ନେତା, ଅଧିକାରୀଙ୍କ ନିଦ ହଜାଇବ ‘ସି-ଭିଜିଲ୍’ ଆପ୍; ସାରା ରାଜ୍ୟରୁ ଆସିଲାଣି ୧୮୦୦ ଅଭିଯୋଗ

୯୯% ଅଭିଯୋଗର ସମାଧାନ ହୋଇଛି, ୮୯% ଅଭିଯୋଗରେ ପୁଲିସ ୧୦୦ମିନିଟରେ ପହଞ୍ଚିଛି

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ଭାରତ ନିର୍ବାଚନ କମିସନଙ୍କ ସି-ଭିଜିଲ୍ ଆପ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ଆପ୍‌ରେ ଯେକୌଣସି ସ୍ଥାନରେ ସାଧାରଣ ଲୋକଟିଏ ବି କୌଣସି ନେତା‌ ଓ ଅଧିକାରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ନେଇ ଅଭିଯୋଗ କରିପାରିବ। ଅଭିଯୋଗ ହେବାର ୧୦୦ମିନିଟ ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେଉଛି। ପ୍ରଥମ ଥର ପାଇଁ ଏହିଭଳି ପଦକ୍ଷେପ ଆରମ୍ଭ ହୋଇଥିବାବେଳେ ଏବେ ସାଧାରଣ ଲୋକ ଏହାର ଭରପୂର ଫାଇଦା ନେଲେଣି। ସ୍ଥିତି ଏପରି ହୋଇଛି ଯେ ଗାଁ ଗାଁରେ ସି-ଭିଜିଲ୍ ଆପ୍ ପାଇଁ ବହୁ ନେତା ଅକଳରେ ପଡ଼ିଲେଣି।

ଏପ୍ରିଲ ୩ତାରିଖ ସୁଦ୍ଧା ଓଡ଼ିଶାରେ ୧୮୦୦ରୁ ଅଧିକ ନିର୍ବାଚନ ସମ୍ପର୍କିତ ଅଭିଯୋଗ ସି-ଭିଜିଲ୍ ଆପ୍ ମାଧ୍ୟମରେ ହୋଇଥିବାବେଳେ ଏଥିରୁ ୯୯% ଅଭିଯୋଗର ସମାଧାନ ହୋଇଛି। ଏପରିକି ୮୯% ଅଭିଯୋଗ କ୍ଷେତ୍ରରେ ପୁଲିସ ଘଟଣାସ୍ଥଳରେ ୧୦୦ମିନିଟ ଭିତରେ ପହଞ୍ଚିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଯଦି କୌଣସି ସ୍ଥାନରେ ଗଣ୍ଡଗୋଳ ବା ହିଂସାକାଣ୍ଡ ହେଉଛି, କେହି ନେତା ବା ଅଧିକାରୀ ମଦ, ନିଶା ସାମଗ୍ରୀ, ଟଙ୍କା ବା ପ୍ରଲୋଭନ କରିବାକୁ କୌଣସି ସାମଗ୍ରୀ ବାଣ୍ଟୁଥିବା ନଜରକୁ ଆସିବ ସେନେଇ ସିଭିଜିଲ୍ ଆପ୍ ମାଧ୍ୟମରେ ଅଭିଯୋଗ କରିହେବ। ଏଥିପାଇଁ ମୋବାଇଲ୍‌ରେ ସି-ଭିଜିଲ୍ ଆପ୍ ଡାଉନଲୋଡ୍ କରି ଫଟୋ, ଭିଡ଼ିଓ କିମ୍ବା ଭଏସ୍ ରେକର୍ଡ କରି ପଠାଇବାର ସୁବିଧା ଅଛି। ମୋବାଇଲ୍‌ରେ ଲୋକେସନ୍ ଅନ୍ ଥିଲେ ଜିପିଏସ୍‌ ମାଧ୍ୟମରେ ଉକ୍ତ ସ୍ଥାନର ଲୋକେସନ୍ ବି ଅଭିଯୋଗ ସହିତ ଯୋଡ଼ି ହୋଇଯାଉଛି। ଫଳରେ ପୁଲିସ ବିନା ଦ୍ବିଧାରେ ଘଟଣାସ୍ଥଳରେ ପହଞ୍ଚିପାରୁଛି।

କେବଳ ଏତିକି ନୁହେଁ, କୌଣସି ସରକାରୀ ଅଧିକାରୀ ଯଦି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ନଜରକୁ ଆସେ ସେନେଇ ବି ଏଥିରେ ଅଭିଯୋଗ କଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାର ନିୟମ କରାଯାଇଛି। ତେଣୁ ଏବେ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର କର୍ମୀ, ଭୋଟର ଏହାର ଭରପୂର ଫାଇଦା ଉଠାଇବା ଆରମ୍ଭ କଲେଣି। ସି-ଭିଜିଲ୍ ଆପ୍ ମାଧ୍ୟମରେ ବିଭିନ୍ନ ଦଳର ନେତା ଓ ଅଧିକାରୀଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାର ସୁବିଧା ଥିବାରୁ ଏବେ ବିଭିନ୍ନ ରାଜନୈତିକ ଦଳ ଏହାର ଫାଇଦା ଉଠାଇବାକୁ ଆଗଭର ହେଉଛନ୍ତି। ଏଥିପାଇଁ ଆଗଧାଡ଼ିର କର୍ମୀଙ୍କୁ ସି-ଭିଜିଲ୍ ଆପ୍‌ର ବ୍ୟବହାର ନେଇ ତାଲିମ୍ ଦେବାକୁ ନିଷ୍ପତ୍ତି ହୋଇଛି। ସି-ଭିଜିଲ୍ ଆପ୍‌ର ବ୍ୟବହାର ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଦେଖିଲେ ଲାଗୁଛି ଏହି ଆପ୍ ଆଗାମୀ ଦିନରେ ନେତା ଓ ଅଧିକାରୀଙ୍କ ନିଦ ହଜାଇବ।

ସମ୍ବନ୍ଧିତ ଖବର