ଭୁବନେଶ୍ୱର: ଯେତେବେଳେ ଜଣେ ନିଜ ମାତୃଭାଷାରେ ଶିଖେ, କଥା ହୁଏ ଓ ଚିନ୍ତା କରେ, ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ସେହି ଭାଷାକୁ ବ୍ୟବହାର କରିବା ନେଇ ସ୍ପଷ୍ଟ ମତ ରଖେ। ମାତ୍ର ଯଦି ପିଲାଙ୍କୁ ପଢ଼ିବା କିମ୍ବା କହିବାଠାରୁ ଭିନ୍ନ ଭାଷା ଶିଖାଯାଏ ତେବେ ସେମାନେ ଦ୍ୱନ୍ଦରେ ପଡ଼ନ୍ତି। ଏହାର ବୈଜ୍ଞାନିକ ପ୍ରମାଣ ରହିଛି ବୋଲି ଆଜି ବର୍ଣ୍ଣମାଳା ଆଧାରିତ ‘କୁଇ’ ଓ ‘ଦେଶୀଆ’ ଭାଷା ପୁସ୍ତକ ଲୋକାର୍ପଣ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପିଲାମାନେ ଯେଉଁ ଭାଷାରେ ଶିକ୍ଷା ଗ୍ରହଣ କରନ୍ତୁ ପଛେ, ମାତୃଭାଷାରେ ଶିକ୍ଷାଦାନ ଜରୁରୀ ଅଟେ। ଜନଜାତି ପିଲାଙ୍କୁ ସାହାଯ୍ୟ କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରକାଶ ଦିଗରେ ପ୍ରୟାସ କରାଯାଉଛି। ସ୍ଥାନୀୟ ଭାଷା ଓ ଉପଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଦ୍ୱାରା ଏକ ଭାରତ, ଶ୍ରେଷ୍ଠ ଭାରତ କଳ୍ପନା ସମୃଦ୍ଧ ହେବ। ଏକ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚସ୍ତରକୁ ନେଇଯିବ ବୋଲି ସେ ମତପ୍ରକାଶ କରିଛନ୍ତି।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ ବର୍ଣ୍ଣମାଳା ଆଧାରିତ ‘କୁଇ’ ଓ ‘ଦେଶୀଆ’ ଭାଷା ପୁସ୍ତକ ୧୦୦ରୁ କମ୍ ଦିନ ମଧ୍ୟରେ ପ୍ରସ୍ତୁତ ହେଇଛି। ଏହି ପୁସ୍ତକ ଜନଜାତି ପିଲାଙ୍କ ମଧ୍ୟରେ ଭାଷା ପାର୍ଥକ୍ୟକୁ ଦୂର କରିବ। ଛବିଳ ମଧୁ ବର୍ଣ୍ଣବୋଧ ସ୍ୱରୂପ ଦୁଇଟି ଜନଜାତି ଭାଷା ପୁସ୍ତକ ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜାତି ସମ୍ପ୍ରଦାୟର ପିଲାମାନେ ‘କୁଇ’ ଓ ‘ଦେଶିଆ’ ଭାଷାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖିପାରିବେ। କଥନ ସହ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିବେ। କିଛି ମାସ ପୂର୍ବରୁ ‘ଜାତୀୟ ଶିକ୍ଷା ଦିବସ’ ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚିତ ହୋଇଥିବା ବେଳେ ଆଜି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଏହି ଦୁଇ ପୁସ୍ତକର ଉନ୍ମୋଚନ ହେବା ଜନଜାତି ସମାଜ ପାଇଁ ଗର୍ବର ବିଷୟ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏନସିଇଆରଟି ମିଳିତ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସ୍କୁଲ ବିଶେଷ ଭାବେ ଜନଜାତି ପିଲାମାନେ ପଢୁଥିବା ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ପାଇଁ ଏକ ଓରିଏନ୍ଣ୍ଟେସନ କାର୍ଯ୍ୟକ୍ରମ କରନ୍ତୁ। ‘କୁଇ’ ଓ ‘ଦେଶୀଆ’ ଭାଷା ପୁସ୍ତକ ଭଳି ଅନ୍ୟାନ୍ୟ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଏସ୍ସିଇଆରଟି ଓ ଏନସିଇଆରଟି ମିଶି ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କାର୍ଯ୍ୟକ୍ରମରେ ଏନ୍ସିଇଆରଟି ନିର୍ଦ୍ଦେଶକ ଦୀନେଶ କୁମାର ସୁକଲାନୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଭୁବନେଶ୍ବରସ୍ଥିତ ଆରଆଇଇ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ପ୍ରଧାନ ମୁଖ୍ୟ ଡାକ ମହାପ୍ରବନ୍ଧକ ଶୁଭେନ୍ଦୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭରର ଉନ୍ମୋଚନ ହୋଇଥିଲା।