିକଟରେ ଓହ୍ଲାଇବେ। ଏଥିପାଇଁ ପ୍ରଶାସନ ଜୋର୍‌ସୋର ପ୍ରସ୍ତୁତି କରୁଥିବାବେଳେ ସ୍ପିଲ୍‌ୱେ ତଳେ ଟେଣ୍ଟ ମରାଯାଇ ପାଖରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି। ଅନ୍ୟପଟେ ପୋଡ଼ମୁଡ଼ ଗ୍ରାମର ୯ ପରିବାର ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି। ସଂପୂର୍ଣ୍ଣ କ୍ଷତିପୂରଣ ପାଇନଥିବାରୁ ଏମାନେ ‘ଜୀବନ ଦେବୁ ପଛକେ ଗାଁ ଛାଡ଼ି ଯିବୁନାହିଁ’ ବୋଲି ଜିଦ୍‌ ଧରି ରହିଛନ୍ତି। ଏମାନେ ଏକ ଟାପୁ ସ୍ଥାନରେ ଥିବା ବେଳେ ଗ୍ରାମର ତିନି ଦିଗ ପାଣି ଘେରରେ ରହିଛି। ଏହି ୯ଟି ପରିବାର ବିପଜ୍ଜନକ ଭାବରେ ସେଠାରେ ରହୁଥିବା ବେଳେ ଗୋଟିଏ ଦିଗରେ ଥିବା ଜଙ୍ଗଲ ରାସ୍ତାରେ କୁନିଆପାଲି ଗ୍ରାମକୁ ଯାଇ ସଉଦାପତ୍ର ନେଉଥିବା କୁହାଯାଉଛି। ତିନିଦିନ ହେଲା ଏହି ଗ୍ରାମ ପାଣି ଘେରରେ ରହିଥିଲେ ମଧ୍ୟ ରହିଯାଇଥିବା ଏହି ୯ଗୋଟି ପରିବାରକୁ ଉଦ୍ଧାର କରିବା ପାଇଁ କୌଣସି ଉଦ୍ୟମ କରାଯାଉନଥିବା ବୁଡ଼ିଅଞ୍ଚଳ ଲୋକେ ଅଭିଯୋଗ କରିଛନ୍ତି।

ବୁଡ଼ି ଅଞ୍ଚଳର ସତ୍ୟ ବନଛୋର ଓ ମୀନକେତନ ଚାନ୍ଦଙ୍କ ସୂଚନା ଅନୁଯାୟୀ ପୋଡ଼ମୁଡ଼ ଗ୍ରାମର ନରୋତ୍ତମ ବାଗ ଓ ଗୌତମ ବାଗ ଦୁଇ ଭାଇଙ୍କ ଜମି ସେଠାରେ ଥିବା ବେଳେ ସେମାନେ ରହୁଥିବା ଘରବାରି ଚନ୍ଦନ ସାଙ୍ଗିଆଧାରୀଙ୍କ ନାମରେ ରହିଥିବାରୁ ତାଙ୍କୁ କ୍ଷତିପୂରଣ ମିଳିନାହିଁ। ଗ୍ରାମର ଜଣେ ମହିଳା ଗୁରୁବାରୀ ବୁଡ଼େକ ୧୯୯୯ ମସିହାରେ ବିବାହ ହୋଇ ଗ୍ରାମରେ ରହୁଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ମିଳିନାହିଁ। ମଙ୍ଗଳୁ ଗଡ଼ତିଆଙ୍କ ଝିଅ ବୃନ୍ଦାବତୀ ବିବାହ କରି ଗ୍ରାମରେ ଥିବା ବେଳେ ତାଙ୍କ ସ୍ବାମୀ ଘରଜ୍ବାଇଁ ହୋଇ ଘରେ ଥିବାରୁ ବୃନ୍ଦାବତୀ କ୍ଷତିପୂରଣ ପାଇଁ କାଗଜପତ୍ର ଦାଖଲ କରିଥିଲେ। ମାତ୍ର ତାଙ୍କୁ କ୍ଷତିପୂରଣ ମିଳିନାହିଁ। ଲୋକନାଥ ଗଡ଼ତିଆ ଓ ଜୀବର୍ଦ୍ଧନ ଗଡ଼ତିଆ ସର୍ଭେ ସମୟରେ ତାଙ୍କୁ ଟଙ୍କା ବଦଳରେ ବଲାଙ୍ଗୀରରେ ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ସହମତି ଜଣାଇ ପରେ ବଲାଙ୍ଗୀରରେ ଜମି ନଦେଇ ଟଙ୍କା ନେବାକୁ ବାଧ୍ୟ କରିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

ଗ୍ରାମର ଅନ୍ୟଜଣେ ବ୍ୟକ୍ତି ଗୁରୁବାରୁ ଦାନୀ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ମଧ୍ୟ ପ୍ରଥମ ପତ୍ନୀ କ୍ଷତିପୂରଣ ପାଇଁ ହକ୍‌ ଜାହିର କରିବା ପରେ ଏହି ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ଅଛି। ଏହି ଗ୍ରାମର ବିଜୁ ବାଗ ତିନିଦିନ ତଳେ କ୍ଷତିପୂରଣ ପାଇନଥିବାରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଏବେ ମଧ୍ୟ ବିଜୁ ଓ ତାଙ୍କ ଭାଇ ରାଜୁ ବାଗ କ୍ଷତିପୂରଣ ନପାଇଲେ ଗାଁ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଏପଟେ ପ୍ରଶାସନ ଏମାନଙ୍କୁ ଉଦ୍ଧାର କରିବା ବଦଳରେ ନିରବ ରହି ୫-ଟି ସଚିବଙ୍କ ଗସ୍ତ କାମରେ ବ୍ୟସ୍ତ ରହିଛି। ୪ ଦିନ ତଳେ ପାଣି ବଢ଼ି ନଥିବା ବେଳେ ପୁନର୍ବାସ ଓ ଥଇଥାନ ବିଭାଗର ଜୋନ୍‌ ଅଧିକାରୀ ଚକାମନ ପାତ୍ର ଶେଷଥର ପାଇଁ ପୋଡ଼ମୁଡ଼ ଗାଁକୁ ଯାଇ ଗ୍ରାମରେ ଜିଦ୍‌ କରି ରହିଥିବା ଏହି ପରିବାର ଲୋକଙ୍କୁ ବୁଝାସୁଝା କରି ବିଫଳ ହୋଇ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର