ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ବାଟବଣା: ଡି. ପୁରନ୍ଦେଶ୍ବରୀ

‘ରାଜ୍ୟ ସରକାର ଡାଲି କାହିଁକି ବନ୍ଦ କଲେ?

ଜୟପୁର : ଓଡ଼ିଶାର ବିକାଶରେ ରାଜ୍ୟ ସରକାର ହିଁ ଦାୟୀ। କେନ୍ଦ୍ର ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଏହାକୁ ବାଟବଣା କରିବା ସହ ସଠିକ ରୂପାୟନ କରିପାରୁନି। କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏହିଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ।

ସୋମବାର ଦିନ ଏଠ‌ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡି. ପୁରନ୍ଦେଶ୍ବରୀ କହିଥିଲେ, ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ ଦେଇ ଆସୁଛନ୍ତି। ତେବେ ଏହି ଅନୁଦାନ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଷ୍ଟିକର ଲଗାଇ ଓ ନାମ ପରିବର୍ତ୍ତନ କରି ନ‌ିଜେ ଦେଉଥିବା ପ୍ରଚାର ଓ ପ୍ରସାର କରୁଛନ୍ତି। କୋଭିଡ୍ ପରଠାରୁ କେନ୍ଦ୍ର ସରକାର ଗରିବ ଅନ୍ନ କଲ୍ୟାଣ ଯୋଜନାରେ ୫କିଲୋ ଚାଉଳ ଓ କିଲେ ଡାଲି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଓଡ଼ିଶାରେ ଚାଉଳ ଦିଆଯାଉଥିବା ବେଳେ ଡାଲି କାହିଁକି ବନ୍ଦ କରାଯାଇଛି ବୋଲି ସେ ପ୍ରଶ୍ନ କରିଥିଲେ।

ଏଥିସହିତ, ଡି. ପୁରନ୍ଦେଶ୍ବରୀ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କ ସଫଳତା ସମ୍ପର୍କ‌େର ବଖାଣିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଇଂ.ବଳଭଦ୍ର ମାଝୀ, ଆଦିବାସୀ ରାଷ୍ଟ୍ରୀୟ ମୋର୍ଚ୍ଚାର ସଂପାଦକ କାଳୀରାମ ମାଝୀ, କୋରାପୁଟ ସଭାପତି ସୁମନ୍ତ ପ୍ରଧାନ, ରାୟଗଡ଼ା ସଭାପତି ଶିବ ପଟ୍ଟନାୟକ ଓ ରାଜ୍ୟ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର