‘ଅର୍ପଣ ରଥ’ ଦାନ ଅର୍ଥ ଗ୍ରହଣ: ପ୍ରଥମ ଦିନରେ ୫୦ ଲକ୍ଷ ଟଙ୍କା ସଂଗ୍ରହ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଖୋଲିଲା ସ୍ବତନ୍ତ୍ର ସେଲ୍‌

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସମଗ୍ର ରାଜ୍ୟରୁ ଅର୍ପଣ ରଥ ମାଧ୍ୟମରେ ଗ୍ରହଣ ହୋଇଥିବା ଦାନ ଅର୍ଥ ଆଜିଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ ଆରମ୍ଭ ହୋଇଛି। ଗଜପତି ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରୁ ମିଳିଥିବା ଦାନ ରାଶି, ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଛି। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଦାନସଂଗ୍ରହ କେନ୍ଦ୍ର ଖୋଲାଯାଇଛି। ପ୍ରଥମ ଦିନ ପ୍ରାୟ ୫୦ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେପଟେ ପଞ୍ଚାୟତରେ ବୁଲିଥିବା ଅର୍ପଣ ରଥର ଗୁଆ, ଚାଉଳ, ନଡିଆ ସବୁକୁ ଜାନୁଆରି ୨୪ରୁ ୨୭ ତାରିଖ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବ। ଜାନୁଆରି ୨୫ ତାରିଖରୁ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଦୈନିକ ୧୦ ହଜାର ଲୋକ ଆସି ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ସହ ପ୍ରକଳ୍ପର ଶୁଭ ମନାସୀ ରାଜ୍ୟର ୩୦ଟି ଜିଲ୍ଲାର ପ୍ରତି ପଞ୍ଚାୟତ ପ୍ରତି ଗାଁ’ରେ ଜୟ ଜଗନ୍ନାଥ ଅର୍ପଣ ରଥ ଗଡ଼ିବା ସହ ଗୁଆ, ଅରୁଆ ଚାଉଳ ସଂଗ୍ରହ କରିଥିଲା। ଏହି ସମୟରେ ଦାନ ଅର୍ଥ ବି ସଂଗ୍ରହ କରାଯାଇଥିଲା। ବ୍ୟବସ୍ଥା ଅନୁଯାୟୀ, ପ୍ରତି ପଞ୍ଚାୟତରୁ ପ୍ରଥମେ ବ୍ଲକ୍‌ ଓ ପରେ ଜିଲ୍ଲାସ୍ତର କାର୍ଯ୍ୟାଳୟକୁ ଆସିବା ପରେ ଏହି ଗୁଆ ଓ ଚାଉଳ ଆସିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଏହା ଦାଖଲ ହେବ। ଏହା ସହ ଗ୍ରହଣ କରାଯାଇଥିବା ଦାନ ଅର୍ଥ ବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ ହେବ। ଅର୍ପଣ ରଥ ବୁଲିବା ଶେଷ ହେବା ପରେ ପ୍ରଥମେ ମିଳିଥିବା ଦାନ ଅର୍ଥ ଗ୍ରହଣ ପ୍ରକ୍ରିୟା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ୨ କୋଟିରୁ ଅଧିକ ଦାନ ଟଙ୍କା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦାନ ଅର୍ଥ ଗ୍ରହଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ୪ଟି ସ୍ୱତନ୍ତ୍ର କାଉଣ୍ଟର୍‌ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ନୀତି ପ୍ରଶାସକ, ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଅର୍ଥ ରାଶି ଗ୍ରହଣ କରାଯାଇଛି। ଯେଉଁମାନେ ଏହି ଦାନ ଅର୍ଥ ଦେବାକୁ ଆସିଛନ୍ତି, ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ବାନା ଦେଇ ସମ୍ମାନିତ କରାଯାଇଛି। ଆଜି ପ୍ରଥମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରୁ ୧ଲକ୍ଷ ୫୨ହଜାର ୧୬୦ ଟଙ୍କା, ଅସ୍ତରଙ୍ଗ ବ୍ଲକ୍‌ରୁ ୧୫ହଜାର ୨୨୦ ଟଙ୍କା ସଂଗ୍ରହ ହୋଇଥିଲା। ପରେ ଅନ୍ୟ ଜିଲ୍ଲାରୁ ଦାନ ଅର୍ଥ ସଂଗ୍ରହ କରାଯାଇଛି। ସଂଗୃହିତ ଅର୍ଥ ଶ୍ରୀମନ୍ଦିର ବ୍ୟାଙ୍କ ଆକାଉଣ୍ଟ୍‌ରେ ଜମା ହେବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର