ହଳଦୀ ପଡ଼ିଆରେ ଅବକାରୀ ଜାଲ : ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଝିଅ, ଜ୍ବାଇଁ ଓ ଶାଶୂ ଗିରଫ

ଭୁବନେଶ୍ବର : ରାଜଧାନୀରେ କାୟା ମେଲାଇ ଚାଲିଛି ବ୍ରାଉନ୍ ସୁଗାର ବେପାର। ଶୁକ୍ରବାର ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ଅଞ୍ଚଳରୁ ଅବକାରୀ ବିଭାଗ ପୁଣି ୩୮୫ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର(ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା) ଜବତ କରିଛି। ଏକାଥରକେ ଏତେ ପରିମାଣର ବ୍ରାଉନ୍‌ସୁଗାର ଜବତ ହେବା ରାଜଧାନୀର ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ମାମଲାରେ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚିନ୍ତାମଣିଶ୍ବର ନିକଟ ଫିସେରି ଲେନ୍‌ରେ ରହୁଥିବା ଦମ୍ପତି ସୋନୁ ଖାଁ, ସଂଗୀତା ମହାନ୍ତି ଓ ସଂଗୀତାର ମା’ ଟୁକୁନା ମହାନ୍ତି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ନୂଆ ବର୍ଷରେ ଏହାକୁ ଅବକାରୀ ବିଭାଗର ବଡ଼ ସଫଳତା ବୋଲି କୁହା ଯାଉଥିଲେ ବି ରାଜଧାନୀରେ ବ୍ରାଉନ୍ ସୁଗାର ବେପାର ବେଧଡ଼କ୍ ଚାଲିଥିବା ପ୍ରମାଣିତ ହୋଇଛି।

ଆଜି ଭୋର୍ ସମୟରୁ ସୋନୁ ଖାଁକୁ ଟା‌ର୍ଗେଟ୍‌ କରି କଟକର ଫ୍ଲାଇଂ ସ୍କ୍ବାଡ୍‌ ଓ ଭୁବନେଶ୍ବର ଅବକାରୀ ଅଧିକାରୀମାନେ ହଳଦୀପଡ଼ିଆ ବସ୍ତିରେ ଛକି ରହିଥିଲେ। ତେବେ ପ୍ରଥମେ ଟୁକୁନା ମହାନ୍ତି କିଛି ମାଲ୍ ଧରି ମାର୍କେଟ୍‌କୁ ଚାଲି ଆସିଥିଲା ଓ ଅବକାରୀ ଜାଲରେ ପଡ଼ି ଯାଇଥିଲା। ତାକୁ କାବୁ କରି ଅଧିକାରୀମା‌ନେ ତା ଘ‌ରେ ଚଢ଼ଉ କରି ପ୍ରାୟ ୧୮୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଥିଲେ। ପରେ ପରେ ତା’ଠାରୁ ସୂଚନା ପାଇ ଚିନ୍ତାମଣିଶ୍ବର ଫିସେରି ଲେନ୍‌ସ୍ଥିତ ତା ଝିଅ ସଂଗୀତା ମହାନ୍ତି ଘରେ ଚଢ଼ଉ କରି ସୋନୁ ଖାଁକୁ ଗିରଫ କରିଥିଲେ। ସେଠାରୁ ପ୍ରାୟ ୨୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଗତକାଲି ହିଁ ସୋନୁ ଖାଁ ଜଳେଶ୍ବରରୁ ବ୍ରାଉନ୍ ସୁଗାର ଆଣିଥିଲା। ସେ ରୀତିମତ ଜଳେଶ୍ବରରୁ ମାଲ୍ ଆଣି ଏଠାରେ ମା’ ଝିଅଙ୍କ ଜରିଆରେ ବେପାର କରେ ବୋଲି ସ୍ବୀକାର କରିଥିଲା। ବେପାର କରିବା ଭିତରେ ସୋନୁ ସଂଗୀତାକୁ ବିବାହ କରିଥିବା ଜଣାପଡ଼ିଛି। ପୂର୍ବରୁ ଟୁକୁନା ମହାନ୍ତିର ପୁଅ ମଧ୍ୟ ଏହି କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ ଯାଇଛି।

ବିଭାଗୀୟ ଅଧିକାରୀଙ୍କ ସୂଚନାନୁସାରେ ଗତବର୍ଷ ହଳଦୀପଡ଼ିଆ ବସ୍ତିରେ ଘନଘନ ଚଢ଼ାଉ ହେବାରୁ କିଛି ଦିନ ହେଲା ଏଠିକାର ବେପାରୀମାନେ ବେପାର ପାଇଁ ବାହାର ସ୍ଥାନ ବାଛି ନେଇଥିଲେ। କିନ୍ତୁ ମାଲ୍ ଏହି ବସ୍ତିରେ ହିଁ ମହଜୁଦ୍ ରହୁଥିଲା। ଜଳେଶ୍ବରରୁ ଆସୁଥିବା ମାଲ୍‌ର ଭଣ୍ଡାର ଥିଲା ଏହି ଅଞ୍ଚଳ। ଖୁଚୁରା ବେପାରୀମାନେ ଏଠାରୁ ମାଲ୍ ନେଇ ରାଜଧାନୀ, ରାଜଧାନୀ ଉପକଣ୍ଠ, ଜଟଣୀ ଓ ଖୋର୍ଧାରେ ବିକ୍ରି କରୁଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ଓ ଡିସେମ୍ବର ମାସରେ ଉଭୟ ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସର ଚଢ଼ଉ ଫଳରେ ଯାଁଳା, ବରମୁଣ୍ଡା, ସାଲିଆସାହି, ଚନ୍ଦ୍ରଶେଖରପୁର, ସାମନ୍ତରାପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ମୋଟ୍‌ ୧୦ ଜଣଙ୍କୁ ଗିରଫ କରାଯିବା ସହ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯାଇଛି। ପୂର୍ବ ମାମଲା ସବୁରୁ ସୂଚନା ପାଇ ଆଜି ଅବକାରୀ ବିଭାଗ ସୋନୁକୁ ଟାର୍ଗେଟ୍‌ କରିଥିଲା। ଏହି ଚଢ଼ଉରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଫ୍ଲାଇଂ ସ୍କ୍ବାଡ୍‌ ଇନ୍‌ସ୍ପେକ୍ଟର ଶରତଚନ୍ଦ୍ର ଭଂଜ, ପ୍ରଭାତ ସେଠୀ, ଏସ୍ଆଇ ଏଚକେ ସାମନ୍ତ, କେଏଲ୍‌ ପାଇକରାୟ, ସୁଜିତ ମୁଦୁଲି, ପ୍ରମୋଦ ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର