ପ୍ରଥମ ଭଦ୍ରକ ଜିଲ୍ଲାସ୍ତରୀୟ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରଥମ ସାଇକ୍ଲିଂ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ସକାଳ ଏହି ପ୍ରତିଯୋଗିତା ଧାମରା ରେଲୱେ ଫ୍ଲାଇଓଭର୍ ଠାରୁ ଆରମ୍ଭ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା।  ସାଇକେଲ ଚାଳନାରେ  ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଭାରତୀୟ ସେନାର ଅବସରପ୍ରାପ୍ତ ଜଓ୍ବାନ ମାନେ ଯୋଗ ଦେଇଥିଲେ। ୮ ଟି ଶ୍ରେଣୀରେ ବିଭକ୍ତ ଏହି ସାଇକେଲ ଦୌଡରେ ମୋଟ ୫୦୩ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଆସୋସିଏସନ୍ ର ସଭାପତି ତଥା ଭଦ୍ରକର ଜିଲ୍ଲାପାଳ ସିଦ୍ଦେଶ୍ବର ବଳିରାମ ବୋନ୍ଦର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ  ଭଦ୍ରକର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଓଡିଶା ସାଇକ୍ଲିଂ ଆସୋସିଏସନ୍ ସଭାପତି ତଥା ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ରାଉତ, ଓଡିଶା ଅଲିମ୍ପିକ୍ ଆସୋସିଏସନ ସମ୍ପାଦକ ଅଭିଜିତ ପାଲ୍, ଓଡିଶା କବାଡି ଆସୋସିଏସନ୍ ସମ୍ପାଦକ ଅଜୟ କୁମାର ବେହେରା, ଓଡିଶା ବାସ୍କେଟବଲ୍ ଆସୋସିଏସନ୍ ସମ୍ପାଦକ ଅଶୋକ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଆସୋସିଏସନ୍ ର ଉପସଭାପତି ଆଇନଜୀବୀ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ସମ୍ପୂର୍ଣ୍ଣ ପ୍ରତିଯୋଗିତାଟି ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଧୀରେନ୍ ପଲାଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ସାଇକ୍ଲିଂ ସମ୍ପାଦକ ସଂଗ୍ରାମୀ ଦେବୀଦତ୍ତ ନାୟକ, ଯୁଗ୍ମ ସମ୍ପାଦକ ତଥା ଆଇନଜୀବୀ ଅତିଶ୍ ବେହେରା, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି ଆଇନଜୀବୀ ଯତିକାନ୍ତ ନାୟକ, ଭବତୋଷ ଦାସ, ଉପେନ୍ଦ୍ର କୁମାର ବାରିକ, ତାଏକ୍ବୋଣ୍ଡୋ ଆସୋସିଏସନ୍ ଅଫ୍ ଓଡିଶା ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ହେପ୍ପୀ ହୋମ୍ ସ୍କଲ୍ ଅଧ୍ୟାପକ ରବିନାରାୟଣ ଓଝା ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କୃତ ହୋଇଥିବା ସଫଳ ପ୍ରତିଯୋଗୀ ମାନେ ହେଲେ
୧୪ ବର୍ଷରୁ କମ୍ ବାଳକ ବର୍ଗରେ ହର୍ଷିତ୍ ନାୟକ, ପ୍ରସନ୍ନ କୁମାର ଖଟୁଆ ଓ ରାଜୀବ ଲୋଚନ ରାଉତ ; ୧୪ ବର୍ଷରୁ କମ୍ ବାଳିକା ବର୍ଗରେ, ସବେନୁର ସୁଲତାନା, ପଦ୍ମଜା ପ୍ରିୟଦର୍ଶନୀ ଓ ଦିୟାଦର୍ଶନୀ ସାହୁ ; ୧୭ ବର୍ଷରୁ କମ୍ ବାଳକ ବର୍ଗରେ ସବୀର ଖାନ୍, ଓମ୍ ପ୍ରକାଶ ନାୟକ ଓ ପ୍ରତ୍ୟୁଷ ଦାସ, ବାଳିକା ବର୍ଗରେ ଧରିତ୍ରୀ ଦାସ, ସୃଜନୀ ରାଉତ ଓ ରିଷିକା ଗୁପ୍ତା, ପୁରୁଷ ବିଭାଗରେ ଶେଖ୍ ସବୀର୍, ଜୟଦେବ ସାହୁ ଓ ଶେଖ୍ ମସୁର୍ ଅହମ୍ମଦ ; ଭାରତୀୟ ସେନା ଜଓ୍ବାନ ଶ୍ରେଣୀରେ ଅମୀୟ ରଞ୍ଜନ ପରିଡା ଓ ମାନସ ଖିଲାର୍ ତଥା ୫ ବର୍ଷରୁ କମ୍ ସ୍ବତନ୍ତ୍ର ଶ୍ରେଣୀରେ ଗୀତାଂଶ ନାୟକ, ରିୟାଂଶ ଦାସ। ପ୍ରତିଯୋଗିତାର ସଫଳ ଆୟୋଜନ ପ୍ରଚ୍ଛଦପଟେ ଭଦ୍ରକ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଲାୟନସ୍ କ୍ଲବ୍, ରୋଟାରୀ କ୍ଲବ୍ ମିଡଟାଉନ୍, ମାରଓ୍ବାରୀ ଯୁବା ମଞ୍ଚ ଓ ୟୁନାଇଟେଡ୍ କ୍ଲବ୍ ର ପ୍ରଶଂସନୀୟ ଅବଦାନ ଥିଲା।
ସମ୍ବନ୍ଧିତ ଖବର