ଆଜି ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ସହ ୨୯୮କୋଟିର ଭେଟି

ବରଗଡ଼ : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗସ୍ତ କରିବେ। ତାଙ୍କ ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଛି। ସକାଳ ୧୦.୧୫ରେ ସେ ନବୀନ ନିବାସରୁ ବାହାରି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବେ। ସେଠାରୁ ୧୦.୨୫ରେ ଏୟାରକ୍ରାଫ୍ଟରେ ବସି ୧୧.୦୫ରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ। ଏକ ସ୍ବତନ୍ତ୍ର ହେଲିକପ୍ଟର‌ ଯୋଗେ ସେଠାରୁ ବାହାରି ଦିନ ୧୧.୩୦ରେ ସେ ବିଜେପୁରଠାରେ ହେଲିପ୍ୟାଡ୍‌ରେ ଅବତରଣ କରିବେ। ଦିନ ୧୧.୫୯ଟାରେ ଗଣ୍ଡପାଲି ନିକଟସ୍ଥ ପଡ଼ିଆକୁ ପହଂଚି କାର୍ଯ୍ୟକ୍ରମରେ ସାମିଲ ହେବେ। ସେଠାରେ ପାଖାପାଖି ୨୫ ମିନିଟ୍‌ ରହିବା ପରେ ପୁଣି ଫେରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି, ୩୦ ଜଣ ଏସ୍‌ଆଇ, ୪୦ ଜଣ ଏସ୍‌ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏଣେ ବିରୋଧୀ ଦଳଗୁଡ଼ିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି। ଯଦିଓ ମୁଖ୍ୟମନ୍ତ୍ରୀ କେବଳ ବିଜେପୁରରୁ ଗଣ୍ଡପାଲି ଯାଏ କାର୍‌ରେ ଯିବେ, ତେଣୁ ଏହି ରାସ୍ତା ଉପରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ନିଜ ୨୫ ମିନିଟ୍‌ର ରହଣି କାଳରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ। ଏହାବାଦ୍‌ ଜିଲ୍ଲାବାସୀଙ୍କୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ। ୧୭୯.୬୬ କୋଟି ଟଙ୍କାର ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୧୫.୪୩ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର