ଆନ୍ଧ୍ର ସୀମାନ୍ତ ୩୫ ଗାଁ’ର ଚିତ୍ର ବଦଳୁନି: ଆନ୍ଧ୍ର ଶୁଣୁଛି, ଓଡ଼ିଶା ଶୁଣୁନି! ଭୋଟ୍ ଦେଇ ପାଇବୁ କ’ଣ?

ବ୍ରହ୍ମପୁର : ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଥିବା ୩୫ରୁ ଅଧିକ ଆଦିବାସୀଅଧ୍ୟୁଷିତ ଗ୍ରାମରେ ବିକାଶର ପଦଚିହ୍ନ ବି ପଡ଼ିନି। ହେଲେ, ଯାହାକିଛି ସମସ୍ୟା ରହିଛି ତାହାକୁ ଆନ୍ଧ୍ର ସରକାର ସମାଧାନ କରୁଥିବାବେଳେ ଓଡ଼ିଶା ସରକାର ଏଦିଗରେ ଆଦୌ ଦୃଷ୍ଟି ଦେଉନାହାନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ଏଠାକାର ସ୍ଥିତି ପରଖାଯିବା ସମୟରେ ସ୍ଥାନୀୟ ଅଧିବାସୀ ଏହିଭଳି ଅଭିଯୋଗ କରିଛନ୍ତି। ଏବଂ, ଭୋଟ୍‌ ଦେଇ ପାଇବୁ କ’ଣ ବୋଲି ଓଲଟା ପ୍ରଶ୍ନ କରିଛନ୍ତି।

ପାତ୍ରପୁର ବ୍ଲକ୍ ଅଧୀନ ବି.ନୂଆଗାଁ, ଗୁଡ଼ିପଦର, ବୁରାତାଲ୍, ତୁମ୍ବା, କେଶରୀପଡ଼ା, ବରଙ୍ଗ ଓ ଜୟନ୍ତୀପୁର ପଞ୍ଚାୟତର ପ୍ରାୟ ୩୫ରୁ ଅଧିକ ଗାଁ ଆନ୍ଧ୍ର ସୀମାନ୍ତରେ ରହିଛି। ଏହିସବୁ ଗ୍ରାମରେ ପ୍ରାୟତଃ ଆଦିବାସୀ ଶ୍ରେଣୀର ଲୋକ ବାସ କରୁଛନ୍ତି। ସବୁ ଗ୍ରାମ ଜଙ୍ଗଲ ଓ ପାହାଡ଼ ଘେରରେ ରହିଛି। କିନ୍ତୁ ଓଡ଼ିଶା ସରକାରଙ୍କ ସରକାରୀ ଯୋଜନା କ’ଣ, ତାହା ଆଜିଯାଏ ନିରୀହ ଆଦିବାସୀ ଜାଣିନାହାନ୍ତି। ବରଙ୍ଗ ପଞ୍ଚାୟତର ଲଙ୍କା ଗ୍ରାମକୁ ଉଦାହରଣ ଭାବେ ନେଲେ, ଜଙ୍ଗଲ ଓ ପାହାଡ଼ ଘେରାରେ ରହିଥିବା ଏହି ଗାଁରେ ପ୍ରାୟ ଦେଢ଼ଶହ ପରିବାର ବସବାସ କରୁଛନ୍ତି। ୧୫୦ ପରିବାର ରହୁଥିବା ବେଳେ ୯୯ ପ୍ରତିଶତ ‌ତେଲୁଗୁ ଭାଷାଭାଷୀ। ଅଧିକାଂଶ ଲୋକ ଓଡ଼ିଆ ବୁଝିପାରୁ ନାହାନ୍ତି କି କହିପାରୁ ନାହାନ୍ତି।

ଏହି ଗାଁ ନାନା ମୌଳିକ ସମସ୍ୟା ଭିତରେ ଛନ୍ଦି ହୋଇରହିଛି। ଆଉ ଏଠାରେ ବର୍ଷକ ୧୨ ମାସ ଟୋପାଏ ପିଇବା ପାଣି ପାଇଁ ଗ୍ରାମବାସୀ ସଂଘର୍ଷ କରିଆସୁଛନ୍ତି। ବରଙ୍ଗ ପଞ୍ଚାୟତ ସଦରମହକୁମାକୁ ପିଚୁ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ସୁନାଖଳାଠୁ ଗ୍ରାମକୁ ସଂଯୋଗ କରୁଥିବା କଚ୍ଚାରାସ୍ତାରେ ଯାତାୟାତ କରିବା ଗ୍ରାମବାସୀଙ୍କ ପ‌କ୍ଷେ ସମ୍ଭବପର ହୋଇପାରୁନି। ଆଗକୁ ଖରାଦିନ ଥିବାରୁ ଗ୍ରାମବାସୀଙ୍କୁ ଚିନ୍ତା ଘାରିଲାଣି। ପଞ୍ଚାୟତ ନିର୍ବାଚନ ଥିବାରୁ ଲଙ୍କା ଗ୍ରାମବାସୀ ଜନପ୍ରତିନିଧିଙ୍କ ନିକଟରେ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଦାବି ରଖିଛନ୍ତି।

ଅନ୍ୟପକ୍ଷରେ ଆନ୍ଧ୍ର ଓ ଓଡ଼ିଶା ସୀମାନ୍ତରେ ଥିବା ତୁମ୍ବା ଏବଂ ବୁରାତାଲ ପଞ୍ଚାୟତର ୨୧ରୁ ଅଧିକ ଆଦିବାସୀଅଧ୍ୟୁଷିତ ଗ୍ରାମରେ ବିକାଶର ପଦଚିହ୍ନ ବି ପଡ଼ିନି। ଗ୍ରାମବାସୀ କହିଛନ୍ତି, ‘ଓଡ଼ିଶା ସରକାର ଏଠାରେ ରାସ୍ତା ନିର୍ମାଣ ସହ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ବିଦ୍ୟୁତ୍ ସେବା ଆଦି ଯୋଗାଇଦେବେ ବୋଲି ନିର୍ବାଚନ ବେଳେ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପରେ ତାହା ପାଣିର ଗା‌ର ପାଲଟୁଛି। ବରଂ ଆନ୍ଧ୍ରପ୍ରଦେଶ ସରକାର ଆମକୁ ସବୁ ସୁବିଧା ଯୋଗାଉଛନ୍ତି। ଭତ୍ତା ଓ ରାସନ୍ ସାମଗ୍ରୀ ‌ଯୋଗାଇବା ସହ ଘରକୁ ଘରକୁ ବିଦ୍ୟୁତ୍ ସେବା ବି ମିଳିଛି। ସେହିପରି ଆନ୍ଧ୍ର ସରକାର ରାସ୍ତା ବି ନିର୍ମାଣ କରିଛନ୍ତି। ଆମ ପିଲାମାନେ ସୀମାନ୍ତ ଇଲାକାକୁ ଯାଇ ପାଠ ପଢ଼ୁଛନ୍ତି। ଏଭଳି ପରିସ୍ଥିତିରେ ଆମେ କେଉଁ ସ୍ଥାନୀୟ ନେତାଙ୍କୁ ଭରସା କରିବୁ ଓ କାହିଁକି ଭୋଟ ଦେବୁ ବୋଲି ଆଲୋଚନା ବେଳେ ପ୍ରଶ୍ନ କରିଛନ୍ତି।’

ସେହିପରି ଆଙ୍କୁଲି ପଞ୍ଚାୟତର ବି ସମସ୍ତ ଗ୍ରାମ ଆଦିବାସୀଅଧ୍ୟୁଷିତ। କିନ୍ତୁ ଆଜିଯାଏ ପକ୍କା ରାସ୍ତା ନିର୍ମାଣ ହୋଇପାରୁନି। ଫଳରେ ରୋଗୀ ଓ ଗର୍ଭବତୀ ଦୋଳାରେ ବୁହା ହେବାର ନଜିର୍ ରହିଛି। କେବଳ ପଞ୍ଚାୟତ କି ସାଧାରଣ ନିର୍ବାଚନ ଆସିଲେ ନେତାମାନେ ଅନୁଧ୍ୟାନ କରି ରାସ୍ତା ତିଆରି କରିବେ ବୋଲି ପ୍ରତିଶ୍ରୁତି ଦେଇ ପଳାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ଗଁା ଗୁଡ଼ିକର ଅବସ୍ଥା ମଧ୍ୟ ସମାନ।

ସମ୍ବନ୍ଧିତ ଖବର