ପାରଳାଖେମୁଣ୍ଡି : ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବକ୍ଷେତ୍ର ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ପାଦଦେଶରେ ଅବସ୍ଥିତ ଜିରାଙ୍ଗ ବଳଦେବ ଜିଉଙ୍କ ମନ୍ଦିର। ଏଠାରେ ରଥଯାତ୍ରାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠି ଶ୍ରଦ୍ଧାଳୁମାନେ ଶତାଧିକ ସଂଖ୍ୟାରେ ଆସି ମୁଣ୍ଡନ ହୁଅନ୍ତି। ବିଶେଷକରି, ରଥଯାତ୍ରା, ହେରାପଞ୍ଚମୀ ଓ ବାହୁଡ଼ାରେ ଶ୍ରଦ୍ଧାଳୁମାନେ ମୁଣ୍ଡନ ହେବାର ବିଧି ଏଠି ବେଶ୍ ପୁରୁଣା।
Sambad is now on WhatsApp
Join and get latest news updates delivered to you via WhatsApp
ଠାକୁର ଦର୍ଶନ ସହ ଶତାଧିକ ସଂଖ୍ୟାରେ ପିଲା ଠାରୁ ବଡ଼ମାନେ ଆସି ମୁଣ୍ଡନ ହେବା ପଛରେ ରହିଛି ଏକ ଶ୍ରଦ୍ଧା ଓ ବିଶ୍ବାସ। ପୂର୍ବରୁ ଶ୍ରଦ୍ଧାଳୁମାନେ ବଳଦେବ ଜିଉଙ୍କ ଠାରେ ମାନସିକ ରଖି କାର୍ଯ୍ୟ ସିଦ୍ଧ ହେବା ପରେ ବାହୁଡ଼ାରେ ଆସି ମୁଣ୍ଡନ ହେଉଥିଲେ। ଆଜି ସେହି ପରମ୍ପରା ଅନୁସାରେ କାର୍ଯ୍ୟସିଦ୍ଧି ପରେ ଶ୍ରଦ୍ଧାଳୁମାନେ ନିଜ ପୁଅଝିଅଙ୍କ ସହ ଲଣ୍ଡା ହେବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ମୁଣ୍ଡନ ହେବା ପରେ ମହେନ୍ଦ୍ରତନୟାରେ ସ୍ନାନ ସାରି ଛେନାପଣା ଓ ଫଳମୂଳ ଜିଉଙ୍କ ପାଖରେ ଲାଗି କରନ୍ତି। ତାପରେ, ଠାକୁର ଦର୍ଶନ ସାରି ଘରକୁ ଫେରନ୍ତି।
ଏହି ଆଦିବାସୀ ବହୁଳ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ପ୍ରଭୁ ବଳଦେବ। ବିଶ୍ବାସ ରହିଛି, ଏଠାରେ ପ୍ରଭୁ ବଳଦେବ ଜିଉଙ୍କୁ ଦର୍ଶନ କରି ଯାହା ମାନସିକ ରଖିଲେ ତାହା ପୂରଣ ହୋଇଥାଏ। କଳାପାହାଡ଼ ଯେତେବେଳେ ମନ୍ଦିର ଭାଙ୍ଗିବା ପାଇଁ ଆସିଥିଲେ, ସେତେବେଳେ ପୁରୀରୁ ପ୍ରଭୁ ବଳଦେବଙ୍କୁ ଗଜପତି ମହାରାଜା ଏଠାକୁ ଆଣି ରଖିଥିଲେ। କାରଣ, ଏ ଅଞ୍ଚଳ ସେତେବେଳେ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ତାପରେ, ପ୍ରାୟ ୧୦ ବର୍ଷ ପରେ ପୁରୀ ଗଜପତି ମହାରାଜା ବଳଦେବ ଜିଉଙ୍କୁ ନିକଟରେ ଥିବା ବୋମିକା ଗ୍ରାମକୁ ନେଇ ଯାଇଥିଲେ। ହେଲେ, ସେହି ରାତିରେ ଗଜପତିଙ୍କୁ ସ୍ୱପ୍ନ ହେଲା, ମୋତେ କୁଆଡ଼େ ନିଅ ନାହିଁ, ଜିରାଙ୍ଗ ଗ୍ରାମରେ ମୁଁ ରହିବି। ଗୌଡ଼ମାନଙ୍କ ଛେନାପଣା ଖାଇ ରହିଥିଲି, ବର୍ତ୍ତମାନ ସେଠାରେ ହିଁ ରହିବି ବୋଲି ସ୍ବପ୍ନାଦେଶ ହେବା ପରେ ଗଜପତି ମହାରାଜା ବଳଦେବ ଜିଉଙ୍କୁ ଜିରାଙ୍ଗ ଗ୍ରାମରେ ଆଣି ରଖିଥିଲେ।
ଛେନାପଣା ପ୍ରଭୁ ବଳଦେବ ଜିଉଙ୍କ ଅତ୍ୟନ୍ତ ପ୍ରିୟ। ଏଣୁ, ଶ୍ରଦ୍ଧାଳୁମାନେ ଏଠି ଛେନାପଣା ଭୋଗ ଲାଗି କରିଥାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଠାକାର ଗୌଡ଼ମାନଙ୍କ ଦ୍ବାରା ପ୍ରସ୍ତୁତ ଛେନାପଣାକୁ ଭୋଗ ଲଗାଇବା ସହ ମାନସିକ ରଖିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଣୁ, ଏଠାରେ ଗୌଡ଼ ସେବାୟତମାନେ ନିୟୋଜିତ ହୋଇଛନ୍ତି। ବିଶେଷକରି ଗଞ୍ଜାମ, ଗଜପତି ସମେତ ଆନ୍ଧ୍ରରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସି ଏଠି ମୁଣ୍ଡନ ହେବା ଦେଖିଲେ ଜଗନ୍ନାଥ ସଂସ୍କୃତିର ମହନୀୟତାକୁ ନିଶ୍ଚିତ ରୂପେ ଅନୁଭବ କରିହେବ।