ସିଡିଏମଓଙ୍କ ବୟାନକୁ ନେଇ ତାତିଲା ବିଜେପି, କ୍ଷମା ନମାଗିଲେ ଆନ୍ଦୋଳନ ଚେତାବନୀ

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବେଜିପି ଯୁବ ଓ ମହିଳା ମୋର୍ଚ୍ଚା

ରାୟଗଡ଼ା: ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବା ବେଳେ ରାୟଗଡ଼ା ରାଜନୀତି ଏକ ପ୍ରକାର ସରଗରମ ହୋଇଛି।ଶାସକ ବିଜେଡି ଦଳର ଦଳୀୟ କାର୍ଯ୍ୟକ୍ରମ ବୋଲି ବିରୋଧୀ ଓ ଉକ୍ତ କାର୍ଯ୍ୟକ୍ରମରେ ଠେଲାପେଲାରେ ଗରମ ତେଲରେ ପଡ଼ି ଗୁରୁତର ହୋଇଥିବା ଛାତ୍ରୀଙ୍କ କ୍ଷତକୁ ନେଇ ସାଧାରଣ ବିଷୟ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିବା ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାଏଙ୍କ ବୟାନକୁ ନେଇ ତାତିଛି ରାୟଗଡା ଜିଲ୍ଳା ଭାରତୀୟ ଜନତା ପାର୍ଟି। ଗୁରୁବାର ଏ ନେଇ ବିଜେପି ରାୟଗଡ଼ା ନଗର କମିଟି ସଭାନେତ୍ରୀ ମଂଜୁଳା ମିଣିଆକାଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବରେ ଘଟିଥିବା ଅବ୍ୟବସ୍ଥାର ତଦାରଖ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଜେପି ନେତୃମଣ୍ଡଳି ଜିଲ୍ଳାପାଳଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମରେ ଅବ୍ୟବସ୍ଥା କଣ ପାଇଁ ହେଲା ଏହାର ତଦାରଖ କରିବା ସହ ସିଡିଏମଓଙ୍କ ଦାୟିତ୍ୱହୀନ ବୟାନ ପୀଡ଼ିତଙ୍କ ପରିବାର ଓ ଜନସାଧାରଣଙ୍କ ହୃହୟକୁ କଠୋରଘାତ କରିଥିବା ହେତୁ ସର୍ବସାଧାରଣରେ ସିଡିଏମଓ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଥିଲେ। ତେବେ ଏହା ଏକ ଅଭାବନୀୟ ଘଟଣା ହୋଇଥିବା ବେଳେ ସିଡିଏମଓଙ୍କ ବୟାନକୁ ନେଇ ମୁଁ କ୍ଷମା ମାଗୁଛି ବୋଲି କହିଥିଲେ ଜିଲ୍ଳାପାଳ ସ୍ବାଧାଦେବ ସିଂ। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ ଓ ଜଳଖିଆ ବ୍ୟବସ୍ଥା ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମଧ୍ୟାହ୍ନ ଭୋଜନ ବଂଟନରେ ବିଳମ୍ବତା ହେତୁ ଛାତ୍ରଛାତ୍ରୀମାନେ ଖାଦ୍ୟ ଷ୍ଟଲ ନିକଟରେ ଗହଳି କରିଥିଲେ।ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ବୋଲି ବିଜେପି ନେତୃମଣ୍ଡଳିକୁ ଜିଲ୍ଳାପାଳ ବୁଝାଇଥିଲେ।

ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଦୀପାଳି ନାୟକ ଖାଦ୍ୟ ଷ୍ଟଲ ନିକଟରେ ଠେଲାପେଲାରେ ତାଙ୍କ ଗୋଡ଼ ଉପରେ ଗରମ ତେଲ ପଡ଼ି ଆହାତ ହୋଇଥିବା ବେଳେ ଗୁଣପୁରସ୍ଥିତ ଥାୟାରାମା ମହିଳା ମହାବିଦ୍ୟାଳୟର ଛାତ୍ରୀ ମେନେକା ଶବର ନାମକ ଛାତ୍ରୀ ଅଣନିଶ୍ୱାସୀ ହୋଇ ପଡ଼ିଯାଇଥିଲେ।ଉଭୟଙ୍କୁ ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସିଡିଏମଓଙ୍କ ଏଭଳି ବୟାନକୁ ନିନ୍ଦା କରିଛି ବିଜେପି। କାର୍ଯ୍ୟକ୍ରମରେ ୧୫ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ବ୍ୟବସ୍ଥା ହୋଇ ନ ଥିବାରୁ ପ୍ରାୟ ୪ହଜାର ପିଲା ଖାଇବାକୁ ପାଇ ନ ଥିବା ବିଜେପି ଅଭିଯୋଗ କରିଥିଲା। ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଳା ବିଜେପି କମିଟି ସଭାପତି ଶିବ ପଟ୍ଟନାୟକ, ବରିଷ୍ଠ ନେତା ରଜତ ମାଦଲା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ଉଲାକା, ଜିଲ୍ଳା ମହିଳା ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀ ବୁରୁଡ଼ି, ଭାନୁମତି ମୁଦୁଲି, ଝରଣା ମହାନ୍ତି, ଅଜୟ ଚୁଏଲେଟ୍, ଉମେଶ ଖୋସଲା, ଚିତରଂଜନ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର